୨୦ କିଲୋ ସୁନା ଗହଣା ପିନ୍ଧି ‘କନ୍‌ଓ୍ଵାର୍‌ ଯାତ୍ରା’ରେ ବାହାରିଲେ ଗୋଲ୍‌ଡେନ୍‌ ବାବା

ହରିଦ୍ୱାର: ୨୦ କିଲୋ ଓଜନର ସୁନା ଗହଣା ପିନ୍ଧି ୨୫ତମ ‘କନ୍‌ଓ୍ଵାର୍‌ ଯାତ୍ରା’ରେ ଭାଗ ନେଇଛନ୍ତି ଗୋଲ୍‌ଡେନ୍‌ ବାବା।

ଓଜନଦାର ସୁନାଗହଣାରେ ଛାଇ ହେଉଥିବା ଗୋଲ୍‌ଡେନ୍‌ ପୁରୀ ବାବା ଓରଫ୍‌ ସୁଧୀର ମକ୍କର୍‌ ଖୁବ୍‌ ପ୍ରସିଦ୍ଧ।

ପୂର୍ବରୁ ୧୨/୧୩ କିଲୋ ଓଜନର ସୁନା ଓ ୪ କୋଟି ଟଙ୍କାର ମୂଲ୍ୟବାନ ପଥର ଖଚିତ ହୀରା ଗହଣା ନାଇ ହରିଦ୍ୱାର ‘କନ୍‌ଓ୍ଵାର୍‌ ଯାତ୍ରା’କୁ ଯାଇ ସେ ହୈଚୈ ସୃଷ୍ଟି କରିଥିଲେ। ସେ ଆଙ୍ଗୁଠିରେ ପିନ୍ଧନ୍ତି ଷ୍ଟେଟ୍‌ମେଣ୍ଟ୍‌ ମୁଦ୍ରିକା ଓ ହାତରେ ବାନ୍ଧିଛନ୍ତି ୨୭ ଲକ୍ଷ ଟଙ୍କାର ରୋଲେକ୍ସ ଘଡ଼ି।

ଫି’ ବର୍ଷ ମକ୍କର୍‌ଙ୍କର ସୁନାର ପରିମାଣ ବଢ଼ିବା ପରି ମନେହେଉଛି। ଗତବର୍ଷ ସେ ପିନ୍ଧିଥିଲେ ୧୪. ୫ କିଲୋ ଓଜନର ସୁନା ଅଳଙ୍କାର। କିନ୍ତୁ, ଏ ବର୍ଷ ୨୫ତମ ‘କନ୍‌ଓ୍ଵାର୍‌ ଯାତ୍ରା’ରେ ସେ ପିନ୍ଧିଛନ୍ତି ୨୦ କିଲୋ ଓଜନର ସୁନା ଅଳଙ୍କାର ଯାହାର ମୂଲ୍ୟ ହେବ ପ୍ରାୟ ୬ କୋଟି ଟଙ୍କା।

ବାବା ପାଲଟିଥିବା ବ୍ୟବସାୟୀ ସ୍ୱର୍ଣ୍ଣ ଅଳଙ୍କାର ପାଇଁ ବିଭିନ୍ନ ଧର୍ମ ଉତ୍ସବରେ ଲୋକମାନଙ୍କର ଦୃଷ୍ଟି ଆକର୍ଷଣ କରନ୍ତି। ୨୦୧୬ ମସିହା ’କନ୍‌ଓ୍ଵାର୍‌ ଯାତ୍ରା’ରେ ତାଙ୍କ ଯୋଗୁଁ ଖୁବ୍‌ ଗହଳି ହୋଇଥିଲା। ଗତ ଜାନୁାଆରି ମାସରେ ହୋଇଥିବା ଅର୍ଦ୍ଧ କୁମ୍ଭ ମେଳାରେ ତାଙ୍କର ଚକଚକିଆ ଲକେଟ୍‌, ମୂଲ୍ୟବାନ ପଥରବସା ବାହୁଟି, ସବୁ ଆଙ୍ଗୁଠିରେ ମୁଦି ଏବଂ ସ୍ୱତନ୍ତ୍ର ଭାବେ ଖୋଦିତ ହୀରା ଘଡ଼ି ଦେଖିବାକୁ ଲୋକେ ଧାଡ଼ି ବାନ୍ଧିଥିଲେ।

ଉତ୍ତରାଖଣ୍ଡରେ ବୁଲିବା ସମୟରେ ବାବାଙ୍କୁ ଅହର୍ନିଶ ପହରା ଦେଉଥାଆନ୍ତି ଦୁଇ ଜଣ ପୁଲିସବାଲା।

ରାଜ୍ୟ ମଧ୍ୟରେ ଗମନାଗମନ କରିବା ବେଳେ ଉତ୍ତର ପ୍ରଦେଶ ସରକାର ତାଙ୍କୁ ସୁରକ୍ଷା ଯୋଗାଇ ଦେଇ ଥାଆନ୍ତି।

ସମ୍ବନ୍ଧିତ ଖବର