ଭୁବନେଶ୍ବର: ଫେରୁଛି ଓଡିଆ ସିନେମାର ଭଲ ଦିନ । ଖାଲି ଓଡିଶା ନୁହେଁ ଓଡିଶା ବାହାରେ ବି ଓଡିଆ ସିନେମା କିଣୁଛି ଦର୍ଶକଙ୍କ ମନ । ଖାଲି ଦର୍ଶକଙ୍କ ମନ ଜିଣିବାରେ ସୀମିତ ନାହିଁ ସିନେମା ବରଂ ଏହାର ପରିସୀମା ଆଉ ଦି’ପାଦ ଆଗେଇଛି । ଓଡ଼ିଆ ସିନେମାକୁ ମିଳୁଛି ଜାତୀୟ ପୁରସ୍କାର ।
ଯେତେବେଳେ ଓଡିଆ ସିନେ ଜଗତରେ ଘୋଟି ଆସିଥିଲା କଳା ବାଦଲ । ଓଡ଼ିଆ ସିନେ ଇଣ୍ଡଷ୍ଟ୍ରୀ ଯେତେବେଳେ ଏକ ଦୁର୍ଦ୍ଦିନ ଦେଇ ଗତି କରୁଥିଲା ଏବଂ ତାର ଭବିଷ୍ୟତ ଏକ ଅନିଶ୍ଚିତତା ଭିତରେ ରହିଥିଲା ସେତେବେଳେ ଓଡିଆ ସିନେମାର ଭାଗ୍ୟକୁ ନେଇ ସମସ୍ତେ ସନ୍ଦିହାନ ଥିଲେ । କଣ ହେବ ଏଡେ ବଡ଼ ଇଣ୍ଡଷ୍ଟ୍ରୀର ଭାଗ୍ୟ ? ଭଲ ସିନେମା ହେଉ ନଥିଲା, ସିନେମା ହେଉଥିଲେ ବି ଦର୍ଶକ ଦେଖୁନଥିଲେ, ହଲରେ ଚାଲୁନଥିଲା.. ଏମିତି କେତେ କେତେ ପରିସ୍ଥିତି ଦେଇ ଗତି କରୁଥିଲା । କଳାକାରମାନେ ବି ସିନେ ଜଗତକୁ ନେଇ ଆଶଙ୍କାରେ ରହିଥିଲେ । ସେମାନଙ୍କ ପେଟ ପାଟଣା କଥାକୁ ନେଇ ଚିନ୍ତାରେ ଥିଲେ ।
ହେଲେ ଠିକ୍ ସେହି ସମୟରେ ହଠାତ୍ ବଦଳିଥିଲା ଓଡିଆ ସିନେମାର ଭାଗ୍ୟ । ସିନେ ଜଗତ ଉପରେ ଢାଙ୍କି ରହିଥିବା କଳା ବାଦଲ ହଟିଥିଲା ଆଉ ଉଇଁଥିଲା ସିନେମାର ନୂଆ ସୂରଜ । ଓଡିଆ ସିନେମାର ଦରିଆ କୂଳରେ ପିଟି ହୋଇଥିଲା ‘ଦମନ’ର ଲହଡ଼ି । ଭାଙ୍ଗି ପଡିଥିବା ସିନେ ଜଗତକୁ ଦମ୍ଭ ଦେଇଥିଲା ‘ଦମନ’ । ଫେରିଥିଲା ସିନେମାର ସ୍ବର୍ଣ୍ଣିମ ଯୁଗ । ହଲକୁ ଫେରିଥିଲେ ଦର୍ଶକ । ଲାଗିଥିଲା ଓଡିଆ ସିନେମାକୁ ଦେଖିବା ପାଇଁ ଲୋକଙ୍କ ଲମ୍ବା ଲାଇନ୍ । ଓଡିଆ ସିନେମାରୁ ମୁହଁ ଫେରାଇ ନେଇଥିବା ଦର୍ଶକ ନିଜ ରାଇଜର କାହାଣୀ ଦେଖିଲେ ।
ବାସ୍ ତାପରେ ଫୁଲ ଦମରେ ଓଡିଆ ସିନେମା କମର କଷି ଆଗକୁ ଯାଉଥିବା ବେଳେ 'ପ୍ରତୀକ୍ଷା' ଦେଇଥିଲା ନୂଆ ଏକ ଆଶା । ସିନେମା ହଲକୁ ପୁଣି ଫେରିଥିଲେ ଦର୍ଶକ । ପ୍ରତୀକ୍ଷା ଲୋକଙ୍କ ପ୍ରିୟ ପାଲଟିଥିଲା । ଦୁଇଟି ସିନେମାକୁ ଲୋକେ ଏତେ ପସନ୍ଦ କରିଥିଲେ ଯେ, ଉକ୍ତ ସିନେମା ଦ୍ବୟକୁ ଜାତୀୟ ପୁରସ୍କାର ମିଳିଲା । ଦମନ ପ୍ରଥମେ ରିଲିଜ ହୋଇଥିଲେ ହେଁ ତାକୁ ପରେ ଜାତୀୟ ପୁରସ୍କାର ମିଳିଲା ।
୨୦୨୧ରେ ‘ପ୍ରତୀକ୍ଷା’ ଶ୍ରେଷ୍ଠ ଓଡିଆ ଚଳଚ୍ଚିତ୍ର ଭାବେ ଜାତୀୟ ପୁରସ୍କାର ପାଇଥିବା ବେଳେ ୨୦୨୨ରେ ‘ଦମନ’ ଶ୍ରେଷ୍ଠ ଓଡିଆ ଚଳଚ୍ଚିତ୍ର ଭାବେ ଜାତୀୟ ପୁରସ୍କାର ପାଇଥିଲା । ଆଉ ଏବେ ୨୦୨୩ ପାଇଁ ୭୧ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯାଇଥିବା ବେଳେ ଓଡ଼ିଆ ଫିଲ୍ମ 'ପୁଷ୍କରା'କୁ ଜାତୀୟ ପୁରସ୍କାର ପାଇଁ ବିବେଚିତ କରାଯାଇଛି ।
