ଅଭିନନ୍ଦନଙ୍କ ସଂପର୍କିତ ଭିଡିଓ ୟୁଟ୍ୟୁବରୁ ହଟାଇଲା ଗୁଗୁଲ

ନୂଆଦିଲ୍ଲୀ : ଭାରତୀୟ ବାୟୁସେନାର ଓ୍ବିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତମାନଙ୍କୁ ଗତ କାଲି ପାକିସ୍ତାନ ସେନା ପକ୍ଷରୁ ଗିରଫ କରାଯିବା ପରେ ତାଙ୍କୁ ପ୍ରବଳ ମାଡ ଦିଆଯାଉଥିବା ଓ ସେ ରକ୍ତାକ୍ତ ହୋଇପଡିଥିବା କେତେକ ଭିଡିଓ ୟୁଟ୍ୟୁବରେ ଅପଲୋଡ ହୋଇଥିଲା । ଏହା ପରେ ସେ ଚା ପିଉଥିବା ଏକ ଭିଡିଓ ମଧ୍ୟ ଆସିଥିଲା । ଏହାକୁ ନେଇ ଭାରତରେ ପ୍ରବଳ ପ୍ରତିକ୍ରିୟା ଦେଖାଦେଇଥିଲା । ଏହା ପରେ ଭାରତ ସରକାର ୟୁଟ୍ୟୁବକୁ ଏସବୁ ଭିଡିଓ ହଟାଇବାକୁ କହିଥିଲେ । ସରକାରଙ୍କ ନିର୍ଦ୍ଦେଶ ପରେ ୟୁଟ୍ୟୁବ ପକ୍ଷରୁ ଏସବୁ ଭିଡିଓକୁ ହଟାଇଦିଆଯାଇଛି । ସରକାରଙ୍କ ଠାରୁ ଅନୁରୋଧ ଆସିବା ପରେ ତୁରନ୍ତ ଏସବୁ ଭିଡିଓକୁ ଡିଲିଟ କରାଯାଇଥିଲା ବୋଲି ୟୁଟ୍ୟୁବ ଚଳାଉଥିବା କମ୍ପାନି ଗୁଗୁଲ ପକ୍ଷରୁ କୁହାଯାଇଛି ।
ସୂଚନାଯୋଗ୍ୟ ଯେ ଅଭିନନ୍ଦନଙ୍କୁ ଛାଡିବାକୁ ଆଜି ପାକିସ୍ତାନ ରାଜି ହୋଇଛି । ଗତ କାଲି ସେ ଚଳାଉଥିବା ମିଗ ବିମାନଟି ଦୁର୍ଘଟଣାଗସ୍ତ ହେବା ପରେ ସେ ପାରାଚ୍ୟୁଟ ସାହାଯ୍ୟରେ ନିୟନ୍ତ୍ରଣ ରେଖା ସେପଟେ ଏକ ଗାଁ ନିକଟରେ ସଂପୂର୍ଣ୍ଣ ଅକ୍ଷତ ଅବସ୍ଥାରେ ଓହ୍ଲାଇଥିଲେ । କିନ୍ତୁ ସ୍ଥାନୀୟ ଗାଁ ଲୋକେ ତାଙ୍କୁ ପ୍ରବଳ ମାଡ ଦେବା ସହ ପାକିସ୍ତାନୀ ସେନା ହାତରେ ଧରାଇଦେଇଥିଲେ ।

ସମ୍ବନ୍ଧିତ ଖବର