ତିରୁପତି: ଆନ୍ଧ୍ରପ୍ରଦେଶ ଅନ୍ତର୍ଗତ ଗୋବିନ୍ଦ ରାଜ ସ୍ୱାମୀ ମନ୍ଦିରରେ ଅଧିଷ୍ଠିତ ପ୍ରଭୁ ଗୋବିନ୍ଦ ରାଜ ସ୍ୱାମୀ ଓ ତାଙ୍କ ପତ୍ନୀ ଭୂଦେବୀ ଓ ଶ୍ରୀଦେବୀଙ୍କ ମସ୍ତକରୁ ତିନୋଟି ସ୍ୱର୍ଣ୍ଣ ମୁକଟ ଚୋରି ହୋଇଥିବା କଥା ରବିବାର ଦିନ ପୁଲିସ କହିଛି।
ତିରୁପତି ନଗରାଞ୍ଚଳ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍ କେକେଏନ୍ ଅମ୍ବୁରଞ୍ଜନ କହିଛନ୍ତି ଯେ ଦୁଇ ଜଣ ସବ୍-ଡିଭିଜ୍ନାଲ୍ ପୁଲିସ ଅଧିକାରୀଙ୍କ ନେତୃତ୍ୱରେ ୬ଟି ପୁଲିସ ଟିମ୍ ଚୋରମାନଙ୍କୁ ତଲାସ କରୁଛନ୍ତି।
ତିରୁପତି ତିରୁମାଲା ଦେବସ୍ଥାନମ୍ର ସହକାରୀ କାର୍ଯ୍ୟ ନିର୍ବାହୀ ଅଧିକାରୀ କୋଲା ଭାସ୍କର କହିଛନ୍ତି ଶନିବାର ରାତି ୧:୩୦ ମିନିଟ୍ରେ ଚୋରି ହୋଇଥିବା କଥା ଜଣାପଡ଼ିଥିଲା। ତିରୁପତି ତିରୁମାଲା ଦେବସ୍ଥାନମ୍ର ଭିଜିଲାନ୍ସ୍ ଶାଖା ତୁରନ୍ତ ପୁଲିସକୁ ଏକଥା ଜଣାଇଥିଲେ।
ଦିଅଁମାନଙ୍କୁ ସନ୍ଧ୍ୟା ଭୋଗ ଅର୍ପଣ ପରେ ମନ୍ଦିରର ମୁଖ୍ୟ କବାଟ ବନ୍ଦ ହୋଇଥିଲା। ଅଧଘଣ୍ଟାଏ ପରେ ପୁଣି କବାଟ ଖୋଲାଯିବା ପରେ ମୁକୁଟଗୁଡ଼ିକ ନ ଥିବା ଜଣାପଡ଼ିଥିଲା।
ଗୋବିନ୍ଦ ରାଜ ସ୍ୱାମୀ ପିନ୍ଧିଥିବା ମୁକୁଟର ଓଜନ ୫୨୮ ଗ୍ରାମ୍, ଶ୍ରୀଦେବୀଙ୍କ ମୁକୁଟର ଓଜନ ୫୨୮ ଗ୍ରାମ୍ ଓ ଭୂଦେବୀଙ୍କ ମୁକୁଟର ଓଜନ ୪୦୮ ଗ୍ରାମ୍ ଥିଲା ବୋଲି ଜଣାପଡ଼ିଛି। ନୈବେଦ୍ୟ ଅର୍ପଣ ପରେ କୌଣସି ଦର୍ଶକ ନ ଥିବାରୁ ଚୋରିରେ ମନ୍ଦିରର କର୍ମଚାରୀମାନେ ସଂଶ୍ଳିଷ୍ଟ ବୋଲି ପୁଲିସ ସନ୍ଦେହ କରୁଛି।
୩ଟି ପାଳିରେ ପୂଜକମାନେ ସେଠାରେ ପୂଜାନୀତି କରନ୍ତି। ପ୍ରଥମ ପାଳିର ପୂଜକଙ୍କ କାମ ସରିବା ଓ ପରବର୍ତ୍ତୀ ପାଳିର ପୂଜକ ଆସିବା ପରେ ମୁକୁଟ ଉଭେଇ ଯାଇଥିବା କଥା ଜଣାପଡ଼ିଥିଲା।