କଥାକାର ଗୌରହରି ଦାସଙ୍କ ଗଳ୍ପ ବାପା ଓ ଅନ୍ୟାନ୍ୟ ଗଳ୍ପ ବହିର କାହାଣୀରୁ ଅନୁପ୍ରାଣିତ ହୋଇଥିଲା ପ୍ରତୀକ୍ଷା ସିନେମା ହୋଇଥିଲା । ବାପା-ପୁଅର ନିବିଡ଼ ସମ୍ପର୍କ ଦର୍ଶାଉଥିବା ଫିଲ୍ମ 'ପ୍ରତୀକ୍ଷା' ଶ୍ରେଷ୍ଠ ଓଡ଼ିଆ ଫିଚର୍ ଫିଲ୍ମ ବର୍ଗରେ ୬୯ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲା ।
ସେହିପରି ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବେ ‘ଦମନ’୭୦ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଗ୍ରହଣ କରିଥିଲା । ମାଓ ପ୍ରବଣ ମାଲକାନଗିରି ଜିଲ୍ଲାର ଉପାନ୍ତ ଅଞ୍ଚଳରେ ମ୍ୟାଲେରିଆ ନିରାକରଣ ଉପରେ ଆଧାରିତ ଥିଲା ସିନେମା । ଦ- ଦୁର୍ଗମ ଅଞ୍ଚଳରେ, ମ-ମ୍ୟାଲେରିଆ ଏବଂ ନ-ନିରାକରଣକୁ ନେଇ ଫିଲ୍ମ ନିର୍ମିତ ହୋଇଥିଲା । ଚଳଚ୍ଚିତ୍ରଟି ଓଡ଼ିଶା ସମେତ ରାଜ୍ୟ ବାହାରେ ମଧ୍ୟ ମୁକ୍ତିଲାଭ କରିଥିଲା । ପରେ ଏହାକୁ ହିନ୍ଦୀ ଭାଷାରେ ମଧ୍ୟ ଅନୁବାଦ କରାଯାଇଥିଲା ।
ଆଉ ଏବେ ଓଡ଼ିଆ ଫିଲ୍ମ 'ପୁଷ୍କରା'କୁ ଜାତୀୟ ପୁରସ୍କାର ପାଇଁ ଘୋଷଣା କରାଯାଇଛି । ଶୁଭ୍ରାଂଶୁ ଦାଶଙ୍କ ନିର୍ଦ୍ଦେଶିତ 'ପୁଷ୍କରା' ନାଦବିନ୍ଦୁରୁ ଅନୁପ୍ରାଣିତ ସିନେମା । ତରଙ୍ଗ ସିନେ ପ୍ରଡକସନ୍ସର 'ପୁଷ୍କରା' ଶ୍ରେଷ୍ଠ ଓଡ଼ିଆ ଫିଲ୍ମ ବିବେଚିତ ହୋଇଛି । ଏହି ଚଳଚ୍ଚିତ୍ରର ମୁଖ୍ୟ ଚରିତ୍ରରେ ସବ୍ୟସାଚୀ ମିଶ୍ର ଅଭିନୟ କରିଛନ୍ତି। ୨୦୨୩ ଗଣେଶ ପୂଜା ଦିନ ମୁକ୍ତିଲାଭ କରିଥିଲା। ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ନିଚ୍ଛକ ଅଭିନୟ ଦର୍ଶକଙ୍କୁ ଆକର୍ଷିତ କରିଥିଲା । ସେହି ସମୟରେ ସିନେମାକୁ ପୁଣି ଥରେ ବୁଷ୍ଟର ଡୋଜ ଦେବାକୁ ସବ୍ୟଙ୍କ କାନ୍ଧରେ ଥିଲା ଗୁରୁ ଦାୟିତ୍ବ । ସବ୍ୟଙ୍କ ପାଇଁ କରବା ମର ପରିସ୍ଥିତି ସୃଷ୍ଟି ହୋଇଥିଲେ ବି ସେ ନିଜେ ସିନେମା ହଲ୍ ବୁଲି ଫିଲ୍ମର ପ୍ରଚାର ପ୍ରସାର କରିଥିଲେ । ଏକ ନିଚ୍ଛକ ଓଡ଼ିଆ ସିନେମା ଦେଖିବାକୁ ଲୋକଙ୍କୁ ଅନୁରୋଧ କରିଥିଲେ । ଯାହାର ଫଳ ଏବେ ମିଳିଛି ।
ଅଧିକ ପଢନ୍ତୁ-
ଓଡ଼ିଆ ଫିଲ୍ମ 'ପୁଷ୍କରା'କୁ ଜାତୀୟ ପୁରସ୍କାର ଘୋଷଣା ପରେ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