ବିରଳ ଉଦାହାରଣ ସୃଷ୍ଟି କଲେ କେରଳ ଡାକ୍ତର: କେବଳ ନିପା ରୋଗୀଙ୍କ ଚିକିତ୍ସା କଲେ ନାହିଁ; ନିପାରେ ମୃତକଙ୍କ ଶବବାହକ ସାଜି ସେମାନଙ୍କ ଶେଷକୃତ୍ୟ ମଧ୍ୟ ସଂପନ୍ନ କଲେ

କୋଝିକୋଡ଼େ (କେରଳ): ବିଭିନ୍ନ ସମୟରେ ଡାକ୍ତମାନଙ୍କ ବିରୋଧରେ ବିଭିନ୍ନ ପ୍ରକାରର ଅଭିଯୋଗମାନ ଗଣମାଧ୍ୟମ ମାନଙ୍କରେ ପ୍ରକାଶ ପାଇଥାଏ। ଯେପରିକି ରୋଗୀ ଚିକିତ୍ସାରେ ଅବହେଳା, ଚିକିତ୍ସା ପାଇଁ ରୋଗୀ ସଂପର୍କୀୟଙ୍କ ଠାରୁ ଅର୍ଥ ଦାବି ଇତ୍ୟାଦି, ଇତ୍ୟାଦି। ତେବେ, ସଂପ୍ରତି ନିପା ଭାଇରସ୍‌ କବଳିତ କେରଳରେ କେତେକ ଡାକ୍ତର ନିସ୍ୱାର୍ଥପର ଭାବେ ରୋଗୀ ସେବା ସହ ନିପା ଭାଇରସ୍‌ରେ ଆକ୍ରାନ୍ତ ହୋଇ ମୁତ୍ୟୁ ବରଣ କରିଥିବା ଅନେକ ରୋଗୀଙ୍କ ପାଇଁ ଶବବାହକ ରୂପେ କାର୍ଯ୍ୟ କରିବା ସହ ସେମାନଙ୍କର ଶେଷକୃତ୍ୟ ଯେପରି ସଂପନ୍ନ କରିଛନ୍ତି, ତାହା ସମାଜସେବା କ୍ଷେତ୍ରରେ ଏକ ବିରଳ ଉଦାହାରଣ ସୃଷ୍ଟି କରିବା ସହ ଦେଶର ଅନ୍ୟ ଡାକ୍ତରମାନଙ୍କ ପାଇଁ ଏକ ଦୃଷ୍ଟାନ୍ତ ହୋଇଛି।

କେରଳରେ ବର୍ତ୍ତମାନ ସୁଦ୍ଧା ନିପା ଭାଇରସ୍‌ରେ ଆକ୍ରାନ୍ତ ହୋଇ ୧୭ ଜଣ ମୁତ୍ୟୁବରଣ କରିସାରିଥିବା ବେଳେ ସମଗ୍ର କେରଳରେ ଏକ ଆତଙ୍କଜନକ ପରିସ୍ଥିତି ସୃଷ୍ଟି କରିଛି ନିପା। ନିପା ଏକ ସଂକ୍ରମଣ ଜନିତ ମାରାତ୍ମକ ରୋଗ ହୋଇଥିବାରୁ ନିପାରେ ଆକ୍ରାନ୍ତ ହୋଇ ମୁତ୍ୟୁବରଣ କରୁଥିବା ରୋଗୀମାନଙ୍କ ମୃତଦେହ ନେବା ପାଇଁ ଅବା ସେମାନଙ୍କ ଶେଷକୃତ୍ୟ ସଂପନ୍ନ କରିବା ପାଇଁ ସେମାନଙ୍କ ପରିବାର ବର୍ଗ କିମ୍ବା ନିକଟ ସଂପର୍କୀୟମାନେ ସୁଦ୍ଧା ଆସୁ ନାହାନ୍ତି। ମନରେ ଭୟ କାଳେ ମୃତକଙ୍କ ସଂସ୍ପର୍ଶରେ ଆସିଲେ, ସେମାନଙ୍କୁ ମଧ୍ୟ ନିପା ଆକ୍ରାନ୍ତ କରିବ! ଏପରିସ୍ଥିତରେ କେବଳ ନିପା ଆକ୍ରାନ୍ତ ରୋଗୀଙ୍କ ଚିକିତ୍ସା ନୁହେଁ; ନିପାରେ ମୁତ୍ୟୁ ବରଣ କରୁଥିବା ରୋଗୀଙ୍କ ପାଇଁ ଶବବାହକ ରୂପେ କାର୍ଯ୍ୟକରି ସେମାନଙ୍କ ଶେଷକୃତ୍ୟ ମଧ୍ୟ ସଂପନ୍ନ କରାଉଛନ୍ତି କେତେକ ଡାକ୍ତର।

ଏହିପରି ବିରଳ ସେବା କରୁଥିବା ଜଣେ ଡାକ୍ତର ହେଲେ କେରଳ କୋଜହିକୋଡ଼େର ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଆର୍‌ ଏସ୍‌ ଗୋପକୁମାର। ନିପାରେ ମୁତ୍ୟୁବରଣ କରିଥିବା ୧୭ ଜଣଙ୍କ ମଧ୍ୟରୁ କେବଳ କୋଜହିକୋଡ଼େରେ ମୁତ୍ୟୁବରଣ କରିଛନ୍ତି ୧୪ ଜଣ। ଆଉ ୧୪ ଜଣ ମୃତକଙ୍କ ମଧ୍ୟରୁ ୧୨ଜଣଙ୍କ ପାଇଁ ଶବବାହକ ରୂପେ କାର୍ଯ୍ୟ କରିବା ସହ ସେମାନଙ୍କ ଶେଷକୃତ୍ୟ ନିଜ ହାତରେ ସଂପନ୍ନ କରିଛନ୍ତି ୪୧ ବର୍ଷ ବୟସ୍କ ଡାକ୍ତର ଆର୍‌ ଏସ୍‌ ଗୋପକୁମାର।  ଅବଶ୍ୟ ତାଙ୍କର ଏହି ମହତ କାର୍ଯ୍ୟ ପାଇଁ ଅନ୍ୟ କେତେକ ଡାକ୍ତର ମଧ୍ୟ ତାଙ୍କ ଆଡ଼କୁ ସାହାଯ୍ୟ ଓ ସହଯୋଗର ହାତ ବଢ଼ାଇବା ସହ ତାଙ୍କ ସହ ସାମିଲ ହୋଇଛନ୍ତି। ତେବେ, କେରଳର ସ୍ୱାସ୍ଥ୍ୟ ମନ୍ତ୍ରୀ କେ କେ ଶୈଲଜା ଗତ ସୋମବାର ଦିନ ବିଧନସଭାରେ ଡାକ୍ତର ଆର୍‌ ଏସ୍‌ ଗୋପକୁମାର ଏହି ଅନନ୍ୟ କାର୍ଯ୍ୟର ସୂଚନା ଦେବାପରେ ଏବେ ଦେଶର ସବୁଆଡ଼ୁ ତାଙ୍କ ନିକଟକୁ ପ୍ରଶଂସାର ସୁଅ ଛୁଟିଛି।

ସମ୍ବନ୍ଧିତ ଖବର