ସ୍ୱର୍ଣ୍ଣ ମନ୍ଦିରକୁ ମିଳିଲା ‘ମୋଷ୍ଟ ଭିଜିଟେଡ ପ୍ଲେସ୍‌ ଅଫ ଓ୍ଵାଲର୍ଡ’ର ମାନ୍ୟତା

ଅମୃତସର: ଲଣ୍ଡନର ଓ୍ଵାଲର୍ଡ ବୁକ୍‌ ଅଫ ରେକର୍ଡ ଅମୃତସରର ସ୍ୱର୍ଣ୍ଣ ମନ୍ଦିରକୁ ‘ମୋଷ୍ଟ ଭିଜିଟେଡ ପ୍ଲେସ୍‌ ଅଫ ଓ୍ଵାଲର୍ଡ’ର ମାନ୍ୟତା ପ୍ରଦାନ କରିଛନ୍ତି। ଏହି ପୁରସ୍କାର ସେହି ଧାର୍ମିକ କ୍ଷେତ୍ରକୁ ପ୍ରଦାନ କରାଯାଇଥାଏ ଯେଉଁଠାକୁ ଅଧିକ ସଂଖ୍ୟାରେ ଦେଶ-ବିଦେଶରୁ ବିଭିନ୍ନ ଧର୍ମ-ସମ୍ପ୍ରଦାୟର ଶ୍ରଦ୍ଧାଳୁ ଆସିଥାଆନ୍ତି।

ସିରୋମଣି ଗୁରୁଦ୍ୱାର ପ୍ରବନ୍ଧକ କମିଟିର ମୁଖ୍ୟ ସଚିବ ଡକ୍ଟର ରୁପ ସିଂହ ଲଣ୍ଡନରୁ ଆସିଥିବା ପ୍ରତିନିଧି ସୁରଭି କୌଲ ଓ ରନଦୀପ ସିଂହ କୋହଲିଙ୍କ ଠାରୁ ‘ମୋଷ୍ଟ ଭିଜିଟେଡ ପ୍ଲେସ୍‌ ଅଫ ଓ୍ଵାଲର୍ଡ’ ଆଓ୍ଵାର୍ଡ ଗ୍ରହଣ କରିଛନ୍ତି। ଏହି ଅବସରରେ ମୁରଲି କୌଲ, ସ. ରନଦୀପ ସିଂହ କୋହଲି, ଶ୍ରୀ ଗୌରବ ଆନନ୍ଦ, କ୍ୟାପଟନ୍‌ ଅଭିନବ ଗର୍ଗ, ଶ୍ରୀ ସାଗର କପୁର ଓ ମିନି କୋହଲିଙ୍କୁ ମେଡେଲ ସହିତ ସାଲ ଦିଆଯାଇ ସମ୍ମାନୀତ କରାଯାଇଥିଲା।

ସୁରଭି କୌଲଙ୍କ ଠାରୁ ପୁରସ୍କାର ହାସଲ କରିବା ପରେ ଏସଜିପିସିର ମୁଖ୍ୟ ସଚିବ ଡକ୍ଟର ରୁପ ସିଂହ କହିଛନ୍ତି, ଗୋଲଡେନ୍‌ ଟେମ୍ପୁଲ ବିଶ୍ୱର ଏକମାତ୍ର ଧାର୍ମିକ କ୍ଷେତ୍ର, ଯେଉଁଠାକୁ ବିଭିନ୍ନ ସମ୍ପ୍ରଦାୟର ଲୋକମାନେ ଆସିଥାଆନ୍ତି। ଏମିତିକି ପ୍ରତିଦିନ ଏହି ସ୍ୱର୍ଣ୍ଣ ମନ୍ଦିରକକୁ ଦେଖିବା ପାଇଁ ପାଖାପାଖି ୧ଲକ୍ଷ ଶ୍ରଦ୍ଧାଳୁଙ୍କ ଭିଡ ଜମିଥାଏ।

ଏଯାବତ୍‌ ‘ମୋଷ୍ଟ ଭିଜିଟେଡ ପ୍ଲେସ୍‌ ଅଫ ଓ୍ଵାଲର୍ଡ’ର ପୁରସ୍କାର ସିରିଡି ସାଇ ବାବା, ବୈଷ୍ଣୋଦେବୀ, ମାଉଣ୍ଟ ଆବୁକୁ ପ୍ରଦାନ କରାଯାଇଛି ବୋଲି ସୁରଭି କୌଲ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର