ଇସଲାମାବାଦ: ପାକିସ୍ତାନର ଖାଇବର ପାସ୍ତୁନଖ୍ବା ପ୍ରଦେଶରେ ଅବସ୍ଥିତ ନୌଶେରାକୁ ଦେଶର ପଛୁଆ ଅଞ୍ଚଳ ମଧ୍ୟରେ ଗଣନା କରାଯାଉଥିଲା। କିନ୍ତୁ ଆଜି ଏହି ଅଞ୍ଚଳ ଦେଇ ସିନ୍ଧୁ ନଦୀ ପ୍ରବାହିତ ହେଉଥିବାରୁ ସୁନା ପାଇଁ ଲୋକଙ୍କ ମଧ୍ୟରେ ଏକ ପ୍ରତିଯୋଗୀତା ଆରମ୍ଭ ହୋଇଛି। ନୌଶେରା ଜିଲ୍ଲାର କୁଣ୍ଡରୁ ନିଜାମପୁର ପର୍ଯ୍ୟନ୍ତ ସମଗ୍ର ଅଞ୍ଚଳରେ ସୁନା ପାଇଁ ବହୁ ଖଣି ଖନନ କରାଯାଇଛି।
ପଞ୍ଜାବର ନୌଶେରାକୁ ଆଟକ୍ ସହିତ ସଂଯୋଗ କରୁଥିବା ବ୍ରିଟିଶ ଯୁଗର ରେଳ ସେତୁ ପର୍ଯ୍ୟନ୍ତ ନଦୀ କୂଳରେ ଖନନକାରୀ ଦଳଗୁଡ଼ିକ ଖୋଳିବାରେ ବ୍ୟସ୍ତ ଅଛନ୍ତି। ସିନ୍ଧୁ ନଦୀରେ ଥିବା ସୁନାର ଲୋଭ ଏହି ନିର୍ଜନ ଅଞ୍ଚଳକୁ ଖଣି କାର୍ଯ୍ୟକଳାପର ଏକ କେନ୍ଦ୍ରରେ ପରିଣତ କରିଛି।
ପାକିସ୍ତାନୀ ଖବରକାଗଜ ଡନ୍ର ଏକ ରିପୋର୍ଟ ଅନୁଯାୟୀ, ଖୋଳିବା ଲୋକମାନେ ନଦୀର ଗଭୀରତାରେ ସୁନା ଖୋଜିବାରେ ସାରା ଦିନ ବିତାଉଛନ୍ତି। ଶ୍ରମିକମାନେ ମାଟି ଏବଂ ପଥର ବାଲଟିଗୁଡ଼ିକୁ ଛାଣି ବାଲିରୁ ସୁନା କଣିକା ବାହାର କରିବାକୁ ସୁନା ସ୍ଲୁଇସ୍ ମ୍ୟାଟ୍ ବ୍ୟବହାର କରୁଛନ୍ତି।
ଏହି ଖଣି ଖନନ ପାଇଁ, ଆଜିକାଲି ନିଜାମପୁର ପୁଲିସ ଷ୍ଟେସନରେ ପୋଷ୍ଟିଂ ବହୁତ ଆକର୍ଷଣୀୟ ହୋଇଯାଇଛି। ଏଠାରେ ପୋଷ୍ଟିଂ ପାଇଁ ଲକ୍ଷ ଲକ୍ଷ ଟଙ୍କାର ଲାଞ୍ଚ ଦିଆଯାଉଛି। ଖଣି ମାଲିକମାନେ ଏଠାରେ କାମ କରୁଥିବା ଶ୍ରମିକମାନଙ୍କୁ ଭଲ ପାରିଶ୍ରମିକ ମଧ୍ୟ ଦେଉଛନ୍ତି। ପ୍ରତି ଶ୍ରମିକଙ୍କୁ ଦିନକୁ ୧୦୦୦ ରୁ ୧୫୦୦ ଟଙ୍କା ଦିଆଯାଉଛି।
