ଜାଣନ୍ତୁ, ‘ମିତ୍ରୋଁ’ ଓ ‘ରିମୁଭ୍‌ ଚାଇନା ଆପ୍‌ସ’ କାହିଁକି ହଟିଲା ପ୍ଲେ ଷ୍ଟୋରରୁ; ଗୁଗୁଲ କହିଲା କାରଣ…

ନୂଆଦିଲ୍ଲୀ: ଖୁବ୍‌ କମଦିନ ମଧ୍ୟରେ ଭାରତରେ ବେଶ ଲୋକପ୍ରିୟ ହେବା ସହ ବହୁଳ ଭାବେ ବ୍ୟବହୃତ ହେଉଥିବା ‘ମିତ୍ରୋଁ’ ଓ ‘ରିମୁଭ୍‌ ଚାଇନା ଆପ୍‌ସ’ ନାମକ ଦୁଇଟି ଆପ୍‌କୁ ଗୁଗୁଲ୍‌ ଚଳିତ ସପ୍ତାହ ଆରମ୍ଭରେ ନିଜର ପ୍ଲେ ଷ୍ଟୋରରୁ ଅପସାରଣ କରି ନେଇଛି। ଭାରତରେ କିଛି ଦିନ ମଧ୍ୟରେ ବିପୁଳ ଟ୍ରାକ୍ସନ୍‌ ଲାଭ କରିଥିବା ଏହି ଦୁଇଟି ଆପ୍‌କୁ ଗୁଗୁଲ ବିନା କୌଣସି ପ୍ରାକ୍‌ ସୂଚନାରେ ହଠାତ୍‌ ନିଜର ପ୍ଲେ ଷ୍ଟୋରରୁ ହଟାଇ ନେବା ପରେ ଏହାକୁ କେନ୍ଦ୍ର କରି ବ୍ୟାପକ ପ୍ରତିକ୍ରିୟା ସୃଷ୍ଟି ହୋଇଥିଲା। ତେବେ, କେଉଁ ପରିସ୍ଥିତିରେ ଓ କାହିଁକି ଗୁଗୁଲ ‘ମିତ୍ରୋଁ’ ଓ ‘ରିମୁଭ୍‌ ଚାଇନା ଆପ୍‌ସ’କୁ ପ୍ଲେ ଷ୍ଟୋରରୁ ଆପସାରଣ କଲା ସେ ସଂପର୍କରେ ନିଜର ବକ୍ତବ୍ୟ ରଖିଛି।

ଲୋକପ୍ରିୟ ଆପ୍‌ ‘ଟିକ୍‌-ଟୋକ’ର ଭାରତୀୟ ପ୍ରତିଦ୍ୱନ୍ଦ୍ୱୀ ଭାବରେ ‘ମିତ୍ରୋଁ’ ଉଭା ହୋଇଥିଲା। ହେଲେ, ପରବର୍ତ୍ତୀ ସମୟରେ ଏହା ‘ଟିିକ୍‌-ଟିକ୍‌‌’ ନାମକ ଏକ କ୍ଷୁଦ୍ର ଭିଡିଓ ଆପ୍‌ର କପି ଥିଲା ବୋଲି ଜାଣିବାକୁ ମିଳିଥିଲା। ସେହିପରି ଅନ୍ୟ ଆପ୍‌ଟି, ସ୍ମାର୍ଟଫୋନରେ ତୃତୀୟ-ପକ୍ଷ ଚାଇନିଜ୍‌ ଆପ୍‌ଗୁଡ଼ିକୁ ଅପସାରିତ କରିବା ପାଇଁ ରହିଥିଲା। ସାଂପ୍ରତିକ ପରିସ୍ଥିତିରେ ଭାରତରେ ଚୀନ୍‌ ନିର୍ମିତ ସାମଗ୍ରୀ ସବୁକୁ ବର୍ଜନ କରା ଯାଉଥିବା ବେଳେ ଏହି ଆପ୍‌ଟି ମଧ୍ୟ ଭାରତୀୟ ଉପଭୋକ୍ତାମାନଙ୍କ ଦ୍ୱାରା ବହୁଳ ଭାବରେ ବ୍ୟବହୃତ ହେଉଥିଲା।

