ପାନାଜି: ଦିଲ୍ଲୀ ଏମ୍ସରେ ଚିକିତ୍ସିତ ହେଉଥିବା ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକର ସୋମବାର ତାଙ୍କ ମନ୍ତ୍ରିମଣ୍ଡଳରୁ ଦୁଇଜଣ ମନ୍ତ୍ରୀଙ୍କୁ ବାଦ୍ ଦେଇଛନ୍ତି। ସେମାନେ ହେଲେ ବିଜେପି ନେତା ଫ୍ରାନ୍ସିସ୍ ଡିସୁଜା ଏବଂ ପାଣ୍ଡୁରଙ୍ଗ୍ ମଡ୍କଇକର। କିଛିଦିନ ହେବ ଏହି ଦୁଇ ମନ୍ତ୍ରୀ ଅସୁସ୍ଥ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଆମେରିକାର ଏକ ହସ୍ପିଟାଲ୍ରେ ଡିସୁଜାଙ୍କର ଚିକିତ୍ସା ଚାଲିଥିବା ବେଳେ ମଡ୍କଇକର ମୁମ୍ବାଇର ଏକ ହସ୍ପିଟାଲ୍ ଚିକିତ୍ସିତ ହେଉଛନ୍ତି। ଡିସୁଜା ସହରାଞ୍ଚଳ ବିକାଶ ମନ୍ତ୍ରୀ ଥିଲେ। ସେହିଭଳି ମଡ୍କଇକର ଶକ୍ତି ମନ୍ତ୍ରୀ ଥିଲେ। ଅସୁସ୍ଥତା କାରଣରୁ ଏମାନଙ୍କୁ ସୋମବାର ସକାଳେ ପାରିକରଙ୍କ ସୁପାରିସକ୍ରମେ ମନ୍ତ୍ରିମଣ୍ଡଳରୁ ବହିଷ୍କାର କରାଯାଇଥିବା ଜଣାପଡ଼ିଛି।
ଅଧିକାରୀଙ୍କ ସୂତ୍ରରୁ ଜଣାଯାଇଛି ଯେ ବିଜେପି ନେତା ନିଲେଶ କାବ୍ରାଲ୍ ଏବଂ ମିଲିନ୍ଦ ନାଇକ ସୋମବାର ରାଜଭବନରେ ରାଜ୍ୟପାଳ ମ୍ରିଦୁଲା ସିହ୍ନାଙ୍କ ମାଧ୍ୟମରେ ଶପଥ ଗ୍ରହଣ କରିଛନ୍ତି। ନାଇକ ପୂର୍ବର ଲକ୍ଷ୍ମୀକାନ୍ତ ପାର୍ସେକର ସରକାରରେ ଶକ୍ତିମନ୍ତ୍ରୀ ଥିଲା ବେଳେ କାବ୍ରାଲ୍ ପ୍ରଥମ ଥର ପାଇଁ ମନ୍ତ୍ରୀ ପଦରେ ଶପଥ ଗ୍ରହଣ କରିଛନ୍ତି। ଅନ୍ୟପକ୍ଷରେ ପାରିକରଙ୍କ ଏହି ନିଷ୍ପତ୍ତିରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଡିସୁଜା। ସେ କହିଛନ୍ତି, ଏଭଳି ବଡ଼ ନିଷ୍ପତ୍ତି ନେବା ପୂର୍ବରୁ ମୋତେ ଆଗରୁ ଅବଗତ କରାନଯିବା ପରିତାପର ବିଷୟ। ୨୦ ବର୍ଷ ଧରି ଦଳ ସହିତ ବିଶ୍ୱାସର ସହ କାମ କରିବା ପରେ ମୋତେ ଆଜି ମୋ ଫଳ ମିଳିଛି। ଉଲ୍ଲେଖଯୋଗ୍ୟ, ଡିସୁଜା ୨୦ ବର୍ଷ ହେଲା ବିଜେପି ଟିକେଟ୍ରେ ଉତ୍ତର ଗୋଆ ଜିଲ୍ଲାର ମାପୁସା ଆସନରେ ଜିତିଆସୁଛନ୍ତି।
କଂଗ୍ରେସ ଆଜି ପାରିକରଙ୍କ ନିଷ୍ପତ୍ତିକୁ ତାଚ୍ଛଲ୍ୟ କରିଛି। ଏହା କହିଛି ଯେ ପାରିକର ନିଜେ ଅସୁସ୍ଥତା ଯୋଗୁ ହସ୍ପିଟାଲ୍ରେ ଚିକିତ୍ସିତ ଥିବା ବେଳେ ତାଙ୍କ କ୍ୟାବିନେଟ୍ ସହଯୋଗୀଙ୍କୁ ସମାନ କାରଣରୁ ମନ୍ତ୍ରିମଣ୍ଡଳରୁ ବାଦ୍ ଦେବା ଅଡୁଆ ଲାଗୁଛି। ଉଲ୍ଲେଖଯୋଗ୍ୟ, ପାରିକର ଗୋଆର ମୁଖ୍ୟମନ୍ତ୍ରୀ ରହିବେ ଏବଂ କ୍ୟାବିନେଟ୍ରେ ଅଦଳବଦଳ ହେବ ବୋଲି ରବିବାର ବିଜେପି ଅଧ୍ୟକ୍ଷ ଅମିତ୍ ଶାହ ସୂଚନା ଦେଇଥିଲେ।
ଗୋଆ: ମନ୍ତ୍ରୀପଦରୁ ଦୁଇଜଣ ବହିଷ୍କୃତ:କଂଗ୍ରେସର ତାଚ୍ଛଲ୍ୟ
/sambad/media/post_attachments/wp-content/uploads/2018/09/alqp4j68_francis-d-souza_625x300_31_July_18.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)