ସାଣ୍ଟା କ୍ଲାରା: ଆମେରିକାର କାଲିଫର୍ଣ୍ଣିଆରେ ଜଣେ ୨୭ ବର୍ଷିୟ ଗୁଗଲ୍‌ ଇଞ୍ଜିନିୟର୍‌ଙ୍କ ନାଁ‌’ରେ ସ୍ତ୍ରୀକୁ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଥିବା କଥା ସାଣ୍ଟା କ୍ଲାରା କାଉଣ୍ଟିସ୍ଥିତ ଜିଲ୍ଲା ଆଟର୍ଣ୍ଣି ଅଫିସ ଜାରି କରିଥିବା ବିବୃତିରୁ ଜଣାପଡ଼ିଛି।

Advertisment

ବିବୃତିରେ ଉଲ୍ଲେଖ ଅଛି, ବାସଭବନର ଇଞ୍ଜିନିୟର୍‌ ଲିରେନ୍‌ ଚେନ୍‌ଙ୍କୁ ରକ୍ତସ୍ନାତ ଅବସ୍ଥାରେ ଧରାଯାଇଥିଲା। ଶୋଇବା ଘରୁ ତାଙ୍କ ସ୍ତ୍ରୀଙ୍କ ଶବ ମଧ୍ୟ ଉଦ୍ଧାର କରାଯାଇଥିଲା। ମୃତ ସ୍ତ୍ରୀଙ୍କ ମୁଣ୍ଡରେ ଗଭୀର ଆଘାତଜନିତ କ୍ଷତ ଥିଲା। ଚେନ୍‌ଙ୍କର ଡାହାଣ ହାତ ଫୁଲି ଯାଇ ବାଇଗଣୀ ‌ଦିଶୁଥିଲା। ତାଙ୍କ ପୋଷାକପତ୍ର, ‌ଦୁଇଗୋଡ଼, ଦୁଇ ବାହୁ, ଦୁଇ ହାତରେ ରକ୍ତ ଛିଟା ପଡ଼ିଥିଲା। ବାହୁରେ ରାମ୍ପୁଡ଼ା କ୍ଷତ ବି ଦିଶୁଥିଲା।

ଚେନ୍‌ଙ୍କ ସ୍ତ୍ରୀ ମଧ୍ୟ ଗୁଗଲ୍‌ରେ ଜଣେ ଇଞ୍ଜିନିୟର୍‌ ଭାବେ କାର୍ଯ୍ୟ କରୁଥିଲେ। କିନ୍ତୁ, ଜିଲ୍ଲା ଆଟର୍ଣ୍ଣି ଅଫିସ୍‌ ଜାରି କରିଥିବା ବିବୃତିରେ ଚେନ୍‌ଙ୍କ ସ୍ତ୍ରୀଙ୍କ ନାମ କ’ଣ ଲେଖାଯାଇନି। କିନ୍ତୁ, ଘରବାଡ଼ି କାଗଜପତ୍ରରୁ ଜଣାପଡ଼ିଛି ଯେ, ତାଙ୍କ ନାଁ ଜୁଆନ୍‌ୟି ଇୟୁ। ଉଭୟ ଚେନ୍‌ ଓ ଇୟୁ ତା’ର କର୍ମଚାରୀ ବୋଲି ଗୁଗଲ୍‌ ‘ଫକ୍ସ୍‌ ନିଉଜ୍ ଡିଜିଟାଲ୍‌’କୁ ସୁନିଶ୍ଚିତ କରି କହିଛି।

publive-image Image Courtesy of The US Sun

ସମ୍ପ୍ରତି ଡାକ୍ତରଖାନାରେ ଥିବାରୁ ଚେନ୍‌ଙ୍କୁ ଅଦାଲତରେ ହାଜର କରାଯାଇ ପାରୁନାହିଁ। ଚେନ୍‌ଙ୍କ ନାଁରେ ନରହତ୍ୟା ଅଭିଯୋଗ ହୋଇଛି। ଦୋଷୀ ସାବ୍ୟସ୍ତ ହେଲେ ସେ ଜେଲ୍‌ ଦଣ୍ଡାଦେଶ ପାଇ ପାରନ୍ତି ବୋଲି ଜିଲ୍ଲା ଆଟର୍ଣ୍ଣି କାର୍ଯ୍ୟାଳୟ କହିଛି।

ପୁଲିସ କହିଛି, ମଙ୍ଗଳବାର ଦିନ ସେମାନେ ଚେନ୍‌ଙ୍କର ଜଣେ ପରିଚିତ ବ୍ୟକ୍ତିଙ୍କଠାରୁ ଫୋନ୍‌ ପାଇଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ଚେନ୍‌ଙ୍କ ପରିଚିତ ବ୍ୟକ୍ତିଜଣକ କହିଲେ ଯେ, ଚେନ୍‌ ଫୋନ୍‌ ଧରୁନି କି, କବାଟ ଖୋଲୁନି। କିନ୍ତୁ, ଚେନ୍‌ ଘରେ ଅଛି। ସେ ଆଣ୍ଠୁମାଡ଼ି, ଦୁଇ ହାତ ଉପରକୁ ଉଠାଇ ବଲ ବଲ କରି ଚାହିଁଛି।

ପୁଲିସ କୌଣସିମତେ ଘରେ ପଶି ଚେନ୍‌ଙ୍କୁ ହାଜତକୁ ନେଇଛନ୍ତି। ଶୋଇବା ଘରୁ ତାଙ୍କ ସ୍ତ୍ରୀଙ୍କ ଶବ ବି ଉଦ୍ଧାର କରିଛନ୍ତି।