କୋଚି: କେରଳର କୋଚି ଠାରେ ନିର୍ମିତ ୪ଟି ଆପାର୍ଟମେଣ୍ଟ୍ରୁ ୨ଟିକୁ ଶନିବାର ଦିନ ‘କଣ୍ଟ୍ରୋଲ୍ଡ୍ ଇମ୍ପ୍ଲୋସନ୍’ ବା ବିସ୍ଫୋରକ ମାଧ୍ୟମରେ ଧରାଶାୟୀ କରାଯାଇଛି। ‘କୋଷ୍ଟାଲ୍ ଜୋନ୍ ରେଗୁଲେସନ୍’ (ସିଜେଆର୍) ଉଲ୍ଲଂଘନ କରାଯାଇ ନିର୍ମାଣ କରାଯାଇଥିବାରୁ ଏଗୁଡ଼ିକୁ ଭାଙ୍ଗି ଦେବାକୁ ଗତ ମେ ମାସରେ ସୁପ୍ରିମ୍ କୋର୍ଟ ଆଦେଶ ଦେଇଥିଲେ।
ବିସ୍ଫୋରକ ସହାୟତାରେ ନିମିଷକ ମଧ୍ୟରେ ଅନ୍ୟୂନ ୮ ଲକ୍ଷ ବର୍ଗଫୁଟ୍ ପରିମିତ ସ୍ଥାନରେ ନିର୍ମିତ ମରାଦୁ ଆପାର୍ଟମେଣ୍ଟ୍ ପରିସରର ଦୁଇଟି ଅଟ୍ଟାଳିକାକୁ ଧ୍ୱଂସ କାରଯିବା ହେଉଛି ଭାରତର ବୃହତ୍ ଉଚ୍ଛେଦ ଅଭିଯାନର ଅନ୍ୟତମ ଘଟଣା।
ଆଜି ସେଠାରେ ଧ୍ୱଂସ କରାଯାଇଥିବା ପ୍ରଥମ ଅଟ୍ଟାଳିକାଟି ହେଉଛି ‘ଏଚ୍୨୦ ହୋଲି ଫେଥ୍ କମ୍ପ୍ଲେକ୍ସ୍’। ୯୧ଗୋଟି ଆପାର୍ଟମେଣ୍ଟ୍ ଥିବା ଏହି ୧୯ ମହଲାବିଶିଷ୍ଟ ଅଟ୍ଟାଳିକାଟି ତାସ୍ ଘର ପରି ଭୁଶୁଡ଼ି ପଡ଼ିଥିଲା। ଏହାର କିଛି ଅଂଶ ଯାଇ ପାଖରେ ଥିବା ଜଳରାଶିରେ ପଡ଼ିଥିବା ବେଳେ ଭୂଇଁ ଉପରେ ୫ ମହଲା କୋଠା ଉଚ୍ଚର ଭଗ୍ନାଂଶ ଗଦାହୋଇ ପଡ଼ିଛି।
#WATCH Maradu flats demolition: H2O Holy Faith apartment tower demolished through controlled implosion #Keralapic.twitter.com/fKbciLGH14
— ANI (@ANI) January 11, 2020
ପୂର୍ବାହ୍ନ ପ୍ରାୟ ୧୧: ୧୯ ମିନିଟ୍ରେ ୨୧୨. ୪ କିଲୋଗ୍ରାମ୍ ବିସ୍ଫୋରକ ଦ୍ୱାରା ଏହାକୁ ଭାଙ୍ଗି ଦିଆଯାଇଥିବା ଜଣାପଡ଼ିଛି। ୭୦ ମିଟର ଉଚ୍ଚ ଏହି ଅଟ୍ଟାଳିକାରେ ୧୪୭୧ଟି ଗାତ କରାଯାଇ ବିସ୍ଫୋରକ ଭର୍ତ୍ତି କରାଯାଇଥିଲା।
ଦ୍ୱିତୀୟ ଅଟ୍ଟାଳିକାଟି ହେଉଛି ଏହା ଠାରୁ ୮୦୦ ମିଟର ଦୂରରେ ଥିବା ‘ଆଲ୍ଫା ସିରିନ୍’। ୬୭ଟି ଫ୍ଲାଟ୍ ଥିବା ୧୭ ମହଲାବିଶିଷ୍ଟ ଏଇ ଅଟ୍ଟାଳିକାଟିକୁ ମଧ୍ୟ ନିମିଷକେ ମାଟିରେ ମିଶାଇ ଦିଆଯାଇଥିଲା।
ଆସନ୍ତାକାଲି ଅର୍ଥାତ୍ ରବିବାର ଦିନ ସେଠାରେ ଥିବା ବାକି ଦୁଇଟି ଅଟ୍ଟାଳିକାକୁ ସମାନ ଉପାୟରେ ଧ୍ୱଂସ କରାଯିବ।