ଲକ୍ଷ୍ନୌ: ପ୍ରଥମେ ପୁରୁଷ ଜନ୍ମ ନେଇଥିଲେ ନା ମହିଳା। ଏହାର ଉତ୍ତର ଦେଇ ଏବେ ଚର୍ଚ୍ଚାରେ ମୈନପୁରୀର ସମାଜବାଦୀ ପାର୍ଟି ସାଂସଦ ଡିମ୍ପଲ ଯାଦବ। ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ସେ ଏହାର ଉତ୍ତର ଦେଇଥିଲେ। ସେ କହିଥିଲେ ଯେ, ଯଦି ଆଲୋଚନା ହେବ ଯେ, ପୁରୁଷମାନେ ପ୍ରଥମେ ଆସିଲେ ନା ମହିଳା, ତେବେ ମୁଁ ବିଶ୍ୱାସ କରୁଛି ଯେ ଭଗବାନ ନିଶ୍ଚିତ ଭାବରେ ପୁରୁଷମାନଙ୍କୁ ପ୍ରଥମେ ସୃଷ୍ଟି କରିଛନ୍ତି। କାରଣ ଯେତେବେଳେ କେହି ପ୍ରଥମ ଥର ପାଇଁ କିଛି ସୃଷ୍ଟି କରନ୍ତି ସେତେବେଳେ କିଛି ଭୁଲ ହୋଇଥାଏ। ଦ୍ୱିତୀୟରେ ପରମେଶ୍ୱର ମହିଳାମାନଙ୍କୁ ସୃଷ୍ଟି କରିଥିବେ।

Advertisment

ଲକ୍ଷ୍ନୌରେ ଆୟୋଜିତ ମହିଳା ସମ୍ମାନ ସମାରୋହରେ ମହିଳାମାନଙ୍କର ବହୁମୁଖୀ ଭୂମିକା ଉପରେ ଗୁରୁତ୍ୱାରୋପ କରି ଡିମ୍ପଲ ଯାଦବ କହିଥିଲେ ଯେ, "ମହିଳାମାନେ ଗୋଟିଏ ପରିବାରରେ ଜନ୍ମଗ୍ରହଣ କରନ୍ତି ଏବଂ ତା’ପରେ ଅନ୍ୟ ପରିବାରକୁ ଯାଇ ସେ ପରିବାରର ଯତ୍ନ ନିଅନ୍ତି। ଯଦି ସେମାନେ ବୃତ୍ତିଗତ ଜୀବନରେ ପ୍ରବେଶ କରନ୍ତି, ତେବେ ସେମାନେ କେବଳ ନିଜ ପରିବାରର ଯତ୍ନ ନିଅନ୍ତି ନାହିଁ ବରଂ ନିଜ ସ୍ୱପ୍ନକୁ ସାକାର ମଧ୍ୟ କରନ୍ତି। ସମାଜରେ ମହିଳାଙ୍କ ପାଇଁ ସମାନତା ବିଷୟରେ ବହୁତ ଆଲୋଚନା ହେଉଛି, କିନ୍ତୁ ବାସ୍ତବରେ କୌଣସି ସମାନତା ନାହିଁ। ପୁରୁଷମାନଙ୍କ ସ୍ୱପ୍ନକୁ ଅଧିକ ଗୁରୁତ୍ୱ ଦିଆଗଲେ ମଧ୍ୟ, ମହିଳାଙ୍କ ସ୍ୱପ୍ନକୁ ସେତେ ଗୁରୁତ୍ୱ ଦିଆଯାଏ ନାହିଁ। ମହିଳା ଜଣକ କେଉଁ ପରିବାରର ହୁଅନ୍ତୁ ନା କାହିଁକି, ତାଙ୍କୁ ସବୁବେଳେ କୌଣସି ନା କୌଣସି ସ୍ଥାନରେ ଅପେକ୍ଷା କରିବାକୁ ପଡିଥାଏ।"