ନୂଆଦିଲ୍ଲୀ: ଗୁଗୁଲର ସହ-ପ୍ରତିଷ୍ଠାତା ସର୍ଗେ ବ୍ରିନ୍ କୋଟିପତି ଏଲନ୍ ମସ୍କଙ୍କ ସହ ତାଙ୍କ ପତ୍ନୀଙ୍କର ସମ୍ପର୍କକୁ ନେଇ ଗୁଜବ ଚାଲିଥିବା ବେଳେ ପତ୍ନୀଙ୍କ ସହ ଛାଡ଼ପତ୍ର ପ୍ରକ୍ରିୟାକୁ ଶେଷ କରିଛନ୍ତି। ଗୁଗୁଲର ସହ-ପ୍ରତିଷ୍ଠାତା ସର୍ଗେ ବ୍ରିନ୍ଙ୍କ ପତ୍ନୀ ନିକୋଲ ଶାନାହାନ ମଧ୍ୟ ଜଣେ ଉଦ୍ୟୋଗୀ ଏବଂ ଆଇନଜୀବୀ। ଅଦାଲତର ଦସ୍ତାବିଜରୁ ଜଣାପଡିଛି ଯେ ୨୦୨୩ ମେ ୨୬ରେ ସେମାନଙ୍କ ଛାଡ଼ପତ୍ର ଚୂଡ଼ାନ୍ତ ହୋଇଥିଲା ଏବଂ ସେମାନେ ବର୍ତ୍ତମାନ ସେମାନଙ୍କର ଚାରି ବର୍ଷର ଝିଅର ଉଭୟ ଆଇନଗତ ଏବଂ ଶାରୀରିକ ହେପାଜତକୁ ମିଳିତ ଭାବେ ଅଂଶୀଦାର କରିବେ।
ଅଦାଲତ ଦସ୍ତାବିଜ ଅନୁଯାୟୀ, ଶାନାହାନ ଛାଡ଼ପତ୍ରକୁ ବିରୋଧ କରି ନଥିଲେ, ବରଂ ଅଦାଲତରୁ ସମର୍ଥନ ପାଇଁ ଅନୁରୋଧ କରିଥିଲେ। ଅନ୍ୟାନ୍ୟ ମାମଲା ଯଥା ଆଟର୍ଣ୍ଣି ଫି’ ଏବଂ ସମ୍ପତ୍ତି ବିଭାଜନ ଗୋପନୀୟ ମଧ୍ୟସ୍ଥତା ମାଧ୍ୟମରେ ସମାଧାନ କରାଯାଇଥିଲା।
ବ୍ରିନ୍ ଏବଂ ଶାନାହାନ୍ ୨୦୧୫ରେ ଡେଟିଂ ଆରମ୍ଭ କରିଥିଲେ, ସେହି ବର୍ଷ ବ୍ରିନ୍ ତାଙ୍କ ପ୍ରଥମ ପତ୍ନୀ ଆନ୍ ଓଜ୍ସିକିଙ୍କ ଠାରୁ ଛାଡ଼ପତ୍ର ଚୂଡ଼ାନ୍ତ କରିଥିଲା। ‘ବିଜନେସ୍ ଇନ୍ସାଇଡର’ ଅନୁଯାୟୀ, ସେମାନେ ୨୦୧୮ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ତେବେ ୨୦୨୧ରେ ସେମାନେ ଅଲଗା ହୋଇ ଅଲଗା ରହିବା ଆରମ୍ଭ କରିଥିଲେ। ପରବର୍ତ୍ତୀ ସମୟରେ ବ୍ରିନ୍ ୨୦୨୨ରେ ‘ଅସଙ୍ଗତ ମତଭେଦ’ ଦର୍ଶାଇ ସେମାନେ ଛାଡ଼ପତ୍ର ପାଇଁ ଆବେଦନ କରିଥିଲେ।
‘ନ୍ୟୁୟର୍କ ପୋଷ୍ଟ’ ରିପୋର୍ଟ ଅନୁଯାୟୀ, ବ୍ରିନ୍ଙ୍କ ଦୀର୍ଘଦିନର ବନ୍ଧୁ ଏଲନ୍ ମସ୍କଙ୍କ ସହ ଶାନାହାନଙ୍କ ସଂକ୍ଷିପ୍ତ ସମ୍ପର୍କ ଥିବା ଅଭିଯୋଗ ଆସିବାର ପ୍ରାୟ ଏକ ମାସ ପରେ ବ୍ରିନ୍ ଛାଡ଼ପତ୍ର ପ୍ରକ୍ରିୟା ଆରମ୍ଭ କରିଥିଲେ। ତେବେ, ଉଭୟ ମସ୍କ ଓ ଶାନାହାନ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି।
