ଗୁଆହାଟି: ଆସାମର କୋକ୍ରାଝର ଜିଲ୍ଲାର ବାସିନ୍ଦା ରାମପ୍ରସାଦ ନାର୍ଜରୀ ମଙ୍ଗଳବାର ଉତ୍ତରକାଶୀର ସିଲ୍କିୟାରା ସୁଡ଼ଙ୍ଗ (ଟନେଲ)ରୁ ଉଦ୍ଧାର ହୋଇଥିବା ୪୧ଜଣ ଶ୍ରମିକଙ୍କ ମଧ୍ୟରୁ ଜଣେ । ସୁଡ଼ଙ୍ଗ ମଧ୍ୟରେ ୧୭ଦିନରୁ ଅଧିକ ସମୟ ଫସି ରହିବା ପରେ ତାଙ୍କୁ ସୁଡ଼ଙ୍ଗରୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବାରୁ ତାଙ୍କ ପରିବାର ଖୁସି ଅଛନ୍ତି।
ରାମପ୍ରସାଦ ସୁଡ଼ଙ୍ଗରୁ ସୁରକ୍ଷିତ ଭାବେ ଉଦ୍ଧାର ହେବାପରେ ତାଙ୍କ ଭାଇ ଶାନ୍ ନାର୍ଜରୀ ଭାବବିହ୍ଵଳ ହୋଇ ଗଣମାଧ୍ୟମକୁ କହିଛନ୍ତି, ‘‘ଭଗବାନ ତାଙ୍କୁ ଦ୍ୱିତୀୟ ଜୀବନ ଦେଇଛନ୍ତି। ଯେଉଁଦିନ ସେ ସୁଡ଼ଙ୍ଗ ଭିତରେ ଫସି ଯାଇଥିବା ଜାଣିବାକୁ ପାଇଲୁ, ଆମେ କିଛି ଖାଇ ପାରି ନଥିଲୁ। ଆମେ ସବୁବେଳେ ଟେନସନରେ ଥିଲୁ ଏବଂ ପ୍ରତି ସେକେଣ୍ଡରେ ଭଗବାନଙ୍କୁ ପ୍ରାର୍ଥନା କରୁଥିଲୁ, ଯେପରି ସେମାନେ ସମସ୍ତେ ସୁରକ୍ଷିତ ଭାବେ ବାହାରକୁ ଆସିଯାଆନ୍ତୁ।’’
ତାଙ୍କ ବାପା ରୁପେନ ନାର୍ଜରୀ ଏବଂ ପତ୍ନୀ ସୁମିତ୍ରା ନାର୍ଜରୀ କହିଛନ୍ତି ଯେ ରାମପ୍ରସାଦଙ୍କୁ ସୁଡ଼ଙ୍ଗରୁ ବାହାରକୁ ଆସୁଥିବା ଦେଖି ସେମାନେ ବହୁତ ଖୁସି ହୋଇଥିଲେ। ଉତ୍ତରାଖଣ୍ଡର ଉଦ୍ଧାରକର୍ତ୍ତାମାନେ ସୁରକ୍ଷିତ ଭାବେ ମୋ ପୁଅକୁ ବାହାର କରିବା ସହ ତାଙ୍କୁ ଫୁଲମାଳ ଦେଇ ସ୍ୱାଗତ କରିଥିଲେ। ସେତେବେଳେ ମୁଁ ବହୁତ ଖୁସି ଥିଲି ବୋଲି ରୁପେନ କହିଛନ୍ତି।
ସୁମିତ୍ରା କହିଛନ୍ତି, ମୋ ସ୍ୱାମୀ ସୁରକ୍ଷିତ ଭାବେ ବାହାରକୁ ଆସିବା ପରେ ମୁଁ ବହୁତ ଖୁସି। ଆମେ ଏବେ ବହୁତ ଆଶ୍ୱସ୍ତିରେ ଅଛୁ। ରୁପେନ ଆହୁରି ମଧ୍ୟ କହିଛନ୍ତି ଯେ ନଭେମ୍ବର ୧୨ ତାରିଖରୁ ସୁଡ଼ଙ୍ଗ ଭିତରେ ଫସି ରହିଥିବା ରାମପ୍ରସାଦ ଏବଂ ଅନ୍ୟ ୪୦ ଜଣଙ୍କ ପାଇଁ ତାଙ୍କ ପରିବାର ଅହରହ ପ୍ରାର୍ଥନା କରୁଥିଲେ।
ଆସାମର କୋକ୍ରାଝରର ରାମଫାଲବିଲ ଗାଁର ୪୦ ବର୍ଷୀୟ ରାମପ୍ରସାଦ ନାର୍ଜରୀ। ସେ ବୋଡୋ ସମ୍ପ୍ରଦାୟର ଏବଂ ଚଳିତ ବର୍ଷ ମେ ୨୧ ତାରିଖରେ ଉତ୍ତରାଖଣ୍ଡ ଯାଇଥିଲେ। ଉତ୍ତରାଖଣ୍ଡରେ ନାର୍ଜରୀ ମାସକୁ ପ୍ରାୟ ୧୮,୦୦୦ ଟଙ୍କା ରୋଜଗାର କରନ୍ତି।
ମୋ ପୁଅ ଏତେ ଦିନ ଧରି ସୁଡ଼ଙ୍ଗରେ ଫସି ରହିଥିଲା। କିନ୍ତୁ ରେକର୍ଡ ହୋଇଥିବା ତା’ର ଭଏସ୍ ମେସେଜ୍ ଶୁଣିବା ପରେ ଆମେ ଆଶ୍ୱସ୍ତ ହୋଇଥିଲୁ। ସେ ଆମକୁ କହିଥିଲା ଯେ ସେ ଭିତରେ ସୁରକ୍ଷିତ ଅଛି ଏବଂ ଆମକୁ ବ୍ୟସ୍ତ ନହବାକୁ କହିଥିଲା। ଉତ୍ତରାଖଣ୍ଡର ଶ୍ରମିକମାନେ ଆମ ପୁଅର ସ୍ୱର ଶୁଣାଇବାରେ ଆମ ମନୋବଳ ଦୃଢ଼ କରିଥିଲେ ବୋଲି ରୁପେନ କହିଛନ୍ତି।
ମୁଁ ସର୍ବଦା ଭଗବାନଙ୍କୁ ପ୍ରାର୍ଥନା କରୁଥିଲି, କେବଳ ମୋ ପୁଅ ପାଇଁ ନୁହେଁ, ବରଂ ସୁଡ଼ଙ୍ଗ ଭିତରେ ଫସି ରହିଥିବା ସମସ୍ତଙ୍କ ପାଇଁ।