ନୂଆଦିଲ୍ଲୀ : ଗୋଧ୍ରା ଟ୍ରେନ୍‌ ପୋଡ଼ି ଘଟଣାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଜଣେ ଦୋଷୀକୁ ସୁପ୍ରିମକୋର୍ଟ ଆଜି ଜାମିନ ମଂଜୁର କରିଛନ୍ତି। ଦୋଷୀ ଫାରୁକ୍‌କୁ ୧୭ ବର୍ଷ ପରେ କୋର୍ଟ ଜାମିନ ଦେଇଛନ୍ତି। ଫାରୁକ୍‌ ପଥର ମାଡ଼ କରି ଜଳନ୍ତା ଟ୍ରେନ୍‌ରୁ ଲୋକଙ୍କୁ ଓହ୍ଲାଇବାକୁ ଦେଇନଥିଲା। ଏହି ମାମଲାରେ ସେ ଦୋଷୀସାବ୍ୟସ୍ତ ହୋଇ ଆଜୀବନ ଜେଲ୍‌ଦଣ୍ଡ ଭୋଗୁଛି। ତେବେ ସିଜେଆଇ ଡି ୱାଇ ଚନ୍ଦ୍ରଚୂଡ଼ଙ୍କ ଖଣ୍ଡପୀଠ ଫାରୁକ୍‌କୁ ଜାମିନ ଦେଇଛନ୍ତି। ଫାରୁକ କେବଳ ପଥର ମାଡ଼ କରିଥିବା ଆଧାରରେ ହିଁ ଖଣ୍ଡପୀଠ ତାକୁ ଜାମିନ ଦେଇଛନ୍ତି।

Advertisment

ଅନ୍ୟପକ୍ଷେ ଗୁଜରାଟ ସରକାରଙ୍କୁ କୋର୍ଟରେ ପ୍ରତିନିଧିତ୍ବ କରୁଥିବା ସଲିସିଟର ଜେନେରାଲ ତୁଷାର ମେହଟା କହିଛନ୍ତି, ମାମଲାଟି କେବଳ ପଥର ମାଡ଼ ଘଟଣା ନୁହେଁ। ଦୋଷୀ ପଥର ମାଡ଼ କରି ଜଳନ୍ତା ଟ୍ରେନ୍‌ରୁ ଲୋକଙ୍କୁ ଓହ୍ଲାଇବାକୁ ଦେଇନଥିଲା। ସେ ଅନ୍ୟମାନଙ୍କୁ ମଧ୍ୟ ପଥର ମାଡ଼ କରିବାକୁ ଉତ୍ସାହିତ କରିଥିଲା ଏବଂ ଅନ୍ୟ ଯାତ୍ରୀମାନେ ଏଥି‌ଯୋଗୁଁ ଆହତ ହୋଇଥିଲେ। ସାଧାରଣ କ୍ଷେତ୍ର‌ରେ ପଥର ମାଡ଼ କରିବା ଭିନ୍ନ କଥା କିନ୍ତୁ ଯେଉଁ ପରିସ୍ଥିତିରେ ଫାରୁକ୍‌ ପଥର ମାଡ଼ କରିଥିଲା ତାହା ସମ୍ପୂର୍ଣ୍ଣ ଭିନ୍ନ ଏବଂ ଅତି ଭୟାନକ ବୋଲି ସଲିସିଟର ଜେନେରାଲ କହିଛନ୍ତି।