ନୂଆଦିଲ୍ଲୀ: ଦେଶର ସର୍ବୋଚ୍ଚ ଅଦାଲତ ସୁପ୍ରିମ୍ କୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରିବା ଘଟଣା ଏବେ ସିବିଆର ପୂର୍ବତନ ନିର୍ଦ୍ଦେଶକ ଏମ୍ ନାଗେଶ୍ୱର ରାଓଙ୍କ ପାଇଁ ବେଶ ମହଙ୍ଗା ସାବ୍ୟସ୍ତ ହେବାପାଇଁ ଯାଉଛି। ସିବିଆଇର ପୂର୍ବତନ ନିର୍ଦ୍ଦେଶକ ଏମ୍ ନାଗେଶ୍ୱର ରାଓଙ୍କ ଏପ୍ରକାରର ଆଚରଣରେ ନିଜର ତୀବ୍ର ଓ ଗଭୀର ଅସନ୍ତୋଷ ବ୍ୟକ୍ତ କରି ସୁପ୍ରିମ୍ କୋର୍ଟ ତାଙ୍କର ତୀବ୍ର ଭର୍ତ୍ସନା କରିବା ସହ କହିଛନ୍ତି ଯେ ଈଶ୍ୱର ଏବେ ତୁମକୁ ସହାୟ ହୁଅନ୍ତୁ; କୋର୍ଟର ନିର୍ଦ୍ଦେଶକୁ ନେଇ କେବେ ବି ଖେଳିବାକୁ ଚେଷ୍ଟା କରନାହିଁ ବୋଲି ଚେତାବନୀ ଦେବା ସହ ତାଙ୍କ ବିରୋଧରେ ଏକ କୋର୍ଟ ଅବମାନନା ମାମଲା ଆଗତ କରି ଆସନ୍ତା ୧୨ ତାରିଖରେ କୋର୍ଟରେ ହାଜର ହେବାକୁ ସମନ୍ ଜାରି କରିଛନ୍ତି।
ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ, ସମଗ୍ର ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବିହାର ମୁଜାଫରପୁର ସେଲଟରହୋମ୍ ନାବାଳିକା ଗଣଦୁଷ୍କର୍ମ ମାମଲାରେ ସୁପ୍ରିମ୍ କୋର୍ଟ ନିଜ ଆଡ଼ୁ ହସ୍ତକ୍ଷେପ କରିବା ସହ ଏହି ମାମଲାର ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ। ସୁପ୍ରିମ୍ କୋର୍ଟଙ୍କ ଅନୁମୋଦନ କ୍ରମେ ସିବିଆଇ ଅଧିକାରୀ ଏ କେ ଶର୍ମା ଏହି ମାମଲାର ତଦନ୍ତ ଭାର ଗ୍ରହଣ କରିଥିଲେ ଏବଂ ତଦନ୍ତର ଅଗ୍ରଗତି ସଂପର୍କରେ ସୁପ୍ରିମ୍ କୋର୍ଟଙ୍କୁ ନିୟମିତ ବ୍ୟବଧାନରେ ନିଜର ରିପୋର୍ଟ ଦେଇ ଆସୁଥିଲେ।
/sambad/media/post_attachments/wp-content/uploads/2019/02/AA2-300x200.jpg)
ତେବେ, ଏମ୍ ନାଗେଶ୍ୱର ରାଓ ଯେତେବେଳେ ସିବିଆଇର ଅନ୍ତରୀଣ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ନେଲେ ସେତେବେଳେ ସେ ସୁପ୍ରିମ୍ କୋର୍ଟଙ୍କୁ ଅନ୍ଧାରରେ ରଖି ମୁଜାଫରପୁର ସେଲଟରହୋମ୍ ନାବାଳିକା ଗଣଦୁଷ୍କର୍ମ ମାମଲାର ତଦନ୍ତ ଦାୟିତ୍ୱରୁ ସିବିଆଇ ଅଧିକାରୀ ଏ କେ ଶର୍ମାଙ୍କୁ ଅପସାରଣ କରି ଆଣିବା ସହ ତାଙ୍କୁ ଅନ୍ୟତ୍ର ବଦଳି କରିଦେଲେ ଏବଂ ତାଙ୍କ ସ୍ଥାନରେ ଅନ୍ୟ ଜଣେ ଅଧିକାରୀଙ୍କୁ ଏହି ମାମଲାର ତଦନ୍ତ ଦାୟିତ୍ୱ ଦେଲେ।
/sambad/media/post_attachments/wp-content/uploads/2019/02/AA1-300x213.jpg)
ତେବେ, ସୁପ୍ରମ୍ କୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ରଂଜନ ଗୋଗେଇ ଆଜି ଯେତେବେଳେ ଏହି ଘଟଣା ସଂପର୍କରେ ଜାଣିବାକୁ ପାଇଲେ, ସେତେବେଳେ ସେ ରାଗି ପାଚି ଲାଲ ହୋଇଗଲେ। କୋର୍ଟ ରୁମ୍ରେ ଉପସ୍ଥିତ ଥିବା ସିବିଆଇ ଓକିଲଙ୍କୁ ପ୍ରଧାନ ବିଚାରପତି ଜଷ୍ଟିସ୍ ଗୋଗେଇ କହିଲେ,‘ବହୁତ ହୋଇଗଲା। ଏ ଘଟଣାକୁ ଆମେ ଅତ୍ୟନ୍ତ ଗମ୍ଭୀରତାର ସହ ଗ୍ରହଣ କରୁଛୁ। ଦେଶର ସର୍ବୋଚ୍ଚ ଅଦାଲତ ସୁପ୍ରିମ୍ କୋର୍ଟର ନିର୍ଦ୍ଦେଶ ସହ ତୁମେ ଖେଳିଛ। ଈଶ୍ୱର ତୁମର ସହାୟ ହୁଅନ୍ତୁୁ,’ ବୋଲି କହିବା ସହ ସିବିଆଇର ପୂର୍ବତନ ନିର୍ଦ୍ଦେଶକ ଏମ୍ ନାଗେଶ୍ୱର ରାଓଙ୍କ ବିରୋଧରେ ଏକ କୋର୍ଟ ଅବମାନନା ମାମଲା ଆଗତ କରି ଆସନ୍ତା ୧୨ ତାରିଖରେ କୋର୍ଟରେ ହାଜର ହେବାକୁ ସମନ୍ ଜାରି କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/02/AA.jpg)