ପାଣାଜୀ: ଗୋଆରେ ଦଳାଚକଟା ଘଟଣାରେ ସାମ୍ନାକୁ ଆସିଲା ସତ । କେମିତି ହେଲା ଏତେ ବଡ ଅଘଟଣ ? ଧାର୍ମିକ ଯାତ୍ରାରେ କାହିଁକି ହେଲା ଦଳାଚକଟା ? କେତେ ଲୋକଙ୍କ ଭିଡ଼ ଜମିଥିଲା ଯେଉଁଥିପାଇଁ ଉପୁଜିଲା ଦଳଚକଟା ପରି ପରିସ୍ଥିତି ? ଶିରଗାଓଁରେ ଅନୁଷ୍ଠିତ ଧାର୍ମିକ ଯାତ୍ରା ଶ୍ରୀଲେରାଇ ଯାତ୍ରାରେ ଦଳାଚକଟା ଯୋଗୁଁ ୭ ଜଣଙ୍କ ମୃତ୍ୟୁ ହୋଇଥିବା କୁହାଯାଉଥିବା ବେଳେ ଇତିମଧ୍ୟରେ ୮୦ରୁ ଅଧିକ ଲୋକ ଗୁରୁତର ଆହତ ହଇଛନ୍ତି । ଆଉ ଏହି ଘଟଣା ପରେ ଦଳାଚକଟା ବାବଦରେ ପ୍ରତିକ୍ରିୟା ରଖିଛନ୍ତି ଜଣେ ବରିଷ୍ଠ ପୋଲିସ ଅଧିକାରୀ ।
ପୋଲିସଙ୍କ ଅଫିସରଙ୍କ ସୂଚନା ଅନୁସାରେ- ଶ୍ରୀଲେରାଇ ଯାତ୍ରାରେ ପ୍ରତିବର୍ଷ ଭଳି ଏବର୍ଷ ବି ଭିଡ଼ ଜମିଥିଲା । ମାତ୍ର ଏଥର ଭିଡ଼ ଅନ୍ୟ ବର୍ଷ ଠାରୁ ଅଧିକ ଥିଲା । ଶିରଗାଓଁରେ ପ୍ରାୟ ୩୦ ହଜାରରୁ ୪୦ ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ଖାଲି ଗୋଆ ନୁହେଁ ମହାରାଷ୍ଟ୍ର ଏବଂ କର୍ଣ୍ଣାଟକରୁ ଲୋକ ଏହି ମହୋତ୍ସବ ଦେଖିବା ପାଇଁ ଏକତ୍ରିତ ହୋଇଥିଲେ । ତେବେ ଭିଡଡ ଥିବାରୁ ଅନେକ ମନ୍ଦିର ନିକଟ ସ୍ଲାପ ଉପରେ ଠିଆ ହୋଇଥିଲେ। ହଠାତ୍ କିଛି ଲୋକେ ସେହି ସ୍ଲାପରୁ ପଡିଯିବା ପରେ ପ୍ରାୟ ୪୦ରୁ ୫୦ ଜଣ ତାପରେ ତାପରେ ପଡ଼ି ଯାଇଥିଲେ। ଫଳରେ ଏତେ ବଡ଼ ଅଘଟଣ ଘଟିଲା ।
ସେପଟେ ଦଳାଚକଟା ପରେ ଅଘଟଣସ୍ଥଳରେ ପହଞ୍ଚି ଘଟଣାର ଅନୁଧ୍ୟାନ କରିଛନ୍ତି ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ । ଶିରଗାଓଁ ପରିଦର୍ଶନ ପରେ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ । କହିଛନ୍ତି, ଆଜି ଭୋର୍ ୪ଟାରୁ ୫ଟା ଭିତରେ ଏଭଳି ଅଭାବନୀୟ ଘଟଣା ଘଟିଛି । ପୂର୍ବରୁ କେବେ ବି ଏମିତି ହୋଇନି ଏହା ପ୍ରଥମ ଥର ପାଇଁ ଘଟିଲା । ଦଳାଚକଟାରେ ଆହତଙ୍କୁ ମୁଁ ବିଭିନ୍ନ ହସ୍ପିଟାଲରେ ଯାଇ ଭେଟିଛି । ଘଟଣାରେ ୬ ଜଣଙ୍କ ଜୀବନ ଯାଇଛି । ଘଟଣାର ତଦନ୍ତ ପାଇଁ ମୁଁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛି । ଏଥିସହ ଘଟଣା ବାବଦରେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କୁ ଫୋନ୍ କରି ଦୁଃଖ ପ୍ରକାଶ କରିଥିବା ଏବଂ ପରିସ୍ଥିତି ବାବଦରେ ପଚାରି ବୁଝିଥିବା ନେଇ କହିଛନ୍ତି ଗୋଆ ମୁଖ୍ୟମନ୍ତ୍ରୀ ।