ଗୋଆ କଂଗ୍ରେସକୁ ଝଟ୍‌କା

ବିଜେପିରେ ମିଶିବେ ଦୁଇ ବିଧାୟକ :ଅମିତ୍‌ ଶାହଙ୍କୁ ଭେଟିବା ପରେ ସ୍ପଷ୍ଟ କଲେ :ବିଧାନସଭାରେ କଂଗ୍ରେସ ଅଙ୍କ ୧୪କୁ ଖସିଲା

ପଣଜି: କିଛିଦିନ ତଳେ ଗୋଆରେ ସରକାର ଗଢ଼ିବା ପାଇଁ ଦାବି କରିଥିବା କଂଗ୍ରେସକୁ ଆଜି ବଡ଼ଧରଣର ଝଟ୍‌କା ଲାଗିଛି। ଦଳର ଦୁଇଜଣ ବିଧାୟକ ନିଜ ପଦରୁ ଇସ୍ତଫା ଦେବା ସହ ବିଜେପିରେ ସାମିଲ ହେବେ ବୋଲି ଘୋଷଣା କରିଛନ୍ତି। ସେମାନେ ଦିଲ୍ଲୀରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍‌ ଶାହଙ୍କୁ ସାକ୍ଷାତ କରିବା ପରେ ଦଳରେ ଯୋଗଦେବେ ବୋଲି ସ୍ପଷ୍ଟ କରିଛନ୍ତି। ଏହି ବିଧାୟକ ଦୁଇଜଣ ହେଲେ ଦୟାନନ୍ଦ ସତୋପେ ଏବଂ ସୁଭାଷ ସିରୋଦକର। ଗତକାଲି ବିଳମ୍ବିତ ରାତିରେ ଏହି ଦୁଇଜଣ ବିଧାୟକ ଅଚାନକ ବିମାନ ଯୋଗେ ଦିଲ୍ଲୀ ଗସ୍ତ କରିଥିଲେ। ଏମାନେ କଂଗ୍ରେସ ଛାଡ଼ିବା ପରେ ବର୍ତ୍ତମାନ ଗୋଆ ବିଧାନସଭାରେ ଦଳର ସଦସ୍ୟ ସଂଖ୍ୟା ୧୪କୁ ହ୍ରାସ ପାଇଛି।
ସୂଚନା ମୁତାବକ ଦୁଇ ବିଧାୟକ ମଙ୍ଗଳବାର ସକା‌େଳ ଅମିତ୍‌ ଶାହଙ୍କୁ ତାଙ୍କ ଦିଲ୍ଲୀସ୍ଥିତ ବାସଭବନରେ ଭେଟିଥିଲେ। ଏହାପରେ ସେଠାରେ ଏକ ଜରୁରୀ ବୈଠକ ବସିଥିଲା। ବୈଠକରେ ଦୁଇ ବିଧାୟକଙ୍କ ବ୍ୟତୀତ ଗୋଆ ବିଜେପି ଅଧ୍ୟକ୍ଷ ବିନୟ ତେନ୍ଦୁଲକର ଏବଂ ମନ୍ତ୍ରୀ ବିନାୟକ ରାଣେ ମଧ୍ୟ ଉପସ୍ଥିତ ଥିଲେ। ସୂତ୍ର ମୁତାବକ ଗୋଆ ବିଧାନସଭାରେ ଶାସକ ବିଜେପି ନିଜ ସ୍ଥିତିକୁ ସୁଦୃଢ଼ କରିବା ପାଇଁ ଉଦ୍ୟମ ଜାରି ରଖିଛି। ଏଥିପାଇଁ ପାରିକରଙ୍କ ଉତ୍ତରାଧିକାରୀ ହେବାକୁ ଚାହୁଥିବା ବିଶ୍ବଜିତ୍‌ ରାଣେ ସମସ୍ତ ରଣନୀତି ପ୍ରସ୍ତୁତିରେ ଲାଗିଛନ୍ତି।
ଉଲ୍ଲେଖଯୋଗ୍ୟ, ବିଜେପି ରାଜ୍ୟ ବିଧାନସଭାକୁ ଭାଙ୍ଗିପାରେ ବୋଲି ଆଶଙ୍କା କରି କଂଗ୍ରେସ ଗତକାଲି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟି ଏ ନେଇ ଅବଗତ କରାଇଥିଲା। ଏଭଳି ଉପାୟରେ ‌େଯମିତି ବିଧାନସଭା ଭଙ୍ଗାନଯାଏ ସେ ନେଇ ସୁନିଶ୍ଚିତ କରିବା ପାଇଁ ଦଳ ରାଷ୍ଟ୍ରପତିଙ୍କୁ ଅନୁରୋଧ କରିଥିଲା। ଗୋଆ ପ୍ରଦେଶ କଂଗ୍ରେସ କମିଟି ମୁଖ୍ୟ ଗିରୀଶ ଚୋଡ଼ଣକର ଏ ପ୍ରସଙ୍ଗରେ ରାଷ୍ଟ୍ରପତିଙ୍କ ସହିତ ଆଲୋଚନା କରିଥିଲେ।
ଉଲ୍ଲେଖଯୋଗ୍ୟ, ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ଯୋଗୁ ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯିବାର କିଛିଦିନ ପରେ ରାଜ୍ୟ କଂଗ୍ରେସ ଶାସନ କ୍ଷମତାକୁ ହାତକୁ ନେବା ପାଇଁ ଦାବି କରିଥିଲା। ମୁଖ୍ୟମନ୍ତ୍ରୀଙ୍କ ଅନୁପସ୍ଥିତି ଯୋଗୁ ରାଜ୍ୟରେ ଶାସନ କାର୍ଯ୍ୟ ପ୍ରଭାବିତ ହେଉଛି ଏବଂ ଏହାଦ୍ବାରା ରାଜ୍ୟବାସୀ ସମସ୍ୟାରେ ପଡ଼ିବେ ବୋଲି ଦଳ ଚିନ୍ତାବ୍ୟକ୍ତ କରିଥିଲା। ଏ ନେଇ ଦଳର ନେତାମାନେ ରାଜ୍ୟପାଳଙ୍କୁ ଭେଟି ବାରମ୍ବାର ଦାବି ଉପସ୍ଥାପନ କରିଥିଲେ।

ସମ୍ବନ୍ଧିତ ଖବର