କାଲିଫର୍ଣ୍ଣିଆ/ନୂଆଦିଲ୍ଲୀ: କାଲିଫର୍ଣ୍ଣିଆ ଗୁଳିକାଣ୍ଡରେ ଭାରତରୁ ଫେରାର୍ ହୋଇଥିବା ଗ୍ୟାଙ୍ଗ୍ଷ୍ଟର ଗୋଲ୍ଡି ବ୍ରାର୍ ଓରଫ ସତୀନ୍ଦ୍ରଜିତ୍ ସିଂହର ମୃତ୍ୟୁ ଘଟିନାହିଁ ବୋଲି ଆଜି କାଲିଫର୍ଣ୍ଣିଆ ପୁଲିସ ସ୍ପଷ୍ଟ କରିଛି। ଏପ୍ରିଲ୍ ୩୦ ତାରିଖରେ ଫେୟାର୍ମୋଣ୍ଟ ଆଭେନ୍ୟୁ ଓ ହୋଲ୍ଟ ଆଭେନ୍ୟୁ ନିକଟରେ ଏକ ଗୁଳିକାଣ୍ଡ ଘଟିଥିଲା। ଏଥିରେ ଜଣେ ବ୍ୟକ୍ତିର ମୃତ୍ୟୁ ଘଟିଥିଲା। ଏହି ଘଟଣା ପରେ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲା ହତ୍ୟାକାଣ୍ଡର ମୁଖ୍ୟ ଆରୋପୀ ତଥା ଗ୍ୟାଙ୍ଗ୍ଷ୍ଟର ଗୋଲ୍ଡିର ମୃତ୍ୟୁ ଘଟିଥିବା କଥା ପ୍ରଚାରିତ ହୋଇଥିଲା। ଏହାଉପରେ ଫ୍ରେସନୋ ପୁଲିସ ସ୍ପଷ୍ଟୀକରଣ ଜାରି କରିଛି।
ପୁଲିସ ପକ୍ଷରୁ ମୃତକଙ୍କ ଫଟୋଚିତ୍ର ଜାରି କରାଯାଇଛି। ସ୍ପଷ୍ଟୀକରଣରେ କୁହାଯାଇଛି ଯେ ଦୁଇ ଗୋଷ୍ଠୀ ମଧ୍ୟରେ ଗୁଳିକାଣ୍ଡ ଘଟିଥିଲା। ଏଥିରେ କିନ୍ତୁ ଗୋଲ୍ଡି ବ୍ରାର୍ର ମୃତ୍ୟୁ ଘଟିନାହିଁ। ମୃତ୍ୟୁ ଘଟିଥିବା ମୃତ ବ୍ୟକ୍ତିଜଣକ ୩୭ ବର୍ଷୀୟ ଜାଭିୟର୍ ଗ୍ଲାଡ୍ନେ। ସେହିଭଳି ଏହି ଗୁଳିକାଣ୍ଡରେ ଅନ୍ୟଜଣେ ନାବାଳକ ମଧ୍ୟ ଆହତ ହୋଇଛନ୍ତି ଓ ତାଙ୍କୁ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ତେବେ ତାଙ୍କର ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି। ଗୁଳିକାଣ୍ଡର ଅଭିଯୁକ୍ତ ହେଉଛି ୩୩ ବର୍ଷୀୟ ଡାରେନ୍ ୱିଲିୟମ୍ସ। ଗୁଳିକାଣ୍ଡ ପରେ ସେ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଛି। ଡାରେନ୍ ବିରୋଧରେ ପୁଲିସ ଗିରଫ ପରୱାନା ଜାରି କରି ତଥ୍ୟ ଯୋଗାଇବାରେ ସହଯୋଗ କରିବାକୁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି।