ଗୋଧ୍ରା ଟ୍ରେନ୍‌ପୋଡ଼ି ମାମଲା: ୧୧ ଦୋଷୀଙ୍କ ଫାଶୀ ଦଣ୍ଡାଦେଶକୁ ଯାବଜ୍ଜୀବନ କାରାଦଣ୍ଡ କଲେ ହାଇକୋର୍ଟ

ନୂଆଦିଲ୍ଲୀ: ସୋମାବାର ଦିନ ଗୋଧ୍ରା ସାବରମତୀ ଏକ୍ସପ୍ରେସ୍‌ କୋଚ୍‌ ପୋଡ଼ି ମାମଲାରେ ପ୍ରଦତ୍ତ ରାୟକୁ ଗୁଜୁରାଟ ଉଚ୍ଚ ନ୍ୟାୟାଳୟ କାଏମ୍‌ ରଖିଛନ୍ତି। କିନ୍ତୁ, ଉଚ୍ଚ ନ୍ୟାୟାଳୟ ମୃତ୍ୟୁ ଦଣ୍ଡାଦେଶ ପାଇଥିବା ୧୧ ଜଣ ଦୋଷୀଙ୍କୁ ଟିକେ ଆଶ୍ୱସ୍ତି ପ୍ରଦାନ କରିଛନ୍ତି।

୧୧ ଜଣ ଦୋଷୀଙ୍କୁ ଦିଆ ଯାଇଥିବା ମୃତ୍ୟୁ ଦଣ୍ଡାଦେଶକୁ ଉଚ୍ଚ ନ୍ୟାୟାଳୟ ଯାବଜ୍ଜୀବନ କରାଦଣ୍ଡରେ ପରିବର୍ତ୍ତନ କରାଇଛନ୍ତି। ସାବରମତୀ ଏକ୍ସ୍‍ପ୍ରେସ୍‌ ପୋଡ଼ି ମାମଲାରେ ଦୋଷମୁକ୍ତ ହୋଇଥିବା ୬୩ ଜଣଙ୍କ ବିରୋଧରେ ଗୁଜୁରାଟ ସରକାର କରିଥିବା ଆବେଦନକୁ ମଧ୍ୟ ଉଚ୍ଚ ନ୍ୟାୟାଳୟ ଖାରଜ କରି ଦେଇଛନ୍ତି।

ସାବରମତୀ ଏକ୍ସପ୍ରେସ୍‌ର ଏସ୍‌୬ କୋଚ୍‌ ପୋଡ଼ି ମାମଲାରେ ଦାଖଲ କରାଯାଇଥିବା ମାଳେ ଆବେଦନ ପତ୍ର ନିମ୍ନ କୋର୍ଟର ରାୟ ଏବଂ ଦୋଷମୁକ୍ତମାନଙ୍କୁ ଚାଲେଞ୍ଜ୍‌ କରୁଥିଲା।

ଗୋଧ୍ରା ପୋଡ଼ି ମାମଲାରେ ୧୧ ଜଣଙ୍କୁ ମୃତ୍ୟୁ ଦଣ୍ଡାଦେଶ, ୨୦ ଜଣକୁ ଆଜୀବନ କାରାବାସ ଏବଂ ଅନ୍ୟ ୬୩ ଜଣଙ୍କୁ ଦୋଷମୁକ୍ତ କରାଯାଇଥିଲା।
ଗୁଜୁରାଟର ଇତିହାସକୁ ଚିରଦିନ ଲାଗି ବଦଳାଇ ଦେବାକୁ ଥିବା ୨୦୦୨ ମସିହାର ଫେବ୍ରୁଆରି ୨୨ ତାରିଖ ଦିନ ସାବରମତି ଏକ୍ସପ୍ରେସ୍‌ର ଏସ୍‌-୬ କୋଚ୍‌ରେ ନିଅାଁ ଲାଗିବାରୁ ସେଥିରେ ଥିବା ୫୯ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଥିଲା। ସେମାନଙ୍କ ମଧ୍ୟରୁ ଅଧିକାଂଶ ଥିଲେ ଅଯୋଧ୍ୟାରୁ ଫେରୁଥିବା ‘କର ସେବକ’।

ପୋଡ଼ା ଘଟଣା ପରେ, ଏ ସଂକ୍ରାନ୍ତ ଗୁଜବ ଉଠିଲା ଯେ କର ସେବକମାନଙ୍କୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର ହୋଇଛି। ଫଳତଃ, ରାଜ୍ୟରେ ଭୟଙ୍କର ଦଙ୍ଗା ବ୍ୟାପୀ ଥିଲା। ସରକାରୀ ଆକଳନ ଅନୁସାରେ, ପାଖାପାଖି ୧ ୦୦୦ ଲୋକ ମରିଥିବା ଏହି ଦଙ୍ଗାରେ ଅଧିକାଂଶ ଥିଲେ ମୁସଲମାନ ସମ୍ପ୍ରଦାୟର।

ସ୍ପେସାଲ୍‌ ଇନ୍‌ଭେଷ୍ଟିଗେସନ୍‌ ଟିମ୍‌ (ଏସ୍‌ଆଇଟି) ଗୋଧ୍ରା ପୋଡ଼ି ମାମଲାର ତଦନ୍ତ କରିଥିଲା ଏବଂ ସ୍ୱତନ୍ତ୍ର ଅଦାଲତ ୩୧ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ସାବରମତୀ ଏକ୍ସପ୍ରେସ୍‌ର କୋଚ୍‌ ନମ୍ବର ଏସ୍‌-୬କୁ ପୋଡ଼ାଯିବାକୁ ଷଡ଼ଯନ୍ତ୍ର କରାଯାଇଛି ବୋଲି ପ୍ରୋଜେକ୍ୟୁସନ୍‌ଙ୍କ ଯୁକ୍ତିକୁ ଗ୍ରହଣ କରି ସ୍ୱତନ୍ତ୍ର ଅଦାଲତ ୬୩ ଜଣଙ୍କୁ ଦୋଷମୁକ୍ତ କରିଥିଲେ।

୩୧ ଜଣ ଦୋଷୀଙ୍କ ମଧ୍ୟରୁ ୧୧ ଜଣଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦିଆ ଯାଇଥିବାବେଳେ ବାକି ସମସ୍ତଙ୍କୁ ଆଜୀବନ କାରାବାସ ସଜ୍ଜା ଦିଆଯାଇଥିଲା। ଆଇପିସି ଧାରାରେ ଥିବା ନରହତ୍ୟା, ନରହତ୍ୟା ପାଇଁ ଉଦ୍ୟମ ଏବଂ ଅପରାଧିକ ଷଡ଼ଯନ୍ତ୍ରରେ ସମସ୍ତ ୩୧ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା।

ଉଭୟ, ଅଦାଲତ ଆଦେଶ ଏବଂ ଦୋଷମୁକ୍ତଙ୍କ ବିରୋଧରେ ଗୁଜୁରାଟ ଉଚ୍ଚ ନ୍ୟାୟାଳୟରେ ଚାଲେଞ୍ଜ କରାଯାଇଥିଲା। ପୋଡ଼ି ଯୋଗୁଁ ମୃତ୍ୟୁ ଲାଭ କରି ଥିବା ପୀଡ଼ିତମାନଙ୍କ ଜ୍ଞାତି କୁଟୁମ୍ବ ମଧ୍ୟ ଦୋଷୀମାନଙ୍କର ମୃତ୍ୟୁ ଦଣ୍ଡାଦେଶକୁ ସମର୍ଥନ କରି ଥିଲେ। ଗୁଜୁରାଟ ସରକାର ଏବଂ ଘଟଣାର ତଦନ୍ତ କରିଥିବା ସ୍ପେସାଲ୍‌ ଇନ୍‌ଭେଷ୍ଟିଗେସନ୍‌ ଟିମ୍‌ ମଧ୍ୟ ଟ୍ରାଏଲ୍‌ କୋର୍ଟରୁ ମୃତ୍ୟୁ ଦଣ୍ଡାଦେଶ ପାଇ ଥିବା ୧୧ ଜଣ ଦୋଷୀଙ୍କ ଦଣ୍ଡାଦେଶ କାଏମ ରଖିବାକୁ ଉଚ୍ଚ ନ୍ୟାୟଳୟରେ ଦାବି କରି ଥିଲେ। ୬୩ ଦୋଷମୁକ୍ତଙ୍କ ଉପରେ ପ୍ରଶ୍ନ ଉଠାଇବା ସହ ଆଜୀବନ କାରାବାସ ପାଇ ଥିବା ୨୦ ଜଣ ଲୋକଙ୍କୁ କଠୋର ଦଣ୍ଡ ଦେବା ପାଇଁ ଗୁଜୁରାଟ ସରକାର ଦୃଢ଼ ଦାବୀ ଉପସ୍ଥାପନ କରି ଥିଲେ।

ସମ୍ବନ୍ଧିତ ଖବର