ପାଣାଜୀ: ଗୋଆ ସ୍ବାସ୍ଥ୍ୟ ମନ୍ତ୍ରୀ ବିଶ୍ବଜିତ ରାଣେ ଓ ଡାକ୍ତରଙ୍କ ମଧ୍ୟରେ ବିବାଦ ଜଟିଳ ରୂପ ନେବାକୁ ବସିଛି। ଗତ ସପ୍ତାହରେ ଗୋଆ ମେଡିକାଲ କଲେଜ ଆଣ୍ଡ୍ ହସ୍ପିଟାଲର କାଜୁଆଲ୍ଟି ମେଡିକାଲ ଅଫିସର (ସିଏମ୍ଓ) ରୁଦ୍ରେଶ କୁଟ୍ଟିକରଙ୍କୁ ଗୋଆ ସ୍ବାସ୍ଥ୍ୟମନ୍ତ୍ରୀ ସର୍ବସମକ୍ଷରେ ଅପମାନ ଦେଇଥିଲେ। ଏ ନେଇ ଡାକ୍ତର ଗଣମାଧ୍ୟମରେ କ୍ଷମା ମାଗିଥିଲେ। କିନ୍ତୁ ଡାକ୍ତରମାନେ ଏହାକୁ ଗ୍ରହଣ କରିନାହାନ୍ତି। ମନ୍ତ୍ରୀ ଯେଉଁ ହସ୍ପିଟାଲରେ ଡାକ୍ତରଙ୍କୁ ଗାଳି ଦେଇଥିଲେ ସେହି ସ୍ଥାନରେ କ୍ଷମା ମାଗିବାକୁ ସେମାନେ ଦାବି କରିଛନ୍ତି।
ସୂଚନା ଅନୁଯାୟୀ, ସିଏମ୍ଓ ଡାକ୍ତର କୁଟ୍ଟିକର ଗୋଆ ମେଡିକାଲ କଲେଜ ଓ ହସ୍ପିଟାଲରେ କାର୍ଯ୍ୟ କରନ୍ତି। ଜଣେ ସାମ୍ବାଦିକଙ୍କ ଶାଶୂଙ୍କୁ ଡାକ୍ତର କୁଟ୍ଟିକର ଭିଟାମିନ ବି୧୨ ଇଞ୍ଜେକ୍ସନ ଦେବାକୁ ମନା କରିଥିଲେ। ଇଞ୍ଜେକ୍ସନ ନେବାକୁ ଏକ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର କିମ୍ବା ଓପିଡିକୁ ଯିବା ଲାଗି ଡାକ୍ତର କୁଟ୍ଟିକର ତାଙ୍କୁ କହିଥିଲେ। ସାମ୍ବାଦିକ ଏସଂପର୍କରେ ମନ୍ତ୍ରୀଙ୍କୁ ଅବଗତ କରିଥିଲେ। ଏହାପରେ ସେ ମନ୍ତ୍ରୀଙ୍କ ରୋଷର ଶିକାର ହୋଇଥିଲେ।
ଏହି ଘଟଣା ପରେ ସ୍ବାସ୍ଥ୍ୟମନ୍ତ୍ରୀ ରାଣେ ଜରୁରୀକାଳୀନ ବିଭାଗରେ ଡାକ୍ତରଙ୍କୁ ଅପମାନିତ କରିଥିଲେ। ତାଙ୍କର ନିଲମ୍ବନ ଘୋଷଣା କରି ଘରକୁ ଯିବାଲାଗି ତାଙ୍କୁ ନିର୍ଦ୍ଦେଶ ଦେଇଥିଲେ। ତେବେ ରବିବାର ଦିନ ଡାକ୍ତରଙ୍କ ନିଲମ୍ବନକୁ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ପ୍ରତ୍ୟାହାର କରିନେଇଥିଲେ। ସ୍ବାସ୍ଥ୍ୟମନ୍ତ୍ରୀ ଯଦିଓ ତାଙ୍କ କହିବାର ଭାବ ଓ ସ୍ବର ଠିକ୍ ନଥିଲା ବୋଲି ସ୍ବୀକାର କରିଥିଲେ କିନ୍ତୁ ପ୍ରଥମେ କ୍ଷମା ମାଗିବାକୁ ମନା କରିଥିଲେ। ରବିବାର ସନ୍ଧ୍ୟାରେ ସ୍ବାସ୍ଥ୍ୟମନ୍ତ୍ରୀ ଏକ ସ୍ବାକ୍ଷାତକାରରେ ତାଙ୍କ ଆଚରଣ ପାଇଁ ଡାକ୍ତର ଓ ତାଙ୍କ ପରିବାରକୁ କ୍ଷମା ମାଗିଥିଲେ। ସୋମବାର ସକାଳେ ମଧ୍ୟ ମନ୍ତ୍ରୀ ପୁଣି ଥରେ କ୍ଷମା ମାଗିଥିଲେ। ପରିସ୍ଥିତିକୁ ଯେଭଳି ପରିଚାଳନା କରିଥିଲେ ସେଥିପାଇଁ ସେ ଗଭୀର ଭାବେ ଦୁଃଖିତ ବୋଲି କହିଥିଲେ। କିନ୍ତୁ ଡାକ୍ତରମାନେ ମନ୍ତ୍ରୀଙ୍କ ଏହି କ୍ଷମାକୁ ଗ୍ରହଣ କରିନାହାନ୍ତି। ଡାକ୍ତର କୁଟ୍ଟିକରଙ୍କୁ ଗୋଆ ରେସିଡେଣ୍ଟ ଡାକ୍ତର ଏବଂ ଫ୍ୟାକଲ୍ଟି ଡାକ୍ତର ସଂଘର ସମର୍ଥନ ମିଳିଛି। ମନ୍ତ୍ରୀଙ୍କ ଠାରୁ କ୍ଷମା ଦାବିରେ ସେମାନେ ଆଜି ପ୍ରତିବାଦ କରିଛନ୍ତି। ମନ୍ତ୍ରୀ ଯଦି ସାଧାରଣରେ କ୍ଷମା ନମାଗନ୍ତି ତାହେଲେ ଆଗାମୀ ଦିନରେ ଆନ୍ଦୋଳନ ବ୍ୟାପକ ହେବ ବୋଲି ଚେତାବନୀ ଦେଇଛନ୍ତି।
ଗୋଆ ସ୍ବାସ୍ଥ୍ୟ ମନ୍ତ୍ରୀ-ଡାକ୍ତର ବିବାଦ ଘନେଇଲା
ଗୋଆ ସ୍ବାସ୍ଥ୍ୟ ମନ୍ତ୍ରୀ ବିଶ୍ବଜିତ ରାଣେ ଓ ଡାକ୍ତରଙ୍କ ମଧ୍ୟରେ ବିବାଦ ଜଟିଳ ରୂପ ନେବାକୁ ବସିଛି। ଗତ ସପ୍ତାହରେ ଗୋଆ ମେଡିକାଲ କଲେଜ ଆଣ୍ଡ୍ ହସ୍ପିଟାଲର କାଜୁଆଲ୍ଟି ମେଡିକାଲ ଅଫିସର (ସିଏମ୍ଓ) ରୁଦ୍ରେଶ କୁଟ୍ଟିକରଙ୍କୁ ଗୋଆ ସ୍ବାସ୍ଥ୍ୟମନ୍ତ୍ରୀ..
/sambad/media/media_files/2025/06/10/3sS6xUkew1gaVH4SYQay.jpg)