ଉତ୍ତର ପ୍ରଦେଶରେ ବଡ଼ ସୁନା ଖଣି ଠାବ, ଗଚ୍ଛିତ ଅଛି ୩୦୦୦ ଟନ୍ ସୁନା, ଖୁବଶୀଘ୍ର ହେବ ନିଲାମ
ଜିଏସ୍ଆଇ ଡିଜିଙ୍କ ଖଣ୍ଡନ
ନୂଆଦିଲ୍ଲୀ : ଉତ୍ତର ପ୍ରଦେଶର ସୋନଭଦ୍ର ଜିଲ୍ଲାରେ ଦୁଇଟି ବଡ଼ ସୁନା ଖଣିର ସନ୍ଧାନ ମିଳିଛି। ସେହି ଖଣି ଦୁଇଟି ହେଲା ସୋନ୍ ପାହାଡ଼ି ଏବଂ ହାର୍ଡି । ଏହି ଦୁଇଟି ଖଣିରେ ପ୍ରାୟ ୩୦୦୦ ଟନ୍ର ସୁନା ଗଚ୍ଛିତ ରହିଥିବା ଭାରତୀୟ ଭୂବୈଜ୍ଞାନିକ ସର୍ବେକ୍ଷଣର ଅଧିକାରୀମାନେ ଜାଣିବାକୁ ପାଇଛନ୍ତି। ବିଶ୍ବ ସୁନା ପରିଷଦର ହିସାବ ଅନୁସାରେ ଭାରତରେ ଏବେ ୬୨୬ ଟନ୍ ସୁନା ରହିଛି। ତେଣୁ ଭାରତରେ ଥିବା ସୁନାର ୫ ଗୁଣ ସୁନା ଉକ୍ତ ନୂଆ ଖଣି ଦ୍ବୟରୁ ମିଳିଯିବ। ମିଳିବାକୁ ଥିବା ଏହି ସୁନାର ବଜାର ମୂଲ୍ୟ ପ୍ରାୟ ୧୨ ଲକ୍ଷ କୋଟି ଟଙ୍କା ହେବ ବୋଲି ହିସାବ କରାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଉତ୍ତର ପ୍ରଦେଶର ମାଓବାଦୀ ପ୍ରଭାବିତ ଏହି ଜିଲ୍ଲାରେ ସୁନାର ସନ୍ଧାନ ପାଇବା ପାଇଁ ଭାରତୀୟ ଭୂବୈଜ୍ଞାନିକ ସର୍ବେକ୍ଷଣ (ଜିଏସ୍ଆଇ) ସଂସ୍ଥା ଗତ ପ୍ରାୟ ଦୁଇ ଦଶନ୍ଧି ହେଲା ଅନୁସନ୍ଧାନ ଚଳାଇଲା ବୋଲି ଜିଲ୍ଲା ଖଣି ଅଧିକାରୀ କେ କେ ରାଏ ସୂଚନା ଦେଇଛନ୍ତି। ସୁନାର ସନ୍ଧାନ ମିଳିବା ପରେ ଏହି ଖଣିଦ୍ବୟର ନିଲାମ ପାଇଁ ସରକାର ତତ୍ପରତା ପ୍ରକାଶ କରିଛନ୍ତି। ଖଣି ନିଲାମ କରିବା ପୂର୍ବରୁ ଜିଓ-ଟ୍ୟାଗିଂ କାର୍ଯ୍ୟ ଆରମ୍ଭ ହୋଇଛି। ଖଣି ଅଞ୍ଚଳ ଚିହ୍ନଟ ହେବା ପରେ ଏହାର ଇ-ନିଲାମ ଖୁବଶୀଘ୍ର ଆରମ୍ଭ ହେବ।
ଅଧିକାରୀମାନଙ୍କ ସୂଚନା ଅନୁଯାୟୀ ସୋନ୍ ପାହାଡ଼ି ଖଣିରେ ପ୍ରାୟ ୨୯୪୩.୨୬ ଟନ ସୁନା ମହଜୁଦ ଥିବାବେଳେ ହାର୍ଡି ଖଣିରେ ପ୍ରାୟ ୬୪୬.୧୬ କିଗ୍ରା ସୁନା ରହିଛି। ସୁନା ବ୍ୟତୀତ ଅନ୍ୟ ମୂଲ୍ୟବାନ ଧାତୁ ମଧ୍ୟ ଏଠାରେ ଠାବ କରାଯାଇଛି।
