ନୂଆଦିଲ୍ଲୀ : ଏୟାରଲାଇନ୍ସ କମ୍ପାନି ଗୋଏୟାର ଏପ୍ରିଲ ୧୫, ୨୦୨୦ରୁ ଘରୋଇ ବିମାନ ଉଡାଣ ପାଇଁ ବୁକିଂ ଆରମ୍ଭ କରିବ ବୋଲି ଘୋଷଣା କରିଛି | ଏପ୍ରିଲ୍ ୧୪ରେ ଦେଶବ୍ୟାପୀ ଲକଡାଉନ୍ ଶେଷ ହେବାକୁ ଥିବା ବେଳେ ପରଦିନଠାରୁ କମ୍ପାନି ବୁକିଂ ଆରମ୍ଭ କରିବ ବୋଲି କହିଛି। ଏଥି ସହିତ ଅନ୍ତର୍ଜାତୀୟ ବିମାନ ସେବା ପାଇଁ କମ୍ପାନି ମେ ୧, ୨୦୨୦ରୁ ବୁକିଂ ଆରମ୍ଭ କରିବ ବୋଲି ଗୋଏୟାର ମୁଖପାତ୍ର ସୂଚନା ଦେଇଛନ୍ତି।
ସୂଚନା ମୁତାବକ, କରୋନାଭାଇରସ୍ ବିସ୍ତାରକୁ ରୋକିବା ଉଦ୍ଦେଶ୍ୟରେ ମାର୍ଚ୍ଚ ୨୪ରେ ଭାରତ ସମସ୍ତ ବିମାନ ଚଳାଚଳ ସ୍ଥଗିତ ରଖିଥିଲା, ଯାହା ପରେ ମାର୍ଚ୍ଚ ୨୭ରେ ଏପ୍ରିଲ ୧୪ପର୍ଯ୍ୟନ୍ତ ଲକଡାଉନ ଘୋଷଣା କରାଯାଇଥିଲା। ସାମାଜିକ ଦୂରତା ବଜାୟ ରଖିବା ତଥା ମାରାତ୍ମକ ଭୂତାଣୁର ବିସ୍ତାରକୁ ରୋକିବା ପାଇଁ ଏକ ସତର୍କତାମୂଳକ ପଦକ୍ଷେପ ଭାବରେ ଏପ୍ରିଲ ୧୪ପର୍ଯ୍ୟନ୍ତ ଲକଡାଉନ ଘୋଷଣା କରାଯାଇଥିଲା। ତେବେ ଲକଡାଉନ୍ ଅବଧି ଶେଷ ହେବା ପରେ ବିମାନ ଉଡ଼ାଣ ଆରମ୍ଭ କରିବାକୁ ନେଇ କେନ୍ଦ୍ର ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଘୋଷଣା କରାଯାଇନାହିଁ | କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହାରଦୀପ ସିଂ ପୁରୀ ଏପ୍ରିଲ ୨ରେ କହିଥିଲେ ଯେ, ଲକଡାଉନ୍ ପରେ ବିମାନ ଚଳାଚଳ ପୁଣି ଆରମ୍ଭ କରିବା ଉପରେ ନିଷ୍ପତ୍ତି ନିଆଯିବା ବାକି ଅଛି ଏବଂ ଯଦି ଆବଶ୍ୟକ ହୁଏ, ପରିସ୍ଥିତିକୁ 'କେସ୍-ଟୁ-କେସ୍' ଆଧାରରେ ମୂଲ୍ୟାଙ୍କନ କରାଯିବ |