କୋର୍ଟ ଦ୍ବାରା ଈଶ୍ବରଙ୍କୁ ତଲବ କରାଯାଇପାରିବ ନାହିଁ: ମାଡ୍ରାସ ହାଇକୋର୍ଟ

ଚେନ୍ନାଇ: ଗୁରୁବାର ମାଡ୍ରାସ ହାଇକୋର୍ଟ ତଳ କୋର୍ଟର ଏକ ଆଦେଶକୁ ଖାରଜ କରିଦେଇଛନ୍ତି, ଯିଏ ତାମିଲନାଡ଼ୁ ତିରୁପ୍ପୁର ଜିଲ୍ଲାର ଏକ ମନ୍ଦିର କର୍ତ୍ତୃପକ୍ଷଙ୍କୁ ମନ୍ଦିରର ମୁଖ୍ୟ ପ୍ରତିମାଙ୍କୁ ଯାଞ୍ଚ ପାଇଁ କୋର୍ଟରେ ହାଜର କରାଇବାକୁ ଆଦେଶ ଦେଇଥିଲେ। ସୂଚନାଯୋଗ୍ୟ ଯେ, କୁମ୍ବକୋଣମ୍‌ସ୍ଥିତ ଏକ ସ୍ଥାନୀୟ କୋର୍ଟ ଏକ ମାମଲାର ଶୁଣାଣି କରୁଥିଲେ, ଯେଉଁଥିରେ ସିବିରିପାଲାୟାମ୍ ସ୍ଥିତ ପରମଶିବନ୍ ସ୍ବାମୀ ମନ୍ଦିରରେ ମୂଳାୱାର (ମୁଖ୍ୟ ଦେବତା)ଙ୍କ ମୂର୍ତ୍ତି ଚୋରି ହୋଇଥିଲା, ତାଙ୍କୁ ଠାବ କରାଯାଇ ଆସ୍ଥାନରେ ପୁନଃପ୍ରତିଷ୍ଠା କରାଯାଇଥିଲା। କୋର୍ଟ ଉକ୍ତ ମୂର୍ତ୍ତିକୁ ଯାଞ୍ଚ ପାଇଁ କୋର୍ଟରେ ହାଜର କରାଇବାକୁ ଆଦେଶ ଦେବା ପରେ ମନ୍ଦିର କର୍ତ୍ତୃପକ୍ଷ ଏହା ବିରୋଧରେ ହାଇକୋର୍ଟରେ ଅପିଲ କରିଥିଲେ। ଗୁରୁବାର ମାଡ୍ରାସ ହାଇକୋର୍ଟର ଜଷ୍ଟିସ୍ ଆର୍ ସୁରେଶ କୁମାର ଉକ୍ତ ମାମଲାର ଶୁଣାଣି କରି କହିଥିଲେ ଯେ, କୌଣସି ଦେବତାଙ୍କ ମୂର୍ତ୍ତିକୁ ମନ୍ଦିରରୁ କାଢ଼ି କୋର୍ଟରେ ଉପସ୍ଥିତ କରାଯାଇପାରିବ ନାହିଁ, କାରଣ ଭକ୍ତଙ୍କ ଦୃଷ୍ଟିରେ ସେ ହେଉଛନ୍ତି ଭଗବାନ୍। ଭଗବାନଙ୍କୁ ଯାଞ୍ଚ ପାଇଁ କୋର୍ଟ ଦ୍ବାରା ତଲବ କରାଯାଇପାରିବ ନାହିଁ। କାରଣ ଠାକୁରଙ୍କ ମୂର୍ତ୍ତି ଏକ ଆପରାଧିକ ମାମଲାର ବସ୍ତୁ ନୁହନ୍ତି। ତା’ ବଦଳରେ ଜଣେ ଆଡ୍‌ଭୋକେଟ୍ କମିସନରଙ୍କୁ ଭକ୍ତମାନଙ୍କ ଭାବନାକୁ ଆଘାତ ନ ଦେଇ ମୂର୍ତ୍ତି ଯାଞ୍ଚ କରିବା ପାଇଁ ନିୟୋଜିତ କରାଯାଇପାରେ।

ସମ୍ବନ୍ଧିତ ଖବର