ଏଣିକି କର୍ଣ୍ଣାଟକରେ ସପ୍ତାହକ ୭ ଦିନ ୨୪ ଘଣ୍ଟା ଧରି ସମସ୍ତ ଦୋକାନ ଏବଂ ବାଣିଜ୍ୟିକ ପ୍ରତିଷ୍ଠାନ ଖୋଲା ରହିବ, ସର୍ତ୍ତାବଳୀ ଜାରି

ବେଙ୍ଗାଲୁର: କର୍ଣ୍ଣାଟକ ସରକାର ଏକ ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଛନ୍ତି। ଏଣିକି ରାଜ୍ୟରେ ସପ୍ତାହକ ସାତ ଦିନ ଯାକ ୨୪ ଘଣ୍ଟା ଧରି ସମସ୍ତ ଦୋକାନ, ମଲ୍ ଏବଂ ବାଣିଜ୍ୟିକ ପ୍ରତିଷ୍ଠାନ ଖୋଲା ରହିପାରିବ ବୋଲି କହିଛନ୍ତି । ତେବେ ଏ ନେଇ କେ‌ତୋଟି ସର୍ତ୍ତ ରହିଛି। ସର୍ତ୍ତଗୁଡ଼ିକ ନିମ୍ନରେ ଉଲ୍ଲେଖ କରାଯାଇଛି।

: ସମସ୍ତ ଦେ‌ାକାନ/ମଲ୍ କର୍ମଚାରୀଙ୍କୁ ସପ୍ତାହକୁ ଗୋଟାଏ ଦିନ ସାପ୍ତାହିକ ଛୁଟି ଦେବାକୁ ନିଯୁକ୍ତିଦାତା ଜଣେ ଅତିରିକ୍ତ କର୍ମଚାରୀଙ୍କୁ ନିଯୁକ୍ତି କରିବେ। ପ୍ରତ୍ୟେକ କର୍ମଚାରୀଙ୍କ ବିବରଣୀ ଦୋକାନ କିମ୍ବା ବ୍ୟବସାୟିକ ପ୍ରତିଷ୍ଠାନର ଏକ ସ୍ଥାନରେ ନିଯୁକ୍ତିଦାତାଙ୍କ ଦ୍ୱାରା ପ୍ରଦର୍ଶିତ କରାଯିବ।

: ଦୋକାନ କିମ୍ବା ବାଣିଜ୍ୟିକ ପ୍ରତିଷ୍ଠାନଗୁଡ଼ିକରେ ଏକ ସ୍ପଷ୍ଟ ଦୃଶ୍ୟମାନ ସ୍ଥାନରେ ଛୁଟିରେ ଥିବା କର୍ମଚାରୀଙ୍କ ସଂପର୍କରେ ନିଯୁକ୍ତିଦାତା ବିବରଣୀ ପ୍ରଦର୍ଶନ କରିବେ।

: ୧୯୬୩ ମଜୁରୀ ଅଧିନିୟମ ଧାରା ଅନୁଯାୟୀ ଅଧିକ ସମୟ(ଓଭର୍‌ ଟାଇମ୍‌) କାମ କଲେ କର୍ମଚାରୀଙ୍କ ବ୍ୟାଙ୍କ୍‌ ଆକାଉଣ୍ଟ୍‌ଙ୍କୁ ସେ ବାବଦରେ ଟଙ୍କା କ୍ରେଡିଟ୍‌ କରି ଦିଆଯିବ।

: କୌଣସି ବି ନିଯୁକ୍ତିଦାତା କର୍ମଚାରୀଙ୍କୁ ଦିନକୁ ୮ ଘଣ୍ଟାରୁ ଅଧିକ ଓ ସପ୍ତାହକୁ ୪୮ ଘଣ୍ଟାରୁ ଅଧିକ କାମ କରାଇ ପାରିବେ ନାହିଁ। ଓଭର୍‌ ଟାଇମ୍‌ କ୍ଷେତ୍ରରେ ଦିନରୁ ୧୦ ଘଣ୍ଟାରୁ ଅଧିକ କାମ କରିବା ମନା। ସେହିପରି ଲଗାତର ୩ ମାସ ଧରି କୌଣସି ବି କର୍ମଚାରୀ ୫୦ ଘଣ୍ଟା ଓଭର୍‌ ଟାଇମ୍‌ କରିପାରିବେ ନାହିଁ।

: ଯଦି କ‌ୌଣସି କର୍ମଚାରୀ ନିୟମ ବାହାରକୁ ଯାଇ ଓଭର୍‌ ଟାଇମ୍‌ କରୁଥିବାର ଦେଖିବାକୁ ମିଳେ ତେବେ କମ୍ପାନି ବା ନିଯୁକ୍ତିଦାତାଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

: ମହିଳାମାନେ ରାତି ୮ଟା ପରେ କାର୍ଯ୍ୟକ୍ଷେତ୍ରରେ କାମ କରିବେ ନାହିଁ। ବିଶେଷ କ୍ଷେତ୍ରରେ ସେମାନଙ୍କ ଲିଖିତ ସହମ୍ମତି କ୍ରମ‌େ ହିଁ ସେମାନଙ୍କୁ ରାତି ୮ଟାରୁ ସକାଳ ୬ଟା ପର୍ଯ୍ୟନ୍ତ କାମ କରିବାକୁ ଅନୁମତି ଦିଆଯିବ। ତାହା ପୁଣି ଉପଯୁକ୍ତ ସମ୍ମାନ, ନିରାପତ୍ତା ଓ ସୁରକ୍ଷାର ସହ।

: ସିଫ୍ଟରେ କାମ କରୁଥିବା ମହିଳା କର୍ମଚାରୀଙ୍କୁ ପରିବହନ ବ୍ୟବସ୍ଥା ଯୋଗାଇ ଦିଆଯିବ। ପରିବହନର ଉପଲବ୍ଧତାକୁ ସୂଚାଇ ଦୋକାନ କିମ୍ବା ବାଣିଜ୍ୟିକ ପ୍ରତିଷ୍ଠାନର ମୁଖ୍ୟ ପ୍ରବେଶ ଦ୍ୱାରରେ ଏହି ବିଷୟରେ ଏକ ବିଜ୍ଞପ୍ତି ପ୍ରଦର୍ଶିତ କରିବାକୁ କୁହାଯାଇଛି।

: କର୍ମଚାରୀମାନଙ୍କୁ ବିଶ୍ରାମ ଗୃହ, ୱାସ୍‌ରୁମ୍‌, ସୁରକ୍ଷା ଲକର ଏବଂ ଅନ୍ୟାନ୍ୟ ମୌଳିକ ସୁବିଧା ଯୋଗାଇ ଦିଆଯିବ।

: ମହିଳା କର୍ମଚାରୀଙ୍କୁ ନିୟୋଜିତ କରୁଥିବା ପ୍ରତ୍ୟେକ ନିଯୁକ୍ତିଦାତା କର୍ମକ୍ଷେତ୍ରରେ ଯୌନ ନିର୍ଯାତନା ବିରୋଧରେ ଆଭ୍ୟନ୍ତରୀଣ ଅଭିଯୋଗ କମିଟି ଗଠନ କରିବେ ଏବଂ ଉକ୍ତ କମିଟି କାର୍ଯ୍ୟକ୍ଷମ କରିବେ ମଧ୍ୟ।

ସମ୍ବନ୍ଧିତ ଖବର