ଏକ ସୂତ୍ରରୁ ଜଣାଯାଇଛି ଖଣି ଅଞ୍ଚଳର ଜିଓ ଟ୍ୟାଗିଂ ପାଇଁ ୭ ଜଣ ଅଧିକାରୀଙ୍କୁ ନେଇ ଏକ ଟିମ୍ ଗଠନ ହୋଇଛି। ଖଣି ବିଭାଗକୁ ଏହି ଟିମ୍ ଆସନ୍ତା ୨୨ ତାରିଖ ସୁଦ୍ଧା ରିପୋର୍ଟ ପ୍ରଦାନ କରିବ। ଖଣି ଅଞ୍ଚଳର କେତେ ଜମି ରାଜସ୍ବ ବିଭାଗ ଏବଂ କେତେ ଜମି ଜଙ୍ଗଲ ବିଭାଗ ଅଧିନରେ ରହିଛି ତାହା ଅନୁଧ୍ୟାନ କରାଯାଉଛି। ତାହା ଜଣାପଡ଼ିବା ପରେ ଜଙ୍ଗଲ ବିଭାଗ ଠାରୁ ଖଣି ଖନନ ପାଇଁ ଅନୁମତି ଲୋଡ଼ାଯିବ ବୋଲି ଶ୍ରୀ ରାଏ କହିଛନ୍ତି। ଜିଏସ୍ଆଇ ପକ୍ଷରୁ ଆକାଶ ମାର୍ଗରୁ ଖଣି ଅଞ୍ଚଳର ସର୍ଭେ କରାଯାଉଛି। ଏଥିରେ ଦୁଇଟି ହେଲିକପ୍ଟରକୁ ନିୟୋଜିତ କରାଯାଇଛି। ହେଲିକପ୍ଟରରେ ଇଲେକ୍ଟ୍ରୋମ୍ୟାଗନେଟିକ୍ ଏବଂ ସ୍ପେକ୍ଟ୍ରୋମିଟର ଯନ୍ତ୍ର ଖଞ୍ଜାଯାଇ ସର୍ଭେ କରାଯାଉଛି। ଖଣିର ୬୦ରୁ ୭୦ ମିଟର ଉପରେ ହେଲିକପ୍ଟର ଉଡ଼ୁଛି ଏବଂ ହେଲିକପ୍ଟରର ନିମ୍ନଭାଗରେ ଏହି ଯନ୍ତ୍ରାଂଶ ଲଗାଯାଇଛି।
ଜିଏସ୍ଆଇ ଡିଜିଙ୍କ ଖଣ୍ଡନ
କୋଲକାତା/ସୋନଭଦ୍ର : ଉତ୍ତର ପ୍ରଦେଶର ସୋନଭଦ୍ର ଜିଲ୍ଲାରେ ଦୁଇଟି ବଡ଼ ସୁନାଖଣିର ସନ୍ଧାନ ମିଳିଛି ଯେଉଁଥିରେ ପ୍ରାୟ ୩୦୦୦ ଟନ ସୁନା ମହଜୁଦ ରହିଥିବା ବିଷୟକୁ ଭାରତୀୟ ଭୂବୈଜ୍ଞାନିକ ସର୍ବେକ୍ଷଣ (ଜିଏସ୍ଆଇ) ମହାନିର୍ଦ୍ଦେଶକ ଏମ. ଶ୍ରୀଧର କୋଲକାତାଠାରେ ଖଣ୍ଡନ କରିଛନ୍ତି। ସୋନଭଦ୍ର ଜିଲ୍ଲା ଖଣି ଅଧିକାରୀଙ୍କ ପକ୍ଷରୁ ୩୦୦୦ ଟନ୍ ସୁନା ମହଜୁଦ ଥିବା ଯେଉଁ ଦାବି କରାଯାଇଛି ସେହି ତଥ୍ୟ ଜିଏସ୍ଆଇର କୌଣସି ଅଧିକାରୀ ଦେଇନାହାନ୍ତି ବୋଲି ସେ ସ୍ପଷ୍ଟ କରିଛନ୍ତି। ୧୯୯୮-୯୯ ଏବଂ ୧୯୯୯-୨୦୦୦ରେ ଜିଏସଆଇ ପକ୍ଷରୁ ସେଠାରେ ସର୍ଭେ ହୋଇଥିଲା। ତେବେ ଉତ୍ତୋଳନ ବେଳେ ସୁନା ମିଳିବା ପରିମାଣ ସେତେଟା ଉତ୍ସାହଜନକ ନଥିଲା। ସେହି ଖଣିରେ ମୋଟ ୫୨,୮୦୬.୨୫ ଟନ୍ର ଖଣିଜ ସାମଗ୍ରୀ ରହିଛି। ଟନ୍ ପିଛା ୩.୦୩ ଗ୍ରାମ ସୁନା ମିଳିବ ବୋଲି ଆକଳନ କରାଯାଇଥିଲା। ତେଣୁ ସେହି ଖଣିରୁ ଅତିବେଶରେ ୧୬୦ କିଗ୍ରା ସୁନା ମିଳିବ, ୩୩୫୦ ଟନ ସୁନା ନୁହେଁ ବୋଲି ଡିଜି ସ୍ପଷ୍ଟ କରିଦେଇଛନ୍ତି।