ଫେସବୁକରେ ବନ୍ଧୁତା ପରେ ନକଲି ସୁନା ଦେଇ ଲୁଟିନେଲେ ୧୦ ଲକ୍ଷ ଟଙ୍କା

ଯୋଧପୁର: ଶସ୍ତାରେ ସୁନା ପାଇବା ଚକ୍କରରେ ୧୦ ଲକ୍ଷ ଟଙ୍କା ହରାଇଲେ ପୂର୍ବତନ ସେନା କର୍ମଚାରୀ | ରାଜସ୍ଥାନର ଯୋଧପୁରରେ କିଛି ଏଭଳି ଘଟଣା ସାମ୍ନାକୁ ଆସିଛି | ମିଳିଥିବା ସୂଚନା ମୁତାବକ ଯୋଧପୁରର ସଞ୍ଜୟ କଲୋନୀରେ ରହୁଥିବା ଅବସରପ୍ରାପ୍ତ ସେନା କର୍ମଚାରୀ ଖିଭ ସିଂ କିଛି ଦିନ ପୂର୍ବରୁ ଫେସବୁକରେ ପ୍ରିୟଙ୍କା କୁମାର ନାମକ ଜଣେ ମହିଳାଙ୍କ ସହ ପରିଚିତ ହୋଇଥିଲେ। ଏହା ପରେ ଫେସବୁକ୍ ମାଧ୍ୟମରେ ଦୁହିଁଙ୍କ ବନ୍ଧୁତା ବଢିଥିଲା | ଖିଭ ସିଂଙ୍କ କହିବା ମୁତାବକ ଦିନେ ଫେସବୁକରେ କଥାବାର୍ତ୍ତା ବେଳେ ପ୍ରିୟଙ୍କା ତାଙ୍କୁ କହିଥିଲେ ଯେ, ‘ତାଙ୍କ ମାମୁଁ ଏକ ଧାତୁ ପାଇଛନ୍ତି | ଯାଞ୍ଚ କରାଯିବା ପରେ ଧାତୁଟି ସୁନା ବୋଲି ଜଣାପଡିଛି | ଆମେ ଭୟ କରୁଛୁ ଯେ କେହି ଏହି ସୁନା ଲୁଟି ନେଇଯିବେ କିମ୍ବା ଚୋରି କରିବେ | ତେଣୁ ତୁମେ ଏହି ସୁନା ନେଇଯାଅ, ଆମେ ତୁମକୁ ଶସ୍ତାରେ ଦେବୁ’। ମହିଳାଙ୍କ ଏକଥା ଶୁଣି ଖିଭ ସିଂ ଆସାମର ବାରପେଟା ଯାଇଥିଲେ, ଆଉ ସେଠାରେ ପ୍ରିୟଙ୍କା ତାଙ୍କୁ ନିଜ ଗାଁକୁ ନେଇଥିଲେ |

ଗାଁରେ ଖିଭ ସିଂଙ୍କୁ ପ୍ରିୟଙ୍କାଙ୍କ ମାମୁଁ ଏକ ଛୋଟ ଧାତୁ ଖଣ୍ଡ ମାଗଣାରେ ଦେଇଥିଲେ | ସୁନା ଖଣ୍ଡ ନେଇ ଖିଭ ସିଂ ଯୋଧପୁରକୁ ଫେରିଆସିଥିଲେ ଏବଂ ଏହାର ଅନୁସନ୍ଧାନ ପାଇଁ ସେ ବଣିଆଙ୍କୁ ଦେଖାଇଥିଲେ | ଯାଞ୍ଚ ପରେ ଧାତୁ ଖଣ୍ଡଟି ସୁନା ବୋଲି ଜଣାପଡିଥିଲା | ଏହାର କିଛି ଦିନ ପରେ ପ୍ରିୟଙ୍କା ପୁଣି କହିଥିଲେ ଯେ, ‘ମୋର ମାମୁଁ ଦୁଇ କିଲୋଗ୍ରାମ ୩୦୦ ଗ୍ରାମ ସୁନା ବିକିବାକୁ ଚାଁହୁଛନ୍ତି ଓ ଏହାର ମୂଲ୍ୟ ୨୦ ଲକ୍ଷ ଟଙ୍କା ରଖିଛନ୍ତି | କିନ୍ତୁ ଯଦି ସିଏ କିଣିବେ ତେବେ ମାମୁଁ ଅଧା ମୂଲ୍ୟରେ ଅର୍ଥାତ ୧୦ ଲକ୍ଷ ଟଙ୍କାରେ ଦେଇଦେବେ’। ଏହା ପରେ, ଫେବୃଆରୀ ୧୧ ରେ ଖିଭ ସିଂ ପୁଣି ଆସାମ ଯାଇ ୧୦ ଲକ୍ଷ ଟଙ୍କା ଦେଇଥିଲେ ଏବଂ ସେ ଧାତୁ ଆଣିଥିଲେ।

ଏହା ପରେ ଖିଭ ସିଂ ଯେତେବେଳେ ସେହି ଧାତୁକୁ ବଣିଆ ପାଖରେ ପରୀକ୍ଷା କରାଇଥିଲେ ଏହା ନକଲି ସୁନା ବୋଲି ଜଣାପଡିଥିଲା | ଏହା ପରେ ଖିଭ ସିଂ ବାରମ୍ବାର ପ୍ରିୟଙ୍କାଙ୍କୁ ଯୋଗାଯୋଗ କରିଥିଲେ ବି ସେ ଫୋନ ନମ୍ବର ବନ୍ଦ କରିଥିବାର ଜାଣିବାକୁ ପାଇଲେ | ଆଉ ୧୦ ଲକ୍ଷ ଟଙ୍କାର ଠକେଇ ହୋଇଥିବାର ଖିଭ ସିଂ ଜାଣିପାରିଲେ | ଏହା ପରେ ସେ ପୁଲିସ ଷ୍ଟେସନରେ ଏନେଇ ଅଭିଯୋଗ କରିଛନ୍ତି |

ସମ୍ବନ୍ଧିତ ଖବର