ଭାରତରେ ଟିକ୍‌ଟକ୍‌ ନିଷିଦ୍ଧ କଲା ଗୁଗଲ୍‌

ନୂଆଦିଲ୍ଲୀ: ଚୀନର ମୋବାଇଲ୍‌ ଆପ୍‌ ଟିକ୍‌ଟକ୍‌ ଆଉ ଭାରତରେ ଡାଉନ୍‌ଲୋଡ଼ କରାଯାଇପାରିବନାହିଁ। ଗୁଗଲ୍‌ ଏହି ଆପ୍‌କୁ ନିଜ ପ୍ଲେ‌େଷ୍ଟାରରେ ବୁଧବାର ଠାରୁ ନିଷିଦ୍ଧ କରିଦେଇଛି। ସୂଚନା ଥାଉକି, ଏହି ମୋବାଇଲ୍‌ ଆପ୍‌କୁ ନିଷିଦ୍ଧ କରିବା ପାଇଁ ଏକ ଜନସ୍ୱାର୍ଥ ମାମଲା ରୁଜୁ ହୋଇଥିଲା। ଯୁକ୍ତି କରାଯାଇଥିଲା ଏହି ଆପ୍ ଯୌନଉଦ୍ଧିପନା ସୃଷ୍ଟି କରୁଛି ଏବଂ ଶିଶୁମାନେ ଏହା ଦ୍ୱାରା ଅଧିକ ପ୍ରଭାବିତ ହେଉଛନ୍ତି। ଶିଶୁମାନେ ମଧ୍ୟ ଯୌନପିପାସୁଙ୍କ ଦ୍ୱାରା ଶୋଷଣର ଶିକାର ହୋଇପାରନ୍ତି। ଏହି ଆବେଦନକୁ ବିଚାର କରି କୋର୍ଟ ଟିକ୍‌ଟକ୍‌ ଆପ୍‌କୁ ନିଷିଦ୍ଧ କରିବା ପାଇଁ କେନ୍ଦ୍ର ସରକାରଙ୍କୁ ଏପ୍ରିଲ ୩ରେ ନିର୍ଦେଶ ଦେଇଥିଲେ। ମାଡ୍ରାସ କୋର୍ଟର ନିର୍ଦେଶ ଅନୁଯାୟୀ କେନ୍ଦ୍ର ସରକାର ଏନେଇ ଗୁଗଲ୍‌ ଏବଂ ଆପଲ୍‌କୁ ଚିଠି କରିଥିଲେ। ବୁଧବାର ଠାରୁ ଆପଲ୍‌ର ଆପ୍‌ ଷ୍ଟୋରରେ ଚୀନର ବାଇତେଡାନ୍ସ ଟେକ୍ନୋଲୋଜିର ଏହି ଟିକ୍‌ଟକ୍‌ ଆପ୍‌ ଉପଲବ୍ଧ ହେବନାହିଁ। ଗୁଗଲ୍‌ ତରଫରୁ ଜଣାଇଦିଆଯାଇଛି, କୌଣସି ନିର୍ଦିଷ୍ଟ ଆପ୍‌ ଉପରେ ମନ୍ତବ୍ୟ ରଖିବ ନାହିଁ କିନ୍ତୁ ସ୍ଥାନୀୟ କୋର୍ଟର ନିର୍ଦେଶକୁ ସମ୍ମାନ ଜଣାଇ ଗୁଗଲ୍‌ ଏହାକୁ ନିଷିଦ୍ଧ କରିଛି। ଉଲ୍ଲେଖଯୋଗ୍ୟ, ଏହି ଟିକ୍‌ଟକ୍‌ ଆପ୍‌କୁ ଭାରତରେ ୨୪ କୋଟି ଥର ଡାଉନ୍‌ଲୋଡ଼ କରାଯାଇଛି। କେବଳ ୨୦୧୯ ଜାନୁଆରୀରେ ହିଁ ୩ କୋଟି ବ୍ୟବହାରକାରୀ ଇନ୍‌ଷ୍ଟଲ କରିଥିବା ପ୍ରକାଶ।

ସମ୍ବନ୍ଧିତ ଖବର