ନୂଆଦିଲ୍ଲୀ: ଋଷ ଉପରେ ଗୁଗଲର ସାଇବର ଷ୍ଟ୍ରାଇକ୍। ଋଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ସମୟରେ ଗୁଗଲ ଋଷର ମିଡିଆ ଚ୍ୟାନେଲଗୁଡ଼ିକ ଉପରେ ପ୍ରତିବନ୍ଧକ ଲଗାଇଛି। ଗୁଗୁଲ୍ ପ୍ଲେ ଷ୍ଟୋରରୁ ଋଷର ନିଉଜ୍ ଚ୍ୟାନେଲ ଆରଟିଓ ନ୍ୟୁଜ୍ ଏବଂ ସ୍ପୁଟନିକର ମୋବାଇଲ୍ ଆପକୁ ଗୁଗଲ ହଟାଇଦେଇଥିବା ନେଇ ସୂଚନା ଦେଇଛି। ଏହାପୂର୍ବରୁ, ୟୁଟ୍ୟୁବ୍ ଏହି ଦୁଇଟି ମିଡିଆ ଆଉଟଲେଟ୍ ସହ ଜଡିତ ୟୁଟ୍ୟୁବ୍ ଚ୍ୟାନେଲ ଉପରେ ପ୍ରତିବନ୍ଧକ ଲଗାଇସାରିଛି।
ଏହି ପ୍ରସଙ୍ଗକୁ ନେଇ ଆରଟିଓର ଉପ-ସମ୍ପାଦକ ଆନ୍ନା ବେଲକିନା କହିଛନ୍ତି ଯେ କୌଣସି ପ୍ରମାଣ ବିନା ଟେକ୍ କମ୍ପାନିଗୁଡିକ ସେମାନଙ୍କର ମିଡିଆ ଆଉଟଲେଟ୍ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ତେବେ ସ୍ପଟନିକ୍ ଏପର୍ଯ୍ୟନ୍ତ ଏ ସମ୍ପର୍କରେ କୌଣସି ପ୍ରତିକ୍ରିୟା ଦେଇନାହିଁ। ତେବେ ୟୁରୋପରେ ପ୍ଲେ ଷ୍ଟୋରରେ ଗୁଗୁଲ ଏହି ଉଭୟ ନ୍ୟୁଜ୍ ସାଇଟର ଆପ୍ସକୁ ହଟାଇଥିବା ବେଳେ ୟୁଟ୍ୟୁବ୍ ମଧ୍ୟ ସାମନ କାମ କରିଛି। ଦୁଇଟି ନିଉଜ ଚ୍ୟାନେଲ ଉପରେ ପ୍ରତିବନ୍ଧକ ଲଗାଇବା ପୂର୍ବରୁ ବିଜ୍ଞାପନରୁ ସେମାନଙ୍କୁ ମିଳୁଥିବା ରାଜସ୍ୱ ଉପରେ ପ୍ରତିବନ୍ଧକ ଲଗାଇଥିଲା ୟୁଟ୍ୟୁବ୍ । ଫେସବୁକର କମ୍ପାନି ମେଟା ଦ୍ୱାରା ମଧ୍ୟ ଏଭଳି ପଦକ୍ଷେପ ନିଆଯାଇଛି। ୟୁରୋପୀୟ ଦେଶଗୁଡିକର ଦାବି ଅନୁଯାୟୀ ୟୁରୋପର ସମସ୍ତ ପ୍ଲାଟଫର୍ମରେ ଋଷିଆ ଗଣମାଧ୍ୟମକୁ ଅବରୋଧ କରିବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ମେଟା ସୂଚନା ଦେଇଛି।
ଏହା ବ୍ୟତୀତ ଗୁଗୁଲ ୟୁକ୍ରେନରେ ଗୁଗୁଲ୍ ମ୍ୟାପ୍ସର ଲାଇଭ୍ ଟ୍ରାଫିକ୍ ଫିଚରକୁ ବନ୍ଦ କରି ଦେଇଛି। ଆପଲ୍ ମଧ୍ୟ ମ୍ୟାପ୍ସର ଟ୍ରାଫିକ୍ ଏବଂ ଲାଇଭ୍ ଇନ୍ସିଡେନ୍ସ ଫିଚରକୁ ବନ୍ଦ କରିଛି। ଏହା ସହ ଆପଲ୍ ଋଷରେ ଏହାର ଉତ୍ପାଦ ବିକ୍ରୟ ଉପରେ ପ୍ରତିବନ୍ଧକ ଲଗାଇବା ସହ ଆପଲ୍ ପେ’ ସେବା ମଧ୍ୟ ବନ୍ଦ କରି ଦେଇଛି।