ଏୟାରପୋର୍ଟ ଡଷ୍ଟବିନରୁ ମିଳିଲା ସୁନା ଇଟା

ଲକ୍ଷ୍ନୌ : ଭାରତରେ ସୁନା ଉପରେ ଆମଦାନୀ ଟିକସ ବଢିଯାଇଥିବାରୁ ଚୋରାବେପାରୀମାନେ ବିଭିନ୍ନ ଅଭିନବ ଉପାୟରେ ବିଦେଶରୁ ସୁନା ଚୋରୋଚାଲାଣ କରୁଛନ୍ତି । ଗୁରୁବାରଦିନ ଲକ୍ଷ୍ନୌର ଚୌଧୁରୀ ଚରଣ ସିଂ ଅନ୍ତର୍ଜାତୀୟ ଏୟାରପୋର୍ଟର ଏକ ଡଷ୍ଟବିନରୁ ୬ଟି ସୁନା ଇଟା ମିଳିଛି । ସୀମା ଶୁଳକ (କଷ୍ଟମ୍ସ) ଅଧିକାରୀମାନେ ସେଗୁଡ଼ିକୁ ଜବତ କରିଛନ୍ତି । ସେଗୁଡ଼ିକ ଉପରେ କଳା ଟେପ ଗୁଡ଼ାଯାଇଥିଲା ଓ କଳା ପଲିଥିନରେ ରଖାଯାଇଥିଲା । ପ୍ରଥମେ ଦେଖିଲେ ଜଣାପଡ଼ୁଥିଲା ଯେ କେହି ଜଣେ କିଛି ଅଳିଆ କଳା ପଲିଥିନରେ ରଖି ଫିଙ୍ଗିଦେଇଛି । ପରେ ସେଗୁଡ଼ିକୁ ଖୋଲିବା ପରେ ସତ କଥା ଜଣାପଡ଼ିଥିଲା ।

ଜବତ ହୋଇଥିବା ୬ଟି ସୁନା ଇଟାର ମୂଲ୍ୟ ପ୍ରାୟ ୩୬ ଲକ୍ଷ ୬୦ ହଜାର ଟଙ୍କା ହେବା ଅନୁମାନ କରାଯାଉଛି । ମାତ୍ର କିଏ ସେଗୁଡ଼ିକୁ ଆଣୁଥିଲା ସେ ସମ୍ପର୍କରେ ଏବେ କିଛି ଜଣାପଡ଼ିନାହିଁ । କଷ୍ଟମ୍ସ ବିଭାଗ ପକ୍ଷରୁ ଏହାର ତଦନ୍ତ କରାଯାଉଛି । ଏହି ଘଟଣାରେ ଜଣେ ଏୟାରପୋର୍ଟ କର୍ମଚାରୀଙ୍କ ସଂପୃକ୍ତି ଥିବା ସଂଦେହ କରାଯାଉଛି ।

ଗତ ସପ୍ତାହରେ ଚେନ୍ନାଇ ଏୟାରପୋର୍ଟରେ ଏକ ସମାନ ପ୍ରକାରର ଘଟଣା ଘଟିଥିଲା । ଏକ ବିମାନର ଶୌଚାଳୟ ଭିତରୁ ଏକ କିଲୋଗ୍ରାମ ଓଜନର ସୁନା ଜବତ କରାଯାଇଥିଲା । ସେଗୁଡ଼ିକର ମୂଲ୍ୟ ୪୬.୧୩ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି । ଏହାର ତଦନ୍ତ ଜାରି ରହିଛି ।

 

ସମ୍ବନ୍ଧିତ ଖବର