କୋଲ୍‌କାତା: ସୋମବାର ଦିନ ସୀମା ସୁରକ୍ଷା ବଳ ବା ‘ବିଏସ୍‌ଏଫ୍‌’ ଭାରତ-ବାଂଲାଦେଶ ସୀମାନ୍ତ ନିକଟରେ ଚୋରାଚାଲାଣ ଉଦ୍ୟମ ଭଣ୍ଡୁର କରି ପ୍ରାୟ ୧୪ କୋଟି ଟଙ୍କା ମୂଲ୍ୟର ୨୩ କିଲୋଗ୍ରାମ୍‌ ସୁନା ଜବତ କରିଥିବା କଥା ‘ଇଣ୍ଡିଆ ଟୁଡେ’ ରିପୋର୍ଟ କରିଛି।

Advertisment

ଧରାପଡ଼ିଥିବା ଚୋରାଚାଲାଣକାରୀ ହେଲେ ପଶ୍ଚିମବଙ୍ଗର ଉତ୍ତର ୨୪ ପ୍ରଗଣା ଜଲ୍ଲାବାସୀ ୨୩ ବର୍ଷିୟ ଇନ୍ଦ୍ରଜିତ ପାତ୍ର। ତାଙ୍କ ପାଖରୁ ୫୦ଟି ସୁନା ବିସ୍କୁଟ୍‌ ଓ ୧୬ଟି ସୁନା ଇଟା ଜବତ କରାଯାଇଛି।

ବଡ଼ ଧରଣର ସୁନା ଚୋରାଚାଲାଣ ଉଦ୍ୟମ କରାଯାଉଥିବା ସଙ୍କ୍ରାନ୍ତରେ ସୁନିଶ୍ଚିତ ସୂଚନା ପାଇବା ପରେ ‘ବିଏସ୍‌ଏଫ୍‌’ ଯବାନମାନେ ଅଭିଯାନ ଆରମ୍ଭ କରିଥିଲେ। ଦଳେ ‘ବିଏସ୍‌ଏଫ୍‌’ ଯବାନ ରାସ୍ତାପାର୍ଶ୍ବରୁ ଅତର୍କିତ ଚଢ଼ଉ କରି ଜଣେ ସନ୍ଦିଗ୍ଧ ମୋଟୋରସାଇକେଲ୍‌ ଚାଳକଙ୍କୁ ଅଟକାଇଥିଲେ। ଘଟଣାସ୍ଥଳରେ ପଚରାଉଚରା କରାଯିବାରୁ ମୋଟର୍‌ସାଇକେଲ୍‌ ଛାଡ଼ି ଧାଇଁ ପଳାଇବାକୁ ଉଦ୍ୟମ କରୁଥିବା ଉକ୍ତ ବ୍ୟକ୍ତିଙ୍କୁ ଯବାନମାନେ ଧରିପକାଇଥିଲେ।

publive-image Image Courtesy of ZEE5

ମୋଟୋରସାଇକେଲ୍‌ଟିକୁ ତନ୍ନ ତନ୍ନ କରି ତଲାସ କରିବା ସମୟରେ ଏୟାର୍‌ ଫିଲ୍‌ଟର୍‌ରେ ସୁନା ଲୁଚା ଯାଇଥିବା ଜଣାପଡ଼ିଲା। ଜେରା ସମୟରେ ପାତ୍ର କହିଛନ୍ତି ଯେ, ସେ ଓ ତାଙ୍କ ଭାଇ ଗୋଟାଏ ଅଳଙ୍କାର ଦୋକାନ ଖୋଲିଛନ୍ତି। ସମୀର ନାମରେ ଜଣେ ବ୍ୟକ୍ତି ତାଙ୍କୁ ଭେଟି ରଙ୍ଗହାଟରୁ ବନଗାଁକୁ ସୁନା ନେବା ପାଇଁ କହିଥିଲେ ଓ ପାରିଶ୍ରମିକ ବାବଦକୁ ପ୍ରତି ମାସରେ ୧୫୦୦୦ ଟଙ୍କା ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ସମୀର ଦେଇଥିବା ସୁନାକୁ ସେ ମୋଟୋର୍‌ମାଇକେଲ୍‌ର ଏୟାର୍‌ ଫିଲଟର୍‌ରେ ଲୁଚାଇଥିଲେ।

ବିହିତ କାର୍ଯ୍ୟାନୁଷ୍ଠାନ ଲାଗି ଗିରଫ ହୋଇଥିବା ଚୋରାଚାଲାଣକାରୀ ପାତ୍ର ଓ ଜବତ ସୁନାକୁ ବାଗ୍‌ଦାସ୍ଥିତ ‘କଷ୍ଟମ୍‌ସ୍‌ ଅଫିସ୍‌’କୁ ହସ୍ତାନ୍ତର କରାଯାଇଛି।