କୋଲକାତା: ଓଡିଶା, କେରଳ ସମେତ ଉତ୍ତର ପୂର୍ବ ରାଜ୍ୟମାନଙ୍କରେ ସୁନା ଚୋରା ଚାଲାଣର ଗତିବିଧି ବୃଦ୍ଧି ପାଉଥିବାର ଦେଖାଦେଉଛି | ପଡୋଶୀ ଦେଶମାନଙ୍କରୁ ସୁନା କମ ମୂଲ୍ୟରେ ଆଣି ଭାରତରେ ବିକ୍ରି କରୁଥିବାର ଖବର ବାରମ୍ବାର ଆସୁଥିବାବେଳେ ପଶ୍ଚିମବଙ୍ଗର ସିଲିଗୁଡିରେ ଚୋରା ସୁନାର ଏକ ବଡ଼ ଧରଣର ରାକେଟ ଧରାପଡିଛି। ରେଭିନ୍ୟୁ ଇଣ୍ଟେଲିଜେନ୍ସ ନିର୍ଦେଶାଳୟ (ଡିଆରଆଇ) ଦ୍ୱାରା ୧୬୦ଟି ସୁନା ଇଟା ଜବତ କରାଯାଇଛି। ଏସବୁ ବିଦେଶରେ ତିଆରି ହୋଇଥିବାବେଳେ ଏଗୁଡିକର ମୋଟ ଓଜନ ପ୍ରାୟ ୨୬.୫୬୦ ଗ୍ରାମ ବୋଲି ଜଣାପଡିଛି | ବଜାରରେ ଏହାର ମୂଲ୍ୟ ପ୍ରାୟ ୧୪.୫ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି।

Advertisment

ଡିଆରଆଇ ଅଧିକାରୀ କହିଛନ୍ତି ଯେ ଚୋରା ଚାଲାଣକାରୀ ଗ୍ୟାଙ୍ଗର ତିନି ଜଣଙ୍କୁ ମଧ୍ୟ ଗିରଫ କରାଯାଇଛି। ବର୍ତ୍ତମାନ ଅଧିକ ଅନୁସନ୍ଧାନ ଚାଲିଛି। ପ୍ରାୟତଃ ଦେଖାଯାଏ ଯେ ଲୋକମାନେ ଅନ୍ୟ ଦେଶରୁ ସୁନା ଆଣିବାକୁ ଚେଷ୍ଟା କରନ୍ତି ଏବଂ ଏଥିରେ ଟିକସ ସଞ୍ଚୟ କରିବାକୁ ବେଆଇନ ପଦ୍ଧତି ବ୍ୟବହାର କରନ୍ତି | ଏହି କାରଣରୁ ଭାରତର ବିମାନ ବନ୍ଦରରେ ସୁନା ଚୋରା ଚାଲାଣକାରୀମାନେ ପ୍ରାୟତଃ ଧରାପଡିଥାନ୍ତି।

ଏଠାରେ ସୂଚନା ଥାଉ କି ଏହା ପୂର୍ବରୁ କେରଳର ତିରୁଅନନ୍ତପୁରମ ଅନ୍ତର୍ଜାତୀୟ ବିମାନବନ୍ଦରରେ ଏୟାର କାର୍ଗୋ ମାଧ୍ୟମରେ ପରିବହନ ହେଉଥିବା ସାମଗ୍ରୀରେ ୩୦ କିଲୋଗ୍ରାମରୁ ଅଧିକ ସୁନା ଜବତ କରାଯାଇଥିଲା | ଏହା ପଛରେ ୟୁଏଇର ପୂର୍ବତନ ବାଣିଜ୍ୟ ଅଧିକାରୀ ସ୍ୱପ୍ନା ସୁରେଶଙ୍କ ନାମ ସାମ୍ନାକୁ ଆସିଥିଲା | ଏହାର ଲିଙ୍କ ୟୁଏଇର କନସୁଲେଟ୍ ଜେନେରାଲ୍ ସହିତ ରହିଥିବାର ଜଣାପଡିଛି | ଅନ୍ୟପଟେ ସ୍ୱପ୍ନାଙ୍କ ସହ କେରଳର ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନଙ୍କ ଏକ ଫଟୋ ଭାଇରାଲ ହୋଇଥିଲା |ପୁଲିସ ଜାଣିବାକୁ ପାଇଥିଲା ଯେ ସ୍ୱପ୍ନା ମଡେଲ ଏବଂ ଅଭିନେତ୍ରୀମାନଙ୍କ ମାଧ୍ୟମରେ ସୁନା ଚୋରା ଚାଲାଣ କରୁଥିଲେ ।