ଗଲ୍‌ୱାନ୍‌ ସଂପୂର୍ଣ୍ଣ ଭାରତ ନିୟନ୍ତ୍ରଣରେ: ସଂଘର୍ଷ ସ୍ଥଳରୁ ଜଣେ ଚୀନା କର୍ଣ୍ଣେଲଙ୍କୁ ନିଜ କବ୍‌ଜାକୁ ନେଇଥିଲା

ଚୀନ୍‌ ପୋଷ୍ଟ୍‌ ଧ୍ବସ୍ତ କରିଛି ସେନା

ନୂଆଦିଲ୍ଲୀ: ପୂର୍ବ ଲଦାଖ୍‌ର ଗଲ୍‌ୱାନ ଘାଟି ସଂପୂର୍ଣ୍ଣ ଭାରତ ନିୟନ୍ତ୍ରଣରେ ରହିଛି ଏବଂ ଏଠାରେ ଏବେ ଆଉ ଚୀନ୍‌ର କୌଣସି ପୋଷ୍ଟ୍‌ ନାହିଁ। ଏହି ଘାଟି ଦଖଲ ପାଇଁ ଚୀନ୍‌ର ଷଡ଼ଯନ୍ତ୍ରକୁ ଭାରତ ପଣ୍ଡ କରିଦେଇଛି ଏବଂ ଗତ ୧୫ ତାରିଖ ରାତିରେ ହୋଇଥିବା ସଂଘର୍ଷ ପରେ ଚୀନ୍‌ର ସାମରିକ ପୋଷ୍ଟକୁ ହଟାଇ ଦିଆଯାଇଛି। ଭାରତୀୟ ସେନାର ବିହାର ରେଜିମେଣ୍ଟ ଏବଂ ୩ ମିଡିୟମ ରେଜିମେଣ୍ଟର ଅପୂର୍ବ ସାହସିକତା ଯୋଗୁଁ ଚୀନ୍‌ର ସବୁ ଚାଲ୍‌ ପଣ୍ଡ ହୋଇଯାଇଛି। ଏହି ସଂଘର୍ଷରେ ଭାରତର ୨୦ ଜଣ ଯବାନ ସହିଦ ହୋଇଥିବା ବେଳେ ଚୀନ୍‌ର ୪୫ରୁ ୫୦ ସୈନିକ ମରିଥିବା ଅନୁମାନ କରାଯାଉଛି।

ଗଲୱାନ ଘାଟିରେ ଚୀନ୍‌ ଏକ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାରୁ ଏହାକୁ ରୋକିବା ପାଇଁ ଗତ ସୋମବାର ଅପରାହ୍ନରେ ଭାରତୀୟ ସେନା ପହଞ୍ଚିଥିଲେ। ସୋମବାର ଚୀନ୍‌ର ୧୦-୧୨ ଜଣ ସୈନିକଙ୍କୁ ନେଇ ଉକ୍ତ ଅଂଚଳରେ ଏକ ପୋଷ୍ଟ ସ୍ଥାପନ ହୋଇଥିଲା ଏବଂ ପାଟ୍ରୋଲିଂ କରୁଥିବା ଭାରତୀୟ ସେନା ତୁରନ୍ତ ଏହାକୁ ହଟାଇବାକୁ କହିଥିଲା। ବିହାର ରେଜିମେଣ୍ଟ୍‌ର କର୍ନେଲ ସନ୍ତୋଷ ବାବୁଙ୍କ ନେତୃତ୍ବରେ ସେଦିନ ଅପରାହ୍ନରେ ୫୦ ଜଣ ସୈନିକ ଯାଇ ଚୀନ୍‌ ସେନା ସହିତ ଆଲୋଚନା କରିଥିଲେ ଏବଂ ତୁରନ୍ତ ପୋଷ୍ଟ୍‌ ହଟାଇବାକୁ କହିଥିଲେ। ତେବେ ଚୀନ୍‌ ପୂର୍ବ ଯୋଜନା ମୁତାବକ ସେମାନଙ୍କ ଉପରେ ଆକ୍ରମଣ ଆରମ୍ଭ କରିଦେଇଥିଲା ଏବଂ ସଂଘର୍ଷ ପ୍ରାୟ ୩ ଘଣ୍ଟା ଧରି ଚାଲିଥିଲା। ଏହାପରେ ଭାରତର ଆଉ ୫୦ ଜଣ ଯବାନ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେଠାରେ ଚୀନ୍‌ର ୩୫୦ ଜଣ ସୈନିକ ଉପସ୍ଥିତ ଥିଲେ। କମ୍‌ ସଂଖ୍ୟା ସତ୍ତ୍ବେ ଭାରତ ଚୀନ୍‌ର ପୋଷ୍ଟ୍‌ ହଟାଇବାକୁ ସକ୍ଷମ ହୋଇଥିଲା ଏବଂ ରକ୍ତାକ୍ତ ସଂଘର୍ଷରେ ୨୦ ଜଣ ଯବାନ ସହିଦ ହୋଇଯାଇଥିଲେ। ଭାରତୀୟ ସେନାର ୧୦ ଜଣ ଯବାନଙ୍କୁ ଚୀନ୍‌ ଧରିନେବା ପରେ ଘଟଣାସ୍ଥଳରେ ଜଣେ ଚୀନା କର୍ଣ୍ଣେଲଙ୍କୁ ମଧ୍ୟ ଭାରତ ବନ୍ଦୀ କରିବାରେ ସକ୍ଷମ ହୋଇଥିଲା। ପରେ ଭାରତୀୟ ଯବାନ ମୁକୁଳିବା ପରେ ଭାରତ ମଧ୍ୟ ଚୀନା କର୍ଣ୍ଣେଲଙ୍କୁ ମୁକ୍ତି ଦେଇଥିଲା।

ସମ୍ବନ୍ଧିତ ଖବର