ଭୋପାଳ: ଗୋଟାଏ ଛେଳିର ମାଲିକାନା ନେଇ ମଧ୍ୟପ୍ରଦେଶର ରେୱା ଜିଲ୍ଲାରେ ସଞ୍ଜୟ ଖାନ୍‌ ଓ ଶାହାରୁଖ୍‌ ଖାଁଙ୍କ ମଧ୍ୟରେ ଝଗଡ଼ା ହେବାରୁ ‘ବକ୍‌ରିଦ୍‌’ରେ କଟା ହେବାକୁ ଆସିଥିବା ବିଚରା ଛେଳିଟି ବଞ୍ଚିଯାଇଥିବା କଥା ପୁଲିସ କହିଛି।

Advertisment

ପ୍ରାପ୍ତ ସୂଚନା ଅନୁସାରେ, ‘ବକ୍‌ରିଦ୍‌’ର ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍‌ ଜୁନ୍‌ ୨୮ ତାରିଖ ଦିନ ଉପରୋକ୍ତ ଦୁଇ ବ୍ୟକ୍ତି ‌ସେ ଛେଳିର ମାଲିକ ବୋଲି ଦାବି କରିବାରୁ ଝଗଡ଼ାର ସୂତ୍ରପାତ ହୋଇଥିଲା। ଶେଷରେ ଦୁହେଁ ‌ଛେଳିକୁ ଧରି ସିଭିଲ୍‌ ଲାଇନ୍‌ ଥାନାରେ ହାଜର ହୋଇଥିଲେ। କିନ୍ତୁ, ସେଦିନ ଝଗଡ଼ା ନ ମେଣ୍ଟିବାରୁ  ଛେଳିଟିକୁ ରାତି ସାରା ଥାନାରେ ରହିବାକୁ ପଡ଼ିଥିଲା।

ପୁଲିସ କହିବା ଅନୁସାରେ, ସମ୍ପ୍ରତି ସେ ଛେଳି ତଦନ୍ତର ଅଂଶବିଶେଷ ପାଲଟିଯାଇଛି। କାରଣ, ସଞ୍ଜୟ ଖାନ୍‌ କହୁଛନ୍ତି କି, ସେ ଉକ୍ତ ଛେଳିଟିକୁ ପାଳିଥିଲେ। କିନ୍ତୁ ଗତ ୬ ମାସ ହେବ ସେ ହଜିଯାଇଥିଲା।  ଶାହାରୁଖ୍‌ ଖାନ୍‌ ମଧ୍ୟ କହୁଛନ୍ତି ଯେ, ଛେଳିଟି ତାଙ୍କର।  ସେ ୧୫,୦୦୦ ଟଙ୍କା ଦେଇ ତାହାକୁ ଖରିଦ କରିଛନ୍ତି।

ଦୁହେଁ ଛେଳିର ମାଲିକାନା ଦାବି କରୁଥିବାରୁ ଆମେ ସେମାନଙ୍କୁ ପ୍ରମାଣ ଆଣିବାକୁ କହି ଛେଳିଟିକୁ ଥାନାରେ ରଖିଲୁ ବୋଲି ସିଭିଲ୍‌ ଲାଇନ୍‌ ଥାନା ଭାରପ୍ରାପ୍ତ ଅଧିକାରୀ ହରେନ୍ଦ୍ରନାଥ ଶର୍ମା ଗଣମାଧ୍ୟମକୁ କହିଛନ୍ତି।

publive-image Image Courtesy of The Times of India

ପରଦିନ ଦୁହେଁ ଛେଳିର ଫଟୋ ନେଇ ପହଞ୍ଚିଲେ। ଏକା ଭଳି ଦିଶୁଥିବା ଉଭୟ ଫଟୋରେ ଥିବା ଛେଳିଟି ମଧ୍ୟ ଥାନାରେ ଅଟକ ଥିବା ଛେଳି ସହିତ ମିଶିଯାଉଥିଲା। ବିବାଦ ସମାଧାନ ନ ହୋଇ ଆହୁରି ତେଜିଲା। ପୁଣି, ଛେଳିଟିକୁ ଥାନାରେ ରଖିବା ସମ୍ଭବପର ନୁହେଁ। ତେଣୁ, ବିବାଦର ସମାଧାନ ହେବା ପର୍ଯ୍ୟନ୍ତ ଆମେ ଛେଳିକୁ ଜଣେ ତୃତୀୟ ବ୍ୟକ୍ତିଙ୍କ ଜିମାରେ ଦେବାକୁ ସ୍ଥିର କଲୁ ବୋଲି ସେ କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ପରେ ଉଭୟ ଦାବିଦାର ବାସ କରୁଥିବା ଅଞ୍ଚଳର କର୍ପୋରେଟର୍‌ଙ୍କୁ ଡକାଇଲୁ। ଦୁଇ ଦାବିଦାର ପାରସ୍ପରିକ ବୁଝାମଣା କରି ଠିକ୍‌ ଯେ, ମାମଲା ସମାଧାନ ହେବା ପର୍ଯ୍ୟନ୍ତ ଛେଳି ସଞ୍ଜୟ ଖାଁଙ୍କ ପାଖରେ ରହିବ।

ଏବେ ତଦନ୍ତର ପ୍ରଧାନ ଜିନିଷ ହେଉଛି ଛେଳି। ତେଣୁ, ଛେଳିର ଯେମିତି କିଛି କ୍ଷତି ନ ହୁଏ କିଂବା ତାକୁ ହତ୍ୟା କରା ନ ଯାଏ, ସେଥିପ୍ରତି ସାବଧାନ ରହିବାକୁ ଆମେ ସେମାନଙ୍କୁ ସତର୍କ କରାଇ ଦେଇଛୁ।