ଗୋଆରେ ସ୍ମୃତି ଇରାନୀ କିମ୍ବା ତାଙ୍କ ଝିଅଙ୍କ ନାଁରେ କୌଣସି ବାର୍ ଲାଇସେନ୍ସ ନାହିଁ: ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ଝିଅ ଗୋଆରେ ବାର୍ ଚଳାଉଥିବା ନେଇ ଅଭିଯୋଗ ଆଣିଥିଲେ କଂଗ୍ରେସ ନେତା। ଏହାକୁ ବିରୋଧ କରି ସ୍ମୃତି ଇରାନୀ ଦୁଇ କୋଟି ଟଙ୍କାର ମାନହାନୀ ମକଦ୍ଦମା କରିଥିବା ବେଳେ ଆଜି ଏନେଇ ଦିଲ୍ଲୀ ହାଇକୋର୍ଟରେ ଶୁଣାଣି ହୋଇଥିଲା। ଶୁଣାଣି ସମୟରେ ଅଦାଲତ କହିଛନ୍ତି ଯେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଏବଂ ତାଙ୍କ ଝିଅ (ଜୋଇଶ ଇରାନୀ) ଗୋଆରେ ଥିବା ‘ସିଲି ସୋଲ୍ସ କାଫେ ଆଣ୍ଡ ବାର୍’ର ମାଲିକ ନୁହଁନ୍ତି। କିମ୍ବା ସେହି ବାର୍ ପାଇଁ ସେ କୌଣସି ଲାଇସେନ୍ସ ପାଇଁ କେବେ ଆବେଦନ କରିନାହାଁନ୍ତି। ଜୁଲାଇ ୨୯ରେ ହାଇକୋର୍ଟ ଶୁଣାଣି କରିଥିବା ବେଳେ ସବିଶେଷ ଅର୍ଡର ଏବେ ସାମ୍ନାକୁ ଆସିଛି।

ହାଇକୋର୍ଟ ଏହି ପ୍ରସଙ୍ଗରେ ନିଜର ରାୟ ଦେବାବେଳେ କହିଛନ୍ତି ଯେ ଗୋଆର ସେହି ରେଷ୍ଟୁରାଣ୍ଟ ବା ସେ ଜମି ସ୍ମୃତି ଇରାନୀ କିମ୍ବା ତାଙ୍କ ଝିଅଙ୍କର ନୁହେଁ । କଂଗ୍ରେସ ନେତା ଜୟରାମ ରମେଶ, ପବନ ଖେଡା ଓ ନେଟ୍ଟା ଡି’ସୁଜା ଅନ୍ୟ କିଛି ଲୋକଙ୍କ ସହ ମିଶି ଏଭଳି ମିଛ ଖବରର ପ୍ରଚାର କରିଛନ୍ତି। ଏଭଳି କରି ସ୍ମୃତି ଇରାନୀଙ୍କ ଭାବମୂର୍ତ୍ତିକୁ ଖରାପ କରିବାକୁ ଚେଷ୍ଟା କରାଯାଇଛି। ପ୍ରକୃତ ତଥ୍ୟ ନଜାଣି ବଡ ଅଭିଯୋଗ କରାଯାଇଥିଲା, ଯେଉଁ କାରଣରୁ ସ୍ମୃତି ଇରାନୀ ଏବଂ ତାଙ୍କ ପରିବାରର ଭାବମୂର୍ତ୍ତି ନଷ୍ଟ ହୋଇଛି। ଏଭଳି କରିବା ପଛର କାରଣ ଜଣାଇବା ପାଇଁ କଂଗ୍ରେସ ନେତା ଜୟରାମ ରମେଶ, ପବନ ଖେଡା ଓ ନେଟ୍ଟା ଡି’ସୁଜାଙ୍କୁ ସମନ ଜାରି କରି ଆଗାମୀ ଶୁଣାଣି ସମୟରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଉଛି। ଆଗାମୀ ଶୁଣାଣି ଅଗଷ୍ଟ ୧୮ରେ ହେବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର