କଂଗ୍ରେସ ବିଧାୟକଙ୍କୁ ମାଙ୍କଡ କହିଲେ ଗୋଆ ଉପମୁଖ୍ୟମନ୍ତ୍ରୀ

ପାଣାଜୀ: କର୍ଣ୍ଣାଟକର ରାଜନୈତିକ ନାଟକକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା ଜୋର ଧରିଛି | ଗୋଟିଏ ପଟେ କୁମାରସ୍ବାମୀ ସରକାର ଅସନ୍ତୁଷ୍ଟ ବିଧାୟକଙ୍କୁ ମନାଇବାକୁ ଲାଗିପଡିଥିବାବେଳେ ଅନ୍ୟପଟେ ବିଏସ ଏଦୁରପ୍ପା କ୍ଷମତା ହାସଲ କରିବାକୁ ମନ ବଳାଇ ବସିଛନ୍ତି | ତେବେ ଏହାକୁ ନେଇ ଗୋଆର ଉପ ମୁଖ୍ୟମନ୍ତ୍ରୀ ବିଜୟ ସରଦେଶାଇ କହିଛନ୍ତି ଯେ କଂଗ୍ରେସ-ଜେଡିଏସ ବିଧାୟକ ହେଉଛନ୍ତି ମାଙ୍କଡ | ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଡେଇଁବାରେ ଲାଗିପଡିଛନ୍ତି ବୋଲି ବିଜୟ କହିଛନ୍ତି |

କଂଗ୍ରେସର ୧୦ ଜଣ ବିଧାୟକ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେବାକୁ ଚର୍ଚ୍ଚା ନେଇ ସେ ଏଭଳି ଟିପ୍ପଣୀ ଦେଇଛନ୍ତି | ଗୋଆରେ ବିଜେପି ସହ ଗଠବନ୍ଧନ କରିଥିବା ଗୋଆ ଫରୱାର୍ଡ଼ ପାର୍ଟିର ମୁଖ୍ୟ ବିଜୟ ସରଦେଶାଇ ଏକ କାର୍ଯ୍ୟକ୍ରମରେ କହିଛନ୍ତି ଯେ କଂଗ୍ରେସ ଦଳରେ ବହୁତ ମାଙ୍କଡ ଅଛନ୍ତି ଯିଏ କି ଅନ୍ୟ ଦଳକୁ ଡେଇଁବାକୁ ପ୍ରସ୍ତୁତ ହୋଇ ରହିଥାନ୍ତି |

କର୍ଣ୍ଣାଟକର ୧୩ ବିଧାୟକ ଇସ୍ତଫା ଦେବା ପରେ କୁମାର ସ୍ୱାମୀ ସରକାରର ସବୁ ୩୨ ଜଣ ମନ୍ତ୍ରୀ ମଧ୍ୟ ଇସ୍ତଫା ଦେଇସାରିଛନ୍ତି | ପ୍ରଥମେ କଂଗ୍ରେସର ୨୨ ଜଣ ମନ୍ତ୍ରୀ ଇସ୍ତଫା ଦେଇଥିଲେ ଏହାପରେ ଜେଡିଏସର ୧୦ ଜଣ ମନ୍ତ୍ରୀ ମଧ୍ୟ ଇସ୍ତଫା ଦେଇଥିଲେ |

ସମ୍ବନ୍ଧିତ ଖବର