ଟିକସ ଫାଙ୍କୁଥିବା ଲୋକଙ୍କୁ ଭଗବାନ ଧରିବେ: ଆଇ-ଟି ଅଧିକାରୀ

ପୁଣେ: ଟିକସ୍‌ ଫାଙ୍କୁଥିବା ଲୋକେ ଆଇନ୍‌ କବଳରୁ ଖସି ଗଲେ ବି ଭଗବାନଙ୍କ ପାଖରେ ଧରା ପଡ଼ିବେ। ବୁଧବାର ଦିନ ଏ କଥା କହିଛନ୍ତି ପୁଣେ ରିଜନ୍‌ର ପ୍ରିନ୍‌ସିପାଲ୍‌ ଇନ୍‌କମ୍‌ ଟ୍ୟାକ୍ସ୍‍ କମିସନର୍‌ ଏ ସି ଶୁକ୍ଳ।

ଯିଏ କେହି ଆୟକର ଫାଙ୍କୁ ଥାଆନ୍ତୁ। ଆୟକର ବିଭାଗ ଧରି ନ ପାରିଲେ ମଧ୍ୟ ଭଗବାନ ତାଙ୍କୁ ନିଶ୍ଚୟ ଧରିବେ। ଯଦି ଲୋକେ ଏ କଥା ବୁଝୁଥାଆନ୍ତି ସେମାନେ କେବେ ଟିକସ ଫାଙ୍କିବେ ନାହିଁ।

ଚାଟାର୍ଡ ଆକାଉଣ୍ଟାଣ୍ଟ୍‌ସ୍‌ ଇନ୍‌ଷ୍ଟିଚ୍ୟୁଟ୍‌ର ସଦସ୍ୟମାନଙ୍କୁ ଭାଷଣ ଦେଇ ଏକଥା କହିଛନ୍ତି ଶୁକ୍ଳ। ତା’ସହ ସେଠାରେ ୨୭ ମିନିଟ୍‌ ଧରି ଚାଲିଥିବା ଏକ ଯୋଗ ଶିବିରରେ ମଧ୍ୟ ଶୁକ୍ଳ ଉପସ୍ଥିତ ଥିଲେ। ନିଜର ମତ ସାବ୍ୟସ୍ତ କରିବାକୁ ସେ ସବୁବେଳେ ଆଧ୍ୟାତ୍ମିକ କଥା ଉପସ୍ଥାପନ କରନ୍ତି।

ଟିକସ୍‌ ଉପରେ ବହୁତ ଆଇନ୍‌ ଥିବାରୁ ଚାଟାର୍ଡ ଆକାଉଣ୍ଟାଣ୍ଟମାନଙ୍କର ବ୍ୟବସାୟ ଭଲ ଚାଲିଛି। ସେମାନେ ରାଜସ୍ୱ ବିଭାଗ ନିକଟରେ କୃତଜ୍ଞ ତଥା ଋଣୀ ବୋଲି ମନେ କରିବା ଉଚିତ। ଟ୍ୟାକ୍ସ ବେସ୍‌କୁ ବଢ଼ାଇବା ନିମନ୍ତେ ସେମାନେ ରାଜସ୍ୱ ବିଭାଗ ପାଇଁ କିଛି କରିବା ଆବଶ୍ୟକ। କଥା ସ୍ପଷ୍ଟ କରି ସେ କହିଥିଲେ, ଟିକସ ଦାତାମାନେ ଟିକସ ଅଧିକାରୀ କଥା ନ ମାନି ଚାଟାର୍ଡ ଆକାଉଣ୍ଟ୍‌ଙ୍କ କଥା ମାନନ୍ତି।

ଟିକସ ଆଦାୟ ଅର୍ଥ ଗରିବ ଲୋକଙ୍କ ଉପକାରରେ ଲାଗୁଛି ବୋଲି ବୁଝି ପାରିଲେ କେହି ଟିକସ ଫାଙ୍କନ୍ତେ ନାହିଁ। ଏ ବର୍ଷ ପୁଣେ ରିଜନ୍‌ରେ ପ୍ରତ୍ୟକ୍ଷ କର ୨୬%କୁ ବଢ଼ି ଯାଇଛି ବୋଲି ଶୁକ୍ଳ କହିଛନ୍ତି।

ସମ୍ବନ୍ଧିତ ଖବର