କୋଭାକସିନ ଟିକା ଉତ୍ପାଦନ ବଢାଇବାକୁ ଭାରତ ବାୟୋଟେକକୁ ୬୫ କୋଟି ଟଙ୍କାର ଆର୍ଥିକ ସହାୟତା ଦେଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଭାରତରେ ଟିକା ଅଭାବ ଯୋଗୁଁ ଅନେକ ଟିକାକରଣ କେନ୍ଦ୍ର ବନ୍ଦ ହୋଇଯାଇଥିବାବେଳେ ରାଜ୍ୟମାନେ ପର୍ଯ୍ୟାପ୍ତ ଟିକା ଯୋଗାଇଦେବାକୁ କେନ୍ଦ୍ର ସରକାରଙ୍କ ପାଖରେ ଦାବି କରୁଛନ୍ତି | ଆଉ ଏଭଳି ସ୍ଥିତିରେ ଏବେ ଟିକା ଉତ୍ପାଦନ ବଢାଇବାକୁ କେନ୍ଦ୍ର ସରକାର ଅଣ୍ଟା ଭିଡିଛନ୍ତି | ଭାରତ ସରକାର ଆଜି ଆତ୍ମନିର୍ଭରଶୀଳ ଭାରତ ୩.୦ କୋଭିଡ ସୁରକ୍ଷା ମିଶନ ଅଧୀନରେ ସ୍ୱଦେଶୀ ଟିକା ଉତ୍ପାଦନକୁ ତ୍ୱରାନ୍ୱିତ କରିବାକୁ ଘୋଷଣା କରିଛନ୍ତି।

ଆଉ ଭାରତ ସରକାରଙ୍କ ପକ୍ଷରୁ ଚାଲିଥିବା ଏହି ପ୍ରୟାସ ଯଦି ସଫଳ ହୁଏ ତେବେ ସ୍ୱଦେଶୀ ବିକଶିତ କୋଭାସିନ୍ ଟିକାର ଉତ୍ପାଦନ କ୍ଷମତା ମେ-ଜୁନ୍ ୨୦୨୧ ସୁଦ୍ଧା ଦ୍ୱିଗୁଣିତ ହେବ ଏବଂ ଜୁଲାଇ-ଅଗଷ୍ଟ ୨୦୨୧ ସୁଦ୍ଧା ଟିକା ଉତ୍ପାଦନ ପ୍ରାୟ ୬-୭ ଗୁଣ ବୃଦ୍ଧି ପାଇବ | ଅର୍ଥାତ୍ ଏପ୍ରିଲ୍ ୨୦୨୧ ରୁ ୬ ରୁ ୨୧ କୋଟି ଟିକା ଉତ୍ପାଦନ ମାତ୍ରା ବୃଦ୍ଧି ପାଇବ। ୨୦୨୧ ଜୁଲାଇ-ଅଗଷ୍ଟରେ ଟିକା ଉତ୍ପାଦନ ମାସକୁ ପ୍ରାୟ ୧୦ କୋଟି ଡୋଜରେ ପହଞ୍ଚିବ ବୋଲି ଆଶା କରାଯାଉଛି।

ତେବେ ଟିକା ଉତ୍ପାଦନ ବୃଦ୍ଧି କରିବା ପାଇଁ ଏହି ଯୋଜନା ଅଧୀନରେ ଭାରତ ବାୟୋଟେକ୍ ଲିମିଟେଡ୍, ହାଇଦ୍ରାବାଦର ଆବଶ୍ୟକ ଭିତ୍ତିଭୂମି ଏବଂ ପ୍ରଯୁକ୍ତିବିଦ୍ୟାକୁ ନବୀକରଣ କରାଯାଉଛି। ଭାରତ ସରକାର ବାୟୋଟେକର ନୂତନ ବାଙ୍ଗାଲୋର ପ୍ଲାଣ୍ଟ ପାଇଁ ୬୫ କୋଟି ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି, ଯାହା ଟିକା ଉତ୍ପାଦନ କ୍ଷମତା ବୃଦ୍ଧିରେ ପ୍ରମୁଖ ଭୂମିକା ନିର୍ବାହ କରିବ |

ସମ୍ବନ୍ଧିତ ଖବର