ପଣଜୀ: ‘ଅପର୍ ଜିଆଇ ଏଣ୍ଡୋସ୍କୋପି’ କରାଇବାକୁ ଶନିବାର ବିଳମ୍ବିତ ରାତ୍ରୀରେ ଗୋଆର ମୁଖ୍ୟମନ୍ତ୍ରୀ ମନୋହର ପରିକର ଗୋଆ ମେଡିକାଲ୍ କଲେଜ ହସ୍ପିଟାଲ୍ରେ ଭର୍ତ୍ତି ହୋଇଥିବା କଥା ମୁଖ୍ୟମନ୍ତ୍ରୀଙ୍କ ଅଫିସ ତରଫରୁ କୁହାଯାଇଛି।
ଅଗ୍ନାଶୟ କର୍କଟ ରୋଗରେ ଆକ୍ରାନ୍ତ ମୁଖ୍ୟମନ୍ତ୍ରୀ ପରିକରଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ୱାଭାବିକ ଥିଲେ ମଧ୍ୟ ୪୮ ଘଣ୍ଟା ଡାକ୍ତରଙ୍କ ତତ୍ତ୍ୱାବଧାନରେ ରହିବେ।
ଶୁକ୍ରବାର ଦିନ ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯିବାରୁ ରାଜ୍ୟ ରାଜଧାନୀରେ ଥିବା ତାଙ୍କ ଘରୋଇ ବାସଭବନକୁ ଦଳେ ଡାକ୍ତର ଯାଇଥିଲେ।
କିନ୍ତୁ ତାଙ୍କ ସ୍ୱାସ୍ଥ୍ୟାବତା ଏତେ ମନ୍ଦ ନାହିଁ ବୋଲି ଶନିବାର ଦିନ ଅଧଘଣ୍ଟିଆ ବୈଠକ ଡକାଇ ପରିକର ସରକାରୀ ଓ ଦଳୀୟକର୍ମୀଙ୍କୁ କହିଥିଲେ।
ପରିକରଙ୍କ ଅସୁସ୍ଥତା ଗତବର୍ଷ ଫେବ୍ରୁଆରି ମାସରେ ଜଣା ପଡ଼ିବା ପରେ ସେ ବର୍ଷେ କାଳ ବାରମ୍ବାର ଗୋଆ, ମୁମ୍ବାଇ, ନୂଆ ଦିଲ୍ଲୀ ଓ ନ୍ୟୁୟର୍କରେ ଥିବା ଡାକ୍ତରଖାନାଗୁଡ଼ିକୁ ଯିବା ଆସିବା କରୁଥିଲେ। ଫଳରେ ସେ ଯଥାସମ୍ଭବ କମ୍ ସରକାରୀ କାର୍ଯ୍ୟରେ ବ୍ୟସ୍ତ ରହୁଥିଲେ।