ତେଇପେଇ: ତାଇଓ୍ଵାନର ଡଉଲିୟୁ ସିଟିରେ ଥିବା ଏକ ରେସ୍ତୋରାଁ ବାହାରେ ଗ୍ରାହକମାନେ ଦୀର୍ଘ ସମୟ ଧରି ଧାଡ଼ି ବାନ୍ଧି ‘ଗଡ୍‌ଜିଲା’ ରାମେନ୍‌ ନାମକ ଏକ ଅଦ୍ଭୁତ ଖାଦ୍ୟକୁ ଖାଇବା ପାଇଁ ଭିଡ଼ ଜମାଇବା ସତ୍ତ୍ୱେ ଏହାର ସ୍ୱାଦ ଚାଖିବାକୁ ସାହସ ଜୁଟାଇ ନପାରିବା ଘଟଣା ସଂପ୍ରତି ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଅଦ୍ଭୁତ ଖାଦ୍ୟକୁ ପରଷୁ ଥିବା ତାଇଓ୍ଵାନ୍‌ର ଭୋଜନାଳୟ ୱିଚ୍‌ କ୍ୟାଟ୍‌ ରାମେନ୍‌ କହିଛି ଯେ ସେମାନଙ୍କର ଗ୍ରାହକମାନଙ୍କୁ ଏକ ନୁଡୁଲସ୍‌ ଆଉ ସୁପ୍‌ ଭର୍ତ୍ତି ପାତ୍ର ଉପରେ ଏକ କୁମ୍ଭୀର ଗୋଡ଼ ଥାଇ ପ୍ରସ୍ତୁତ ହେଉଥିବା ଏହି ସ୍ୱତନ୍ତ୍ର ଖାଦ୍ୟର ସ୍ୱାଦ ଚାଖିବାକୁ ଦିଆଯାଉଛି। ତେବେ, ‘ଗଡ୍‌ଜିଲା’ ରାମେନ୍‌ ନାମକ ଏହି ଅଦ୍ଭୁତ ଖାଦ୍ୟର ସ୍ୱାଦ ନେବାକୁ ଗ୍ରାହକମାନେ ଆଗ୍ରହ ପ୍ରକାଶ କରୁଥିଲେ ମଧ୍ୟ ଏଯାବତ୍‌ କୌଣସି ଗ୍ରାହକ ଏହାକୁ ଖାଇବାକୁ ସାହସ ଯୁଟାଇ ପାରି ନାହାନ୍ତି।

Advertisment

ତାଇୱାନ ନ୍ୟୁଜ୍‌ ଅନୁଯାୟୀ, ଆଗ୍ରହୀ ଗ୍ରାହକମାନେ ରେସ୍ତୋରାଁ ଭିତରକୁ ଯାଇ ଏହାର ଫଟୋ ଉଠାଉଛନ୍ତି। ଇଣ୍ଟରନେଟରେ ଏହାକୁ ସୋସିଆଲ ମିଡିଆ ପାଇଁ ‘ଗଡ୍‌ଜିଲା’ ରାମେନ୍‌ ନାମ ଦିଆଯାଇଛି।

ରିପୋର୍ଟରୁ ପ୍ରକାଶ, ଏହି ଖାଦ୍ୟ ସାମଗ୍ରୀର ମୂଲ୍ୟ ୧୫୦୦ ତାଇଓ୍ଵାନ୍‌ ଡଲାରରୁ ଅଧିକ ହେବ ବୋଲି କୁହାଯାଉଛି। ‘ଗଡ୍‌ଜିଲା’ ରାମେନ୍‌ ନାମକ ଏହି ଅଦ୍ଭୁତ ଖାଦ୍ୟକୁ ପ୍ରସ୍ତୁତ କରିବା ପାଇଁ ତାଇତୁଙ୍ଗର ଆକ୍ରୋକୋଡିଲ୍‌ ଫାର୍ମରୁ କୁମ୍ଭୀର ଗୋଡ ସଂଗ୍ରହ କରାଯାଏ, ଯାହାକୁ ଆଗୁଆ ଅର୍ଡର କରିବାକୁ ପଡିଥାଏ। କାରଣ ଏହି ସାମଗ୍ରୀଗୁଡିକ ଦୈନିକ କେବଳ ମାତ୍ର ଦୁଇ ପ୍ଲେଟ୍‌ ପ୍ରସ୍ତୁତି ପାଇଁ ଉପଲବ୍ଧ ହୋଇଥାଏ।

ଏହାକୁ ରାନ୍ଧିବା ପାଇଁ ଚାଳିଶରୁ ଅଧିକ ପ୍ରକାରର ପ୍ରାକୃତିକ ମସଲା ଏବଂ ତାଜା ଉପାଦାନ ବ୍ୟବହାର କରା ଯାଇଥାଏ। ହେଲେ, ଏତେ ସବୁ ପରେ ମଧ୍ୟ ଏହି ଆକର୍ଷଣୀୟ ଖାଦ୍ୟର ମଜା ନେବାକୁ କୌଣସି ଖାଦ୍ୟପ୍ରେମୀ ଏଯାବତ୍‌ ସାହସ ଜୁଟାଇ ପାରି ନାହାନ୍ତି।

ଯେଉଁମାନେ କୁମ୍ଭୀର ଖାଇବାକୁ ସାହସ କରୁ ନାହାନ୍ତି; ସେମାନଙ୍କୁ ଘୁଷୁରି, ଗୋମାଂସ ଓ ସାମୁଦ୍ରିକ ଖାଦ୍ୟ ସହିତ ଆଉ ଏକ ନୁଡଲ୍‌ ସୁପ ଖାଇବାକୁ ଦିଆଯାଇ ସ୍ୱାଗତ କରୁଛି ରେସ୍ତୋରାଁ।