ମୁମ୍ବାଇ : ଗତ ମାର୍ଚ୍ଚ ୧୮ ତାରିଖରେ ବଲିଉଡ୍ ଅଭିନେତା ସଲମାନ ଖାନ୍ଙ୍କୁ ଇମେଲରେ ମିଳିଥିଲା ଧମକ। ଏହି ଇମେଲ ପଠାଇଥିବା ଲୋକ ଆଉ କେହି ନୁହେଁ, ଗତବର୍ଷ ମେ ମାସରେ ପଞ୍ଜାବୀ ଗାୟକ ତଥା କଂଗ୍ରେସ ନେତା ସିଦ୍ଧୁ ମୁସେୱାଲାଙ୍କ ହତ୍ୟାକାରୀ ତଥା କୁଖ୍ୟାତ ଗ୍ୟାଙ୍ଗଷ୍ଟର ଗୋଲ୍ଡି ବ୍ରାର ବୋଲି ମୁମ୍ବାଇ ପୁଲିସ ବୁଧବାର ପ୍ରକାଶ କରିଛି।
ବ୍ରାର ବର୍ତ୍ତମାନ ଇଂଲଣ୍ଡରେ ଆତ୍ମଗୋପନ କରିଥିବା ଜଣାପଡ଼ିଛି। ଏହି ମାମଲାରେ ମୁମ୍ବାଇ ପୁଲିସ ଇଣ୍ଟରପୋଲର ସାହାଯ୍ୟ ନେଇଛି। ଇଂଲଣ୍ଡ ସରକାରଙ୍କୁ ମଧ୍ୟ ଗୋଲ୍ଡି ବ୍ରାରକୁ ଧରିବା ପାଇଁ ଏକ ଅନୁରୋଧପତ୍ର ପଠାଯାଇଛି।
ସଲମାନଙ୍କ ଜଣେ ଘନିଷ୍ଠ ସହଯୋଗୀ ପ୍ରଶାନ୍ତ ଗୁଞ୍ଜଲକର ଏକ ଇମେଲ ପାଇଥିଲେ। ସେଥିରେ ଜେଲରେ ଥିବା ଲରେନ୍ସ ବିଷ୍ଣୋଇର ଏକ ସାକ୍ଷାତ୍କାରର ରେଫରେନ୍ସ ଦେଇ ଦାବି କରାଯାଇଥିଲା ଯେ ତାଙ୍କ ଜୀବନର ଲକ୍ଷ୍ୟ ହେଉଛି ସଲମାନଙ୍କୁ ହତ୍ୟା କରିବା। ଏହି ଇମେଲ ପଠାଇଥିବା ଲୋକ ରୋହିତ ଗର୍ଗ ବୋଲି ଜଣାପଡ଼ିଛି। ଏ ନେଇ ସଲମାନ ଖାନ୍ଙ୍କ ଟିମ୍ ପୁଲିସରେ ଅଭିଯୋଗ କରିଛନ୍ତି।