News Nation

ହେଲେ, କିଛି ସପ୍ତାହ ପୂର୍ବରୁ ଅନେକଗୁଡ଼ିଏ ବୈଷୟିକ ନୀତି ଉଲ୍ଲଂଘନ କରୁଥିବା ଦୃଷ୍ଟିକୁ ଆସିବା ପରେ ଏହି ‘ମିତ୍ରୋଁ’ ଭିଡିଓ ଆପ୍‌କୁ ଗୁଗୁଲ ନିଜ ପ୍ଲେ ଷ୍ଟୋରରୁ ଅପସାରଣ କରିଛି। ଏଥିସହ ଏହି ଆପ୍‌ର ପ୍ରସ୍ତୁତକର୍ତ୍ତାମାନଙ୍କୁ ଏଥିରେ ଥିବା ତ୍ରୁଟିକୁ ସୁଧାରିବାକୁ ପରାମର୍ଶ ଦେଇଛି। ଆପ୍‌ରେ ଥିବା ତ୍ରୁଟି ସଂଶୋଧନ ହୋଇଗଲେ ଏହା ପୁଣି ଥରେ ପ୍ଲେ ଷ୍ଟୋରରେ ଉପଲବ୍ଧ ହେବ ବୋଲି କହିଛନ୍ତି ଗୁଗୁଲର ଭାଇସ୍‌ ପ୍ରେସିଡେଣ୍ଟ ସମୀର ସମତ।

ETnow

ତେବେ, ଚାଇନା ଆପସ୍‌କୁ ରିମୁଭ୍‌ କରିବା ପାଇଁ ଉଦ୍ଦିଷ୍ଟ ଥିବା ଆପ୍‌ ଆଉ ଗୁଗୁଲ୍‌ ପ୍ଲେ ଷ୍ଟୋରକୁ ଫେରିବା ପରି ସମ୍ଭାବନା ଦେଖାଯାଉ ନାହିଁ। ଏହି ଆପକୁ ସ୍ଥଗିତ ରଖାଯାଇଛି କାରଣ ଏହା ଉପଭୋକ୍ତାମାନଙ୍କୁ ତୃତୀୟ-ପକ୍ଷ ଆପ୍‌ ଅପସାରଣ ସହ ଅକ୍ଷମ କରିବା କିମ୍ବା ଡିଭାଇସ୍‌ ସେଟିଂ ସମୂହ କିମ୍ବା ସୁରକ୍ଷା ବୈଶିଷ୍ଟ୍ୟକୁ ପରିବର୍ତ୍ତନ କରିବା ପାଇଁ ଉତ୍ସାହିତ କରିଥାଏ। ଏଥିସହ ଏହା ଯାଞ୍ଚଯୋଗ୍ୟ ସୁରକ୍ଷା ସେବାର ଅଂଶ ମଧ୍ୟ ନୁହେଁ। ଏହି ଆପ୍‌ ଗ୍ରାହକମାନଙ୍କ ସ୍ୱାର୍ଥ ଓ ସୁରକ୍ଷାରେ ଆଞ୍ଚ ଆଣବାର ସମ୍ଭାବନା ରହିଥିବା ଜଣା ପଡ଼ିବା ପରେ ଏହାକୁ ଅପସାରଣ କରି ଦିଆଯାଇଛି ବୋଲି କହିଛନ୍ତି ଗୁଗୁଲର ଭାଇସ୍‌ ପ୍ରେସିଡେଣ୍ଟ ସମୀର ସମତ।

ସମ୍ବନ୍ଧିତ ଖବର