ସୁନା ଚୋରା ଚାଲାଣ ମାମଲା: ଇଡିରେ ହାଜର ହେଲେ ସ୍ବପ୍ନା ସୁରେଶ, ୬ ଘଣ୍ଟା ଜେରା

କୋଚି : କେରଳ ସୁନା ଚୋରା ଚାଲାଣ ମାମଲାର ମୁଖ୍ୟ ଅଭିଯୁକ୍ତ ସ୍ବପ୍ନା ସୁରେଶ କ୍ରମାଗତ ଦ୍ୱିତୀୟ ଦିନ (ବୁଧବାର) ଇଡିର କୋଚି କାର୍ଯ୍ୟାଳୟରେ ହାଜର ହୋଇଛନ୍ତି। ଇଡି କାର୍ଯ୍ୟାଳୟରେ ତାଙ୍କୁ ପ୍ରାୟ ୬ ଘଣ୍ଟା ପଚରାଉଚରା କରାଯାଇଥିଲା।

କୋର୍ଟରେ ଦାଖଲ କରିଥିବା ତାଙ୍କର ୧୬୪ଟି ବିବୃତ୍ତି ଉପରେ ଇଡି ତାଙ୍କୁ ପଚରାଉଚରା କରୁଛି। କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ୍‌ ଏବଂ ତାଙ୍କ ପରିବାର ବିରୋଧରେ ସ୍ବପ୍ନା କରିଥିବା ଅଭିଯୋଗ ବିବାଦୀୟ ହୋଇପଡିଛି। ଏହି ଘଟଣାରେ କେରଳର ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ୍‌ଙ୍କ ସମ୍ପୃକ୍ତି ସମ୍ପର୍କରେ ସେ କୋର୍ଟରେ ଘୋଷଣା କରିଛନ୍ତି ବୋଲି ସ୍ବପ୍ନା କହିଛନ୍ତି।

ସ୍ବପ୍ନା କହିଛନ୍ତି, ମୋ ଜୀବନ ପ୍ରତି ବିପଦ ଥିବା ବିଷୟରେ ମୁଁ କୋର୍ଟରେ ୧୬୪ଟି ବିବୃତ୍ତି ଦେଇସାରିଛି। ଏହି ମାମଲାରେ ଜଡ଼ିତ ସମସ୍ତଙ୍କ ବିଷୟରେ ମୁଁ କୋର୍ଟରେ ଘୋଷଣା କରିସାରିଛି। କୋର୍ଟରେ ସୁରକ୍ଷା ମାଗିବା ପାଇଁ ଏକ ନିବେଦନ କରିଛି। ସେମାନେ ଏହା ଉପରେ ବିଚାର କରୁଛନ୍ତି। ମୁଁ ଏଥିରେ ଘୋଷଣା କରିଛି ଏମ୍‌ ଶିବଶଙ୍କର (ତତ୍କାଳୀନ କେରଳ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ସଚିବ), ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ କମଲା, ଝିଅ ବୀଣା, ମୁଖ୍ୟସଚିବ ସି ଏମ୍‌ ରବୀନ୍ଦ୍ରନ୍‌, ତତ୍କାଳୀନ ମୁଖ୍ୟ ସଚିବ ନଳିନୀ ନେଟୋ (ଆଇଏଏସ୍‌), ତତ୍କାଳୀନ ମନ୍ତ୍ରୀ କେ ଟି ଜଲିଲଙ୍କ ସମ୍ପୃକ୍ତି ବିଷୟରେ କୋର୍ଟକୁ କହିଛନ୍ତି। ସ୍ବପ୍ନା ଦାବି କରିଛନ୍ତି ଯେ ୨୦୧୬ରେ ଦୁବାଇରେ ଥିବାବେଳେ ବିଜୟନ୍‌ଙ୍କ ନିକଟକୁ ଏକ ବ୍ୟାଗ୍‌ ପଠାଯାଇଥିଲା। ୨୦୧୯ ଜୁଲାଇ ୫ରେ ତିରୁବନନ୍ତପୁରମ୍‌ରେ କଷ୍ଟମ ବିଭାଗ ଦ୍ବାରା ବ୍ୟାଗ ଜବତ ହୋଇଥିଲା। ଏଥିରେ ୧୪.୮୨ କୋଟି ଟଙ୍କା ମୂଲ୍ୟର ୩୦ କିଲୋଗ୍ରାମ ସୁନା ଚୋରା ଚାଲାଣ ହେଉଥିବା ଜଣା ପଡ଼ିବା ପରେ ଘଟଣା ସାମ୍ନାକୁ ଆସିଥିଲା।

୧୬ ମାସ ଜେଲ୍‌ରେ ବିତାଇବା ପରେ ସ୍ବପ୍ନା ଗତବର୍ଷ ନଭେମ୍ବରରେ ମୁକୁଳିଥିଲେ। ଇଡି, ଏନ୍‌ଆଇଏ ଏବଂ କଷ୍ଟମ୍ସ ବିଭାଗ ଏହି ମାମଲାର ଯାଞ୍ଚ କରୁଛନ୍ତି। ଏହାପୂର୍ବରୁ ସ୍ବପ୍ନା ସୁରେଶ ଅଭିଯୋଗ କରିଥିଲେ ଯେ ତାଙ୍କୁ କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ୍‌ଙ୍କ ମୁଖ୍ୟ ସଚିବ ଏମ୍‌ ଶିବଶଙ୍କର ତାଙ୍କୁ ଶୋଷଣ କରୁଛନ୍ତି।

ସମ୍ବନ୍ଧିତ ଖବର