ପାଣାଜୀ: ଗୋଆରେ ଦଳାଚକଟା ଘଟଣା । ଅଘଟଣସ୍ଥଳରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ । ଦଳାଚକଟା ସ୍ଥଳ ବୁଲି ଘଟଣାର କଲେ ଅନୁଧ୍ୟାନ । ଶିରଗାଓଁ ପରିଦର୍ଶନ ପରେ ପ୍ରତିକ୍ରିୟା ରଖିଲେ ମୁଖ୍ୟମନ୍ତ୍ରୀ । କହିଲେ, ଆଜି ଭୋର୍ ୪ଟାରୁ ୫ଟା ଭିତରେ ଏଭଳି ଅଭାବନୀୟ ଘଟଣା ଘଟିଛି । ପୂର୍ବରୁ କେବେ ବି ଏମିତି ହୋଇନି ଏହା ପ୍ରଥମ ଥର ପାଇଁ ଘଟିଲା । ଦଳାଚକଟାରେ ଆହତଙ୍କୁ ମୁଁ ବିଭିନ୍ନ ହସ୍ପିଟାଲରେ ଯାଇ ଭେଟିଛି । ଘଟଣାରେ ୬ ଜଣଙ୍କ ଜୀବନ ଯାଇଛି । ଘଟଣାର ତଦନ୍ତ ପାଇଁ ମୁଁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛି । ଏଥିସହ ଘଟଣା ବାବଦରେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କୁ ଫୋନ୍ କରି ଦୁଃଖ ପ୍ରକାଶ କରିଥିବା ଏବଂ ପରିସ୍ଥିତି ବାବଦରେ ପଚାରି ବୁଝିଥିବା ନେଇ କହିଛନ୍ତି ଗୋଆ ମୁଖ୍ୟମନ୍ତ୍ରୀ ।

Advertisment

ତେବେ ଗୋଆ ଶିରଗାଓଁରେ ଅନୁଷ୍ଠିତ ଧାର୍ମିକ ଯାତ୍ରା ଶ୍ରୀଲେରାଇ ଯାତ୍ରାରେ ଦଳାଚକଟା ହୋଇଛି । ଯେଉଁଥିରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା କୁହାଯାଉଥିବା ବେଳେ ମୁଖ୍ୟମନ୍ତ୍ରୀ ୬ ଜଣଙ୍କ ମୃତ୍ୟୁ କଥା ସ୍ପଷ୍ଟ କରିଛନ୍ତି । ଏବଂ ଏହି ଘଟଣାରେ ବଢୁଛି ଆହତଙ୍କ ସଂଖ୍ୟା । ଦଳାଚକଟାରେ ଆହତ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୮୦ରେ ପହଞ୍ଚିଛି । ସମସ୍ତେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ସେମାନଙ୍କ ଚିକିତ୍ସା ଚାଲିଛି । 

ସେପଟେ ଘଟଣାରେ ମର୍ମାହତ ହୋଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ୭ ଶ୍ରଦ୍ଧାଳୁଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ଜଣାଇଛନ୍ତି ସମବେଦନା । ଆହତମାନେ ଶୀଘ୍ର ଆରୋଗ୍ୟ ଲାଭ କରନ୍ତୁ ବୋଲି ପ୍ରାର୍ଥନା କରିଛନ୍ତି ପ୍ରଧାନମନ୍ତ୍ରୀ ।