ଗୋଆ ରାଜନୀତିରେ ନୂଆ ମୋଡ଼: ରାତିଅଧରେ ଉପମୁଖ୍ୟମନ୍ତ୍ରୀ ବିଦା

ଏମ୍‌ଜିପିର ଦୁଇ ବିଧାୟକ ବିଜେପିରେ ସାମିଲ

ପାନାଜି: ଗୋଆରେ ପୁଣି ରାଜନୈତିକ ହଟଚମଟ ଦେଖିବାକୁ ମିଳିଛି। ରାତାରାତି ମହାରାଷ୍ଟ୍ରବାଦୀ ଗୋମନ୍ତକ ପାର୍ଟି (ଏମ୍‌ଜିପି)ର ଦୁଇ ବିଧାୟକ ବିଜେପିରେ ସାମିଲ ହୋଇଯାଇଥିବା ବେଳେ ଉପମୁଖ୍ୟମନ୍ତ୍ରୀ ପଦ ହରାଇଛନ୍ତି ସୁଦିନ ଡାଭଲିକର। ମେଣ୍ଟଦଳର ବିଧାୟକ ତଥା ପର୍ଯ୍ୟଟନ ମନ୍ତ୍ରୀ ମନୋହର ଅଜଗାଓଁକର ଏବଂ ଦୀପକ ପାଓସ୍କର୍‌ ଦଳରେ ସାମିଲ ହେବେ ବୋଲି ବିଜେପି ଗତରାତି ୧.୪୫ ରେ ରାଜ୍ୟପାଳଙ୍କୁ ଚିଠି ଦେଇଥିବା ଜଣାପଡିଛି I ବିଜେପିର ଏହି ରାତି ଅଧିଆ ଅପରେସନ ସଫଳ ହେବାପରେ ଏମ୍‌ଜିପିରେ ଆଲୋଡ଼ନ ସୃଷ୍ଟି ହୋଇଛି। ଏମ୍‌ଜିପିର ମୋଟ ୩ ବିଧାୟକଙ୍କ ମଧ୍ୟରୁ ଦୁଇ ଜଣ ବିଧାୟକ ବିଜେପିରେ ମିଶିଲା ପରେ ଏବେକେବଳ ଜଣେ ମାତ୍ର ସଦସ୍ୟ ସୁଦିନ ଡଭାଲିକର ରହିଛନ୍ତି I ସେ ବିଜେପିକୁ ବିରୋଧ ଜାରି ରଖିଥିବାରୁ ତାଙ୍କୁ ପଦରୁ ହଟାଇ ଦିଆଯାଇଛି। ଦଳ ବଦଳ ଆଇନ ଏ କ୍ଷେତ୍ରରେ ଲାଗୁ ହୋଇପାରିବ ନାହିଁ ଏବଂ ବିଜେପି ଏହାର ଭରପୂର ଫାଇଦା ଉଠାଇଛି।
ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ଦେହାନ୍ତ ପରେ ମହାରାଷ୍ଟ୍ରବାଦୀ ଗୋମନ୍ତକ ପାର୍ଟିର ତିନି ଜଣ ବିଧାୟକଙ୍କୁ ମନ୍ତ୍ରୀପଦ ଦେବା ପାଇଁ ବିଜେପି ଘୋଷଣା କରି ସେମାନଙ୍କୁ ପ୍ରଲୋଭିତ କରିଥିଲା। ଦେଉଁ ଦୁଇ ଜଣ ବିଧାୟକଙ୍କୁ ଏମ୍‌ଜିପିରେ ଅଣଦେଖା କରାଯାଉଥିଲା ସେମାନେ ଏବେ ବିଜେପିରେ ସାମିଲ ହୋଇଯାଇଥିବାରୁ ୩୬ ଜଣିଆ ବିଧାନସଭାରେ ବିଜେପିର ସଭ୍ୟସଂଖ୍ୟା ୧୨ରୁ ୧୪ରେ ପହଂଚିଛି I

ସମ୍ବନ୍ଧିତ ଖବର