ପାନାଜୀ: ଗୋଆ ବିଧାନସଭା ପାଇଁ ହୋଇଥିବା ନିର୍ବାଚନର ଫଳାଫଳ ଆସନ୍ତା ୧୦ ତାରିଖ (ଗୁରୁବାର) ଦିନ ପ୍ରକାଶ ପାଇବ। ତେବେ, ମତଦାନ ପରେ ପ୍ରକାଶ ପାଇଥିବା ଏକଜିଟ୍‌ ପୋଲ ବା ବୁଥ୍‌ ବାହୁଡ଼ା ମତାମତର ଫଳକୁ ଦୃଷ୍ଟିରେ ରଖି ଗୋଆରେ ସରକାର ଗଠନ ପାଇଁ ଏବେ ଠାରୁ ରାଜନୈତିକ ଦଳଗୁଡ଼ିକ ମଧ୍ୟରେ ଛକାପଞ୍ଝା ଓ ଘୋଡ଼ା ବେପାର ଆରମ୍ଭ ହୋଇଗଲାଣି!

Advertisment

ଏ ପରିସ୍ଥିତରେ କଂଗ୍ରେସ ଦଳ ନିଜର ପ୍ରତିଦ୍ୱନ୍ଦ୍ୱୀ ଦଳର ଘୋଡ଼ାବେପାରରୁ ଦୂରେଇ ରଖିବା ପାଇଁ ଏହାର ବିଧାନସଭା ନିର୍ବାଚନ ପ୍ରାର୍ଥୀମାନଙ୍କୁ ଏକ ରିସର୍ଟକୁ ସ୍ଥାନାନ୍ତର କରିଛି। ‘ଆମେ କୌଣସି ପ୍ରାର୍ଥୀଙ୍କୁ (ରିସର୍ଟରେ) ରହିବାକୁ ବାଧ୍ୟ କରିନାହୁଁ। ସେମାନେ ସ୍ୱେଚ୍ଛାକୃତ ଭାବେ ଏକାଠି ରହିବାକୁ ନିଷ୍ପତ୍ତି ନେଇଛନ୍ତି’, ବୋଲି ଗୋଆ କଂଗ୍ରେସର ସାଧାରଣ ସମ୍ପାଦକ ସୁନୀଲ କାଉଥାନକର କହିଛନ୍ତି। ଗୋଆର ବାମ୍ବୋଲିମ୍‌ ବିଚ୍‌ ରିସର୍ଟରେ କଂଗ୍ରେସ ପ୍ରାର୍ଥୀମାନଙ୍କ ସହିତ ଦଳ କର୍ଣ୍ଣାଟକ କଂଗ୍ରେସର ବରିଷ୍ଠ ନେତା ଡିକେ ଶିବକୁମାରଙ୍କ ସମେତ ଦଳର ଅନ୍ୟ ବରିଷ୍ଠ ନେତୃତ୍ୱ ମଧ୍ୟ ଅଛନ୍ତି।
କାଉଥାନକର କହିଛନ୍ତି ଯେ ଆମେ ଆମ ନେତାଙ୍କ ଉପରେ ନଜର ରଖିଛୁ। ସେମାନେ ଅନ୍ୟ ରାଜ୍ୟରୁ ମଧ୍ୟ ଆସିଛନ୍ତି ଗୋଆରେ କଂଗ୍ରେସ ସରକାର ଗଠନ ସୁନିଶ୍ଚିତ କରିବା ପାଇଁ। କାରଣ, କଂଗ୍ରେସ ୨୦୧୭ ନିର୍ବାଚନର ଭୁଲକୁ ପୁନରାବୃତ୍ତି କରିବାକୁ ଚାହୁଁନାହିଁ। ସେତେବେଳେ ଦଳ ଏକକ ବୃହତ୍ତମ ଦଳ ଭାବରେ ଉଭା ହୋଇ ମଧ୍ୟ ସରକାର ଗଠନ କରିପାରିଲା ନାହିଁ।

publive-image

ଏଥର ଆମେ ଏକ ରଣନୀତି ଗ୍ରହଣ କରିଛୁ ଯାହା ଅତ୍ୟନ୍ତ ଜଟିଳ ଏବଂ ବ୍ୟାପକ। ଆମର ସମସ୍ତ ପ୍ରାର୍ଥୀ ଏକାଠି ରହିଛନ୍ତି। ଉଲ୍ଲେଖଯୋଗ୍ୟ ଏକଜିଟ୍‌ ପୋଲ୍‌ ବା ବୁଥ୍‌ ବାହୁଡ଼ା ମତର ଫଳାଫଳ ଅନୁଯାୟୀ ଗୋଆରେ ଉଭୟ କଂଗ୍ରେସ ଓ ବିଜେପି ପାଖାପାଖି ସମାନ ସଂଖ୍ୟକ ଆସନ ପାଇବାକୁ ଥିବାବେଳେ ଗୋଆରେ ଏକ ଝୁଲା ବିଧାନସଭା ପାଇଁ ପୂର୍ବାନୁମାନ ହୋଇଛି।