ମହାରାଷ୍ଟ୍ରରେ ସରକାର ଗଠନ ନେଇ ଖୁବ ଶୀଘ୍ର ଭଲ ଖବର ମିଳିବ : ବିଜେପି ନେତା

ମୁମ୍ବାଇ : ମହାରାଷ୍ଟ୍ର ବିଧାନସଭାର କାର୍ଯ୍ୟକାଳ ସରିଆସୁଥିବାବେଳେ ନୂଆ ସରକାର ଗଠନ ନେଇ ଏପର୍ଯ୍ୟନ୍ତ ଅନିଶ୍ଚିତତା ଜାରି ରହିଛି । ମୁଖ୍ୟମନ୍ତ୍ରୀ ପଦ ପାଇଁ ଅଡିବସିଥିବା ଶିବସେନାକୁ ପୁଣି ଥରେ ନିରାଶ କରିଛି ଏନସିପି-କଂଗ୍ରେସ ମେଣ୍ଟ । ଏନସିପି ବିରୋଧୀ ଦଳରେ ବସିବ ବୋଲି ଦୋହରାଇଛନ୍ତି ଏନସିପି ମୁଖ୍ୟ ଶରଦ ପାଓ୍ଵାର । ଆଜି ପାଓ୍ଵାରଙ୍କୁ ଭେଟିବାକୁ ଶିବସେନା ନେତା ସଂଜୟ ରାଉତ ତାଙ୍କ ବାସଭବନକୁ ଯାଇଥିଲେ । କିନ୍ତୁ ସେ ପାଓ୍ଵାରଙ୍କୁ ମନାଇବାରେ ବିଫଳ ହୋଇଥିଲେ । ଅନ୍ୟପକ୍ଷରେ ସରକାର ଗଠନ ପାଇଁ ବିଜେପି ଓ ଶିବସେନା ମଧ୍ୟରେ କଥାବାର୍ତ୍ତା ଚାଲିଥିବା ସୂଚନା ମିଳିଛି । ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ସୁଧୀର ମୁଙ୍ଗାନ୍ତିଓ୍ଵାର କହିଛନ୍ତି ଯେ ଖୁବ ଶୀଘ୍ର ଭଲ ଖବର ମିଳିବ ।

ଆଜି ଶରଦ ପାଓ୍ଵାର କହିଛନ୍ତି ଯେ ୧୭୫ ଜଣ ବିଧାୟକଙ୍କ ସମର୍ଥନ ହାସଲ କରିଥିବା କଥା ସଂଜୟ ରାଉତ କିପରି ଦାବି କରୁଛନ୍ତି, ତାହା ସେ ଜାଣିପାରୁନାହାନ୍ତି । ଲୋକମାନେ ବିଜେପି-ଶିବସେନାକୁ ସରକାର ଗଠନ ପାଇଁ ଜନାଦେଶ ଦେଇଛନ୍ତି । ଏଣୁ ସେମାନେ ଯଥା ଶୀଘ୍ର ସରକାର ଗଠନ କରନ୍ତୁ । ଏନସିପିକୁ ଲୋକମାନେ ଜନାଦେଶ ଦେଇନାହାନ୍ତି ଏଣୁ ସେ ମୁଖ୍ୟମନ୍ତ୍ରୀ ହେବାର ପ୍ରଶ୍ନ ଉଠୁନାହିଁ ବୋଲି ସେ କହିଛନ୍ତି ।

ସମ୍ବନ୍ଧିତ ଖବର