ଗୋଆରେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ଶୂନ; କରୋନା ମୁକ୍ତ ହେବାରେ ଦେଶରେ ପ୍ରଥମ ରାଜ୍ୟ

ପାଣାଜୀ: ଖୁସି ଖବର। ମହାମାରୀ କରୋନା ଭାଇରସ୍‌ର ଜଡ଼ ଉପାଡ଼ି ଫୋପାଡ଼ି ଦେବାରେ ଗୋଆ ହେଉଛି ଭାରତରେ ପ୍ରଥମ ରାଜ୍ୟ । ଆପଣ ଜାଣିଥିବେ ନିଶ୍ଚୟରେ କିଛି ଦିନ ତଳେ ଗୋଆରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୯ ଥିଲା। ଏବେ ଏହା ଶୂନରେ ପହଞ୍ଚିଛି। ଗୋଆ ଏବେ ସଂପୂର୍ଣ୍ଣ ରୂପେ କରୋନାରୁ ମୁକ୍ତ। କରୋନାର ଶିକାର ହୋଇ ଚିକିତ୍ସିତ ହେଉଥିବା ଶେଷ ୭ ଜଣ ସୁସ୍ଥ ହୋଇଯିବା ପରେ ରବିବାର କର୍ତ୍ତୃପକ୍ଷ ଏ ସଂପର୍କରେ ସୂଚନା ପ୍ରଦାନ କରି ଗୋଆ କରୋନା ମୁକ୍ତ ହେବାରେ ଭାରତରେ ପ୍ରଥମ ରାଜ୍ୟ ବୋଲି କହିଛନ୍ତି।

ଗୋଆର ସ୍ବାସ୍ଥ୍ୟ ମନ୍ତ୍ରୀ ବିଶ୍ବଜିତ୍‌ ରାଣେ କହିଛନ୍ତି, ‘ଶୂନ ବାସ୍ତବରେ ଏକ ବଡ଼ ସଂଖ୍ୟା। ଖୁସିର ସହ ଜଣାଉଛି ଯେ ରାଜ୍ୟରେ ଚିକିତ୍ସିତ ହେଉଥିବା ସମସ୍ତ କୋଭିଡ୍‌-୧୯ ସଂକ୍ରମିତ ସୁସ୍ଥ ହୋଇ ପାରିଛନ୍ତି। ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ଏବେ ଶୂନ। ନିଜ ଜୀବନକୁ ବାଜି ଲଗାଇ ରୋଗୀଙ୍କ ସେବା କରୁଥିବା ସମସ୍ତ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କୁ ଧନ୍ୟବାଦ୍‌।’

ସେହିପରି ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ଶାୱନ୍ତ ଟ୍ବିଟ୍‌ କରିଛନ୍ତି, ‘କୋଭିଡ୍‌-୧୯ରୁ ସମସ୍ତେ ନେଗେଟିଭ୍‌ ହେବା ଏକ ସନ୍ତୁଷ୍ଟିର ବିଷୟ। ନିଜର କଠିନ ପରିଶ୍ରମ ଓ ସେବା ଦ୍ବାରା ରୋଗୀମାନଙ୍କୁ ସୁସ୍ଥ କରିଥିବା ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ କରତାଳି। ଏପ୍ରିଲ୍‌ ୩ ତାରିଖ ପରେ ଗୋଆରେ ଆଉ କେହି ସଂକ୍ରମିତ ହୋଇନାହାନ୍ତି।’

ସମ୍ବନ୍ଧିତ ଖବର