ନୂଆଦିଲ୍ଲୀ: ଦିଲ୍ଲୀ-ହାୱଡ଼ା ରେଳ ଲାଇନରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଖୁସି ଖବର । ଏହି ବ୍ୟସ୍ତବହୁଳ ରେଳପଥରେ ଆଉ ମାଲବାହୀ ଟ୍ରେନ୍ ଚଳାଚଳ କରିବ ନାହିଁ। ବର୍ତ୍ତମାନ ଚାଲୁଥିବା ପ୍ରାୟ ୯୦୦ ମାଲବାହୀ ଟ୍ରେନ୍ ଆଉ ଏଠାରେ ଚାଲିବ ନାହିଁ । ସେଗୁଡ଼ିକୁ ଏକ ସ୍ବତନ୍ତ୍ର ରୁଟକୁ ସ୍ଥାନାନ୍ତରୀତ କରାଯିବ । ତାହାକୁ କୁହାଯାଉଛି ଡେଡିକେଟେଡ୍ ଫ୍ରେଟ୍ କରିଡର । ଏହାର ଅର୍ଥ ହେଉଛି ବର୍ତ୍ତମାନର ଲାଇନରେ କେବଳ ଯାତ୍ରୀବାହୀ ଟ୍ରେନ୍ ଚଳାଚଳ କରିପାରିବ ଏବଂ ଏହାର ସିଧାସଳଖ ଫାଇଦା ରେଳ ଯାତ୍ରୀଙ୍କୁ ମିଳିବ।

Advertisment

ଦେଶରେ ମାଲବାହୀ ଟ୍ରେନ୍ ପାଇଁ ଦୁଇଟି ଡେଡିକେଟେଡ୍ ଫ୍ରେଟ୍ କରିଡର ନିର୍ମାଣ କରାଯାଉଛି। ଉଭୟ ପୂର୍ବ ଓ ପଶ୍ଚିମ କରିଡରର ଦୈର୍ଘ୍ୟ ଯଥାକ୍ରମେ ୨୮୪୩ କିଲୋମିଟର ଓ ୧୩୩୭ କିଲୋମିଟର ରହିଛି । ପଞ୍ଜାବର ଲୁଧିଆନାରୁ ପଶ୍ଚିମବଙ୍ଗର ସୋନନଗର ପର୍ଯ୍ୟନ୍ତ ଦୀର୍ଘ ଇଷ୍ଟର୍ଣ୍ଣ ଡେଡିକେଟେଡ୍ ଫ୍ରେଟ୍ କରିଡର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି । ଏବେ ଏହି ରୁଟରେ ମାଲଗାଡ଼ି ଚାଲିବ । ଅନ୍ୟପକ୍ଷରେ ହରିୟାଣାର ରେଓ୍ଵାରିରୁ ମୁମ୍ବାଇ ନିକଟରେ ଥିବା ଜବାହରଲାଲ ନେହେରୁ ବନ୍ଦର ପର୍ଯ୍ୟନ୍ତ ନିର୍ମାଣାଧୀନ ରହିଛି ।

ଉଭୟ କରିଡର ନିର୍ମାଣ ପରେ ବର୍ତ୍ତମାନର ଦିଲ୍ଲୀ-ହାୱଡ଼ା ଏବଂ ଦିଲ୍ଲୀ-ମୁମ୍ବାଇରୁ ପ୍ରାୟ ୧୮୦୦ ମାଲବାହୀ ଟ୍ରେନ୍ ସ୍ଥାନାନ୍ତର କରାଯିବ। ଇଷ୍ଟର୍ଣ୍ଣ ଫ୍ରେଟ୍ କରିଡର ପ୍ରସ୍ତୁତ ହୋଇଥିବାରୁ ଦିଲ୍ଲୀ-ହାଓଡ଼ା ଲାଇନ୍ରୁ ଚଳାଚଳ କରୁଥିବା ପ୍ରାୟ ୯୦୦ ମାଲବାହୀ ଟ୍ରେନ୍ କୁ ଏହି କରିଡରରେ ସ୍ଥାନାନ୍ତର କରାଯିବ। ଏତେ ସଂଖ୍ୟକ ମାଲବାହୀ ଟ୍ରେନ୍ ସ୍ଥାନାନ୍ତର ହେଲେ ଦିଲ୍ଲୀ-ହାୱଡ଼ା ଲାଇନ୍ ରୁ ଟ୍ରାଫିକ୍ ହ୍ରାସ ପାଇବ। ଫଳରେ ଯାତ୍ରୀବାହୀ ଟ୍ରେନ୍ ର ବେଗ ବୃଦ୍ଧି ପାଇବ। ସେମାନେ ଖୁବ୍ କମ୍ ସମୟ ମଧ୍ୟରେ ନିଜ ଗନ୍ତବ୍ୟସ୍ଥଳରେ ପହଞ୍ଚିପାରିବେ।