‘ୱାଲ ଷ୍ଟ୍ରିଟ୍ ଜର୍ଣ୍ଣାଲ’ରେ ପ୍ରକାଶିତ ‘ଏଲନ୍ ମସ୍କ ଫ୍ରେଣ୍ଡସିପ୍ ୱିଥ୍ ସେର୍ଗେଇ ବ୍ରିନ୍’ ଶୀର୍ଷକ ଏକ ପ୍ରବନ୍ଧର ଉତ୍ତରରେ ମସ୍କ ୨୫ ଜୁଲାଇ ୨୦୨୨ରେ ଏକ୍ସ (ପୂର୍ବର ଟ୍ଵିଟର)ରେ ଲେଖିଥିଲେ, ‘ମୁଁ ଏବଂ ସେର୍ଗେଇ ବନ୍ଧୁ ଏବଂ ଗତକାଲି ରାତିରେ ଏକାଠି ଏକ ପାର୍ଟିରେ ଥିଲୁ। ନିକୋଲଙ୍କୁ ମୁଁ ତିନି ବର୍ଷ ମଧ୍ୟରେ ମାତ୍ର ଦୁଇଥର ଦେଖିଛି, ଉଭୟ ସମୟରେ ଆଖପାଖରେ ଥିବା ଅନେକ ଲୋକଙ୍କ ସହ। ଏଥିରେ କିଛି ରୋମାଣ୍ଟିକ୍ ନାହିଁ।’
ଶାନାହାନ୍ ଏହି ଅପବାଦକୁ ସମ୍ପୂର୍ଣ୍ଣ ଦୁର୍ବଳ ବୋଲି ବର୍ଣ୍ଣନା କରିବା ସହ ସେ ଏବଂ ମସ୍କ କେବେ ବି ବନ୍ଧୁ ନୁହଁନ୍ତି ବୋଲି କହିଥିଲେ। ମସ୍କଙ୍କ ସହ ରୋମାଣ୍ଟିକ୍ ସମ୍ପର୍କ କିମ୍ବା ପ୍ରେମ ସମ୍ପର୍କ ଥିବା କଥାକୁ ସେ ଅସ୍ୱୀକାର କରିଛନ୍ତି। ମନା କରିବା ସତ୍ତ୍ୱେ ‘ଓ୍ଵାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲ୍’ ଏହାର ରିପୋର୍ଟ ଉପରେ ଅଟଳ ରହି ଏହାର ସୂତ୍ର ଉପରେ ଆସ୍ଥା ପ୍ରକଟ କରିଛି।
ବ୍ଲୁମବର୍ଗ ବିଲିୟନେୟର୍ସ ଇଣ୍ଡେକ୍ସ ଅନୁଯାୟୀ, ୫୦ ବର୍ଷୀୟ ବ୍ରିନ୍ ବର୍ତ୍ତମାନ ବିଶ୍ୱର ନବମ ଧନୀ ବ୍ୟକ୍ତି ଏବଂ ତାଙ୍କର ସମ୍ପତ୍ତି ୧୧୮ ବିଲିୟନ ଡଲାର ରହିଛି। ଅନ୍ୟପକ୍ଷରେ ୩୪ ବର୍ଷୀୟା ଶାନାହାନ କାଲିଫର୍ଣ୍ଣିଆର ଜଣେ ଆଇନଜୀବୀ ଏବଂ ଏକ ଫାଉଣ୍ଡେସନର ପ୍ରତିଷ୍ଠାତା ଓ ସଭାପତି ବୋଲି ତାଙ୍କ ଲିଙ୍କଡଇନ୍ ପ୍ରୋଫାଇଲରେ ଉଲ୍ଲେଖ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/09/Capture-23.jpg)