ଏହି ଅଞ୍ଚଳରେ ସିନ୍ଧୁ ନଦୀର ପାଣି କାବୁଲରୁ ଆସୁଥିବା କାଦୁଅ ସ୍ରୋତ ସହିତ ମିଶିଯାଉଛି। ସିନ୍ଧୁ ଏବଂ କାବୁଲ ନଦୀରେ ପ୍ଲେସର ସୁନା ଖଣି ଏହି ଅଞ୍ଚଳକୁ ଆର୍ଥିକ ଭାବରେ ପରିବର୍ତ୍ତନ କରିଛି। ପୂର୍ବରୁ ନଦୀରେ ଛୋଟ ଖଣି ଖନନ ହେଉଥିଲା, କିନ୍ତୁ ଗତ କିଛି ମାସ ମଧ୍ୟରେ ଏହା ଏକ ବଡ଼ କାରବାରରେ ପରିଣତ ହୋଇଛି। ବହୁ ସଂଖ୍ୟକ କମ୍ପାନି ଦିନରାତି ନଦୀ ଗର୍ଭରେ ସେମାନଙ୍କର ବାଲଟି ପକାଇ ସୁନା ସଂଗ୍ରହ କରି ଚାଲିଛନ୍ତି।
ଚଳିତ ବର୍ଷ ଆରମ୍ଭରେ ଆଟକ୍ ନିକଟରେ ୮୦୦ବିଲିୟନ ଟଙ୍କାର ସୁନା ଭଣ୍ଡାର ଥିବା ଦାବି କରି ଏକ ରିପୋର୍ଟ ପ୍ରକାଶ ପାଇବା ପରେ ସିନ୍ଧୁ ନଦୀରେ ସୁନା ଭଣ୍ଡାର ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଏହି ଦାବି ପଞ୍ଜାବର ପୂର୍ବତନ ଖଣି ଏବଂ ଖଣିଜ ମନ୍ତ୍ରୀ ଇବ୍ରାହିମ୍ ହାସନ୍ ମୁରାଦ୍ ସୋସିଆଲ ମିଡିଆରେ ଏକ ବିବୃତିରେ କରିଥିଲେ। ପାକିସ୍ତାନର ଭୂତତ୍ତ୍ୱ ସର୍ଭେ (ଜିଏସପି) ରିପୋର୍ଟ ଆଧାରରେ ସେ ଏହି ଦାବି କରିଥିଲେ।
ଅଧିକ ପଢ଼ନ୍ତୁ: ୟୁକ୍ରେନକୁ ୧ ଲକ୍ଷ ସୈନିକ ଦେବ ୟୁରୋପ!: ଇତିହାସର ସର୍ବବୃହତ ଶାନ୍ତି ସେନା ଗଠନ କରିବାକୁ ଚାହୁଁଛନ୍ତି ଜେଲେନସ୍କି
ପ୍ଲେସର ସୁନା ଖଣିରେ ବୃଦ୍ଧି ପରିବେଶବିତମାନଙ୍କୁ ଚିନ୍ତିତ କରିଛି। ସେମାନେ କହିଛନ୍ତି ଯେ, ନଦୀ ଗର୍ଭରେ ଅତ୍ୟଧିକ ଖୋଳାଯିବା ଯୋଗୁ ଜଳଚର ଜୀବ ପ୍ରଭାବିତ ହେଉଛନ୍ତି। ସ୍ଥାନୀୟ ଲୋକଙ୍କ ଦାବି ଯେ, ସୁନା ବାହାର କରିବା ପାଇଁ ପାରଦର ବ୍ୟବହାର ନଦୀର ପରିସଂସ୍ଥାକୁ କ୍ଷତି ପହଞ୍ଚାଉଛି। ବଡ଼ ଧରଣର ଖଣି ଖନନ ଆରମ୍ଭ ହେବା ପରଠାରୁ ନଦୀରେ ମାଛ ପରିମାଣ କମି ଯାଇଥିବା ମତ୍ସ୍ୟଜୀବୀମାନେ ଅଭିଯୋଗ କରିଛନ୍ତି।
ଅଧିକ ପଢ଼ନ୍ତୁ: କାହିଁକି ଉଡ଼ି ଉଡ଼ି ପରୀକ୍ଷା କେନ୍ଦ୍ରକୁ ଗଲେ ଛାତ୍ର ?