ପୁଣି ରେକର୍ଡ ଉଚ୍ଚତାରେ ସୁନାଦର, ୧୦ ଗ୍ରାମ ପିଛା ୩୮,୪୭୦ ଛୁଇଁଲା

ନୂଆଦିଲ୍ଲୀ : ସୋମବାରଦିନ ସୁନାଦର ପୁଣି ରେକର୍ଡ ସ୍ତରରେ ପହଞ୍ଚିଛି । ଦିଲ୍ଲୀର ସୁନା ବଜାରରେ ୧୦ ଗ୍ରାମପିଛା ୫୦ ଟଙ୍କା ବୃଦ୍ଧି ପାଇ ୩୮,୪୭୦ ଟଙ୍କାରେ ପହଞ୍ଚିଛି । ଗତ ଗୁରୁବାରଦିନ ସୁନା ପ୍ରଥମଥର ପାଇଁ ଏହି ଉଚ୍ଚତାରେ ପହଞ୍ଚିଥିଲା । ଅନ୍ତର୍ଜାତୀୟ ବଜାରରେ ଦର ବୃଦ୍ଧି ଓ ଘରୋଇ ବଜାରରେ ଚାହିଦା ବୃଦ୍ଧି ଫଳରେ ସୁନାଦର ବୃଦ୍ଧି ପାଇଥିବା ସର୍ବଭାରତୀୟ ସରାଫା ସଂଘ ପକ୍ଷରୁ କୁହାଯାଇଛି ।

ଦିଲ୍ଲୀରେ ଆଜି ସୁନା ଦର ୧୦ ଗ୍ରାମ ପିଛା ୫୦ ଟଙ୍କା ବୃଦ୍ଧି ପାଇଥିବାବେଳେ ରୁପା କିନ୍ତୁ କିଲୋଗ୍ରାମ ପିଛା ୧୧୫୦ ଟଙ୍କା ହ୍ରାସ ପାଇଛି । ଏହି ବୃଦ୍ଧି ଫଳରେ ଦିଲ୍ଲୀର ବୁଲିୟନ ମାର୍କେଟରେ ସୁନାଦର ୧୦ ଗ୍ରାମ ପିଛା ୩୮,୪୭୦ ଟଙ୍କାରେ ପହଞ୍ଚିଛି । ରୁପାଦର ମଧ୍ୟ କିଲୋଗ୍ରାମ ପିଛା ଏବେ ୪୩,୦୦୦ ଟଙ୍କାରେ ବିକ୍ରି ହେଉଛି ।

ଭାରତୀୟ ବଜାରରେ ୯୯.୯ ପ୍ରତିଶତ ଓ ୯୯.୫ ପ୍ରତିଶତ ଶୁଦ୍ଧତାର ସୁନା ୫୦ ଟଙ୍କା ଲେଖାଏଁ ବୃଦ୍ଧି ପାଇ ଯଥାକ୍ରମେ ୩୮,୪୭୦ ଓ ୩୮,୩୦୦ ଟଙ୍କାକୁ ବୃଦ୍ଧି ପାଇଛି । ଅନ୍ତର୍ଜାତୀୟ ବଜାରରେ ସୁନା ଦର ଆଉନ୍ସ ପିଛା ୧୫୦୩.୩୦ ଡଲାରରେ ପହଞ୍ଚିଛି । ଚୀନ-ଆମେରିକା ବାଣିଜ୍ୟ ଯୁଦ୍ଧ ଫଳରେ ଅନ୍ତର୍ଜାତୀୟ ବଜାରରେ ଦର ବୃଦ୍ଧି ପାଉଛି । ସୂଚନାଯୋଗ୍ୟ ଯେ ଏକ ଆଉନ୍ସ ହେଉଛି ୨୮.୩ ଗ୍ରାମ ।

ସମ୍ବନ୍ଧିତ ଖବର