ଗୋଆ, ମଣିପୁର ଫର୍ମୁଲା ଏବେ ବିଜେପିକୁ ଅଡ଼ୁଆ

ବେଙ୍ଗାଲୁରୁ: କର୍ଣ୍ଣାଟକରେ କ୍ଷମତା ହାସଲ ପାଇଁ ବିଜେପି ସମସ୍ତ ପ୍ରକାର ପ୍ରଚେଷ୍ଟା ଜାରି ରଖିଛି। ତେବେ ଗୋଆ,ମଣିପୁର ଓ ମେଘାଳୟରେ ବିଜେପି ଯେଉଁ କୌଶଳରେ ଶାସନ କ୍ଷମତା କଂଗ୍ରେସ ହାତରୁ ଛଡ଼ାଇ ନେଇଥିଲା କଂଗ୍ରେସ ମଧ୍ୟ ଅନୁରୂପ ଧାରାରେ ବିଜେପି ହାତକୁ ଶାସନ କ୍ଷମତା ନଦେବାକୁ ଯୋଜନା କରିଛି। ୨୦୧୭ ମସିହାରେ ହୋଇଥିବା ଗୋଆ ନିର୍ବାଚନରେ କଂଗ୍ରେସ ସର୍ବାଧିକ ୧୭ଟି ଆସନ ପାଇଥିବା ବେଳେ ୧୩ଟି ଆସନ ପାଇଥିବା ବିଜେପି ଆଞ୍ଚଳିକ ଦଳଙ୍କ ସମର୍ଥନରେ ସରକାର ଗଢ଼ିଥିଲା। ଗତବର୍ଷ ହିଁ ୬୦ ଆସନ ବିଶିଷ୍ଟ ମଣିପୁରରେ ହୋଇଥିବା ବିଧାନସଭା ନିର୍ବାଚନରେ କଂଗ୍ରେସ ୨୮ଟି ଆସନ ଦଖଲ କରିଥିବା ବେଳେ ସରକାର ଗଢିବାକୁ ଆଉ ମାତ୍ର ୩ଟି ଆସନ ଦରକାର ଥିଲା।

କିନ୍ତୁ କଂଗ୍ରେସକୁ ପଛରେ ପକାଇ ୨୧ଟି ଆସନ ପାଇଥିବା ବିଜେପି ଆଞ୍ଚଳିକ ଦଳଙ୍କ ସମର୍ଥନରେ ସରକାର ଗଢ଼ିଥିଲା। ଚଳିତବର୍ଷ ହୋଇଥିବା ମେଘାଳୟ ନିର୍ବାଚନରେ କଂଗ୍ରେସ ୨୧ଟି ଆସନ ଦଖଲ କରିଥିଲା ବେଳେ ବିଜେପି ମାତ୍ର ୨ଟି ଆସନରେ ଜିତିଥିଲା। କିନ୍ତୁ କଂଗ୍ରେସକୁ ସରକାର ଗଢ଼ିବା ପାଇଁ ସୁଯୋଗ ନଦେବା ପାଇଁ ଏନ୍‌ପିପି ସହ ହାତ ମିଶାଇ ବିଜେପି ସରକାର ଗଢ଼ିବା ନିଷ୍ପତ୍ତି ନେଇଥିଲା। ତେଣୁ ଆଜିର ଭୋଟ ଗଣତି ହେବା ସମୟରୁ ହିଁ କଂଗ୍ରେସ ଆଗୁଆ ସତର୍କ ରହି ବିଜେପିକୁ ତା’ର ନିଜ କୌଶଳରେ ହିଁ ଅଟକାଇବାକୁ ପ୍ରୟାସ ଆରମ୍ଭ କରିଥିଲା।

ସମ୍ବନ୍ଧିତ ଖବର