କିଏଭ୍‌: ୟୁକ୍ରେନ୍‌‌ରେ କେତେକ ‘ଗୁଗଲ୍‌ ମ୍ୟାପ୍‌ସ୍‌ ଟୁଲ୍ସ୍‌’ ସାମିୟକ ଭାବେ ଅଚଳ କରି ଦିଆଯାଇଥିବା କଥା ରବିବାର ଦିନ ‘ଆଲଫାବେଟ୍‌ ଇନ୍‌ପର୍କୋରେସନ୍‌’ର ‘ଗୁଗଲ୍‌’ ସୁନିଶ୍ଚିତ କରି କହିଛି। ରାସ୍ତାରେ ଯାନବାହନ ଚଳାଚଳର ଅବସ୍ଥା ଏବଂ ସ୍ଥାନବିଶେଷର ଚଳଚଞ୍ଚଳତା ବିଷୟରେ ‘ଗୁଗଲ୍‌ ମ୍ୟାପ୍‌ସ୍‌ ଟୁଲ୍‌ସ୍‌’ ‘ଲାଇଭ୍‌ ଇନ୍‌ଫର୍ମେସନ୍‌’ ଯୋଗାଇ ଥାଏ।

Advertisment

କମ୍ପାନି କହିଛି ଯେ, ଆଞ୍ଚଳିକ କର୍ତ୍ତୃପକ୍ଷଙ୍କ ସମେତ ବିଭିନ୍ନ ସୂତ୍ରଙ୍କ ସହ ପରାମର୍ଶ କରିବା ପରେ, ସ୍ଥାନୀୟ ସମ୍ପ୍ରଦାୟଙ୍କ ନିରାପତ୍ତା ନିମନ୍ତେ ୟୁକ୍ରେନ୍‌ରେ ଷ୍ଟୋର୍‌ ଏବଂ ରେସ୍ତୋରାଁ ଭଳି ଚଳଚଞ୍ଚଳ ସ୍ଥାନଗୁଡ଼ିକ ବିଷୟରେ ‘ଲାଇଭ୍‌ ଇନ୍‌ଫର୍ମେସନ୍‌’ ଦେଉଥିବା ‘ଗୁଗଲ୍‌ ମ୍ୟାପ୍‌ସ୍‌ ଟ୍ରାଫିକ୍‌ ଲେୟର୍‌’କୁ ବିଶ୍ବବ୍ୟାପୀ ଅଚଳ କରି ଦେବା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଥିଲା।

publive-image Image Courtesy of NDTV

ସମ୍ପ୍ରତି ୟୁକ୍ରେନ୍‌ ରୁଷୀୟ ସେନା ଆକ୍ରମଣର ମୁକାବିଲା କରୁଛି। ଗୁରୁବାର ଦିନ ରୁଷ୍‌ ସେନା ଆକ୍ରମଣ ଆରମ୍ଭ କରି ୟୁକ୍ରେନୀୟ ନଗରଗୁଡ଼ିକ ଉପରେ କ୍ଷେପଣାସ୍ତ୍ର ନିକ୍ଷେପ କରିବାରୁ ପ୍ରାୟ ୪ ଲକ୍ଷ ସାଧାରଣ ନାଗରିକ, ମୁଖ୍ୟତଃ ମହିଳା ଓ ପିଲା ପଡ଼ୋଶୀ ରାଷ୍ଟ୍ରମାନଙ୍କୁ ଚାଲିଯାଇଛନ୍ତି।

ୟୁକ୍ରେନ୍‌ରେ ଚଳାଇଥିବା ଏହି ଅଭିଯାନକୁ ରୁଷ୍‌ ‘ସ୍ପେସାଲ୍‌ ଅପରେସନ୍‌’ ଆଖ୍ୟା ଦେଇଛି।

‘ଗୁଗଲ୍‌’ ସମେତ ବଡ଼ ବଡ଼ ‘ଟେକ୍‌ କମ୍ପାନି’ ସବୁ କହିଛନ୍ତି ଯେ, ସମ୍ପୃକ୍ତ ଅଞ୍ଚଳରେ ବ୍ୟବହାରକାରୀମାନଙ୍କ ନିରାପତ୍ତା ଦୃଷ୍ଟିରୁ ସେମାନେ ଏଭଳି ପଦ‌କ୍ଷେପ ଗ୍ରହଣ କରିଛନ୍